www.samajalive.in
Saturday, December 6, 2025
19.1 C
Bhubaneswar

ବର୍ଷେ ହେଲା ପଲିଥିନ ତଳେ ବିତୁଛି ଜୀବନ

ମୁଖୀଗୁଡା: ସରକାରଙ୍କ ତରଫରୁ ବିଭିନ୍ନ ଜନହିତକର ଯୋଜନା ପ୍ରସ୍ତୁତ ହେଉଛି। ହେଲେ ରାଜନୈତିକ ଇଛାଶକ୍ତିର ଅଭାବ ଏବଂ ସରକାରୀ ବାବୁଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ବି ଜଣେ ଅସହାୟ ବୃଦ୍ଧା ପଲିଥିନ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଘରଟିଏ ପାଇଁ ସରପଞ୍ଚଙ୍କଠାରୁ ବିଡିଓ ଯାଏଁ ସମସ୍ତଙ୍କୁ ଗୁହାରି କଲେ, ହେଲେ କେବଳ ଆଶ୍ୱାସନା ବ୍ୟତୀତ କିଛି ମିଳିଲା ନାହିଁ ସରୋଜିନୀଙ୍କୁ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ୬ନମ୍ବର ୱାର୍ଡ ଡାକ୍ତରଖାନା ପଛପଟେ କେନାଲ ହୁଡାରେ ସରୋଜିନୀ ବାଗ(୭୫) ଗତ ପ୍ରାୟ ୨୦ବର୍ଷ ତଳେ କୁଡ଼ିଆ କରି ରହିବା ଆରମ୍ଭ କରିଥିଲେ। ଭବାନୀପାଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଜୟପାଟଣାକୁ ଆସିଥିଲେ। ସ୍ଥାନୀୟ ଏକ ହୋଟେଲରେ କାମ କରି ପେଟ ପୋଷୁଥିଲେ। ଇତି ମଧ୍ୟରେ ସରୋଜିନୀଙ୍କର ଗୋଡ଼ ଭାଙ୍ଗିବା ପରେ ସରକାରଙ୍କ ତରଫରୁ ଅଗ୍ରାଧିକାର ପରିବାର ରେସନ କାର୍ଡ ଚାଉଳ ଏବଂ ଭତ୍ତା ଟଙ୍କାରେ ପେଟକୁ ଦିମୁଠା ଖାଇବାକୁ ହୋଇ ଯାଉଥିବା ବେଳେ ନା ନିଜ କୁଡ଼ିଆ ମରାମତି କରିପାରିଲେ ନା ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିଲା। ଗତ ବର୍ଷ ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଥିଲା। ତହସିଲ କାର୍ଯ୍ୟାଳୟରୁ କେବଳ ପଲିଥିନ ମିଳିଲା, ଯାହାକୁ ଭଙ୍ଗା କୁଡ଼ିଆରେ ଢାଙ୍କି ରହୁଛନ୍ତି। ଏବେ ପବନ ହେଲେ କିମ୍ବା ବର୍ଷା ହେଲେ ପଡୋଶୀ ଘରକୁ ଲୁଚିବାକୁ ଚାଲି ଯାଆନ୍ତି ସରୋଜିନୀ। ଘରଟିଏ ପାଇଁ ସେ ଗୁହାରି କରିଛନ୍ତି ସରପଞ୍ଚଙ୍କଠାରୁ ବିଡିଓ ଯାଏଁ, ହେଲେ କେହି ତାଙ୍କ ଗୁହାରି ଶୁଣିଲେନି। ତଥାପି ବୟସର ଅପରାହ୍ନରେ ଆଶା ରଖିଛନ୍ତି ସରୋଜିନୀ ତାଙ୍କ ଦୁଃଖ ଶୁଣିବେ ସରକାର, ତାଙ୍କୁ ଘରଟିଏ ମିଳିବ ବୋଲି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଆବାସ ଯୋଜନାରେ ସାମିଲ ହେଉଛନ୍ତି କେଉଁମାନେ ? ସରୋଜିନୀଙ୍କ ପରି ଅସହାୟ ଗରିବ ମହିଳା ଯାହାର କେହି ନାହିଁ, ସେ କ’ଣ ଏକ ଘର ପାଇବା ପାଇଁ ଯୋଗ୍ୟ ନୁହନ୍ତି କି? ଏନେଇ ଜୟପାଟଣା ବିଡିଓଙ୍କ ମତାମତ ମିଳିନାହିଁ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories