www.samajalive.in
Sunday, December 14, 2025
14.1 C
Bhubaneswar

ଅହିଂସା ରଥକୁ ଆଠଗଡରେ ଭବ୍ୟ ସ୍ୱାଗତ

ଆଠଗଡ : ଅଗଷ୍ଟ ୧୫ତାରିଖରୁ ରାଜ୍ୟବ୍ୟାପୀ ପରିକ୍ରମା କରୁଥିବା ଅହିଂସା ରଥକୁ ଆଠଗଡରେ ଭବ୍ୟ ସ୍ୱାଗତ କରାଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଏବଂ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧିନତାର ଉଚ୍ଛ୍ୱାସ “ଅହିଂସା ରଥ” ପରିକ୍ରମାକୁ ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ । ଗୁରୁବାର ଆଠଗଡ ବ୍ଲକର ଧବଳେଶ୍ୱରଠାରେ ଅହିଂସା ରଥ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱାଗତ କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଅହିଂସା ରଥ ଆଠଗଡ ଅଭିମୁଖେ ଆସିବା ବାଟରେ ଦହିସରା, କରିକୋଲ, କନ୍ତୋଲ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ଅହିଂସା ରଥ ଉପରକୁ ପୁଷ୍ପବୃଷ୍ଟି କରି ମହାତ୍ମା ଗାନ୍ଧି ଅମର ରହେ ଧ୍ୱନି ସହିତ ସ୍ୱାଗତ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅହିଂସା ରଥ ସହିତ ଆଠଗଡ ସହରରେ ପ୍ରବେଶ କରିବା ସମୟରେ କନ୍ତୋଲ ଠାରେ ଅଚ୍ୟୁତାନନ୍ଦ ବିଦ୍ୟାପୀଠ, କନ୍ତୋଲ ନୋଡାଲ ଉପ୍ରା ସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ବହୁଲୋକ ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇ ସ୍ୱାଗତ କରିଥିଲେ । ଝରଣଛକଠାରେ ଗୋପବନ୍ଧୁ ମହିଳା କଲେଜ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ରାସରସିକପୁର ୟୁଜିୟୁପି ସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ଗୋପବନ୍ଧୁ ଛକ ନିକଟରେ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ବିଶ୍ୱନାଥ ବିଦ୍ୟାପୀଠ, ଗୋପବନ୍ଧୁ ବିଜ୍ଞାନ କଲେଜ ଆଦି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ବଜାର କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅହିଂସା ରଥ ପହଞ୍ଚିବା ପରେ ସେଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ୱଜିତ୍‍ ଓ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗାନ୍ଧିଙ୍କର ବିଚାରଧାରା ଓ ଅହିଂସା ନୀତିର ପ୍ରାସଙ୍ଗିକତା ଏବେ ବି ରହିଛି ଏବଂ ଭବିଷ୍ୟତରେ ରହିଥିବ ବୋଲି ମତବ୍ୟକ୍ତ କରିଥିଲେ। ଗାନ୍ଧିଙ୍କର ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହେବା, ସାଂପ୍ରଦାୟିକ ସଦ୍‍ଭାବ ବଜାୟ ରଖିବା, ଜାତିପ୍ରଥା ବିଲୋପ ଓ ଅସ୍ପୃଶ୍ୟତା ନିବାରଣ ଆଦି ବ୍ରତକୁ କାର୍ଯ୍ୟରେ ଲଗାଇବା ଆମସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ଦୁଇ ବକ୍ତା ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏବେ ଗାନ୍ଧିଦର୍ଶନକୁ ମାରିଦେବା ପାଇଁ ଯେଉଁ ବିଫଳ ପ୍ରୟାସ କରାଯାଉଛି ତାହା ଆଦୌ ଦେଶପାଇଁ ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ କରିବା ସହ ଗାନ୍ଧିବାଦ ବଞ୍ଚିଛି ଓ ବଞ୍ଚିରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଗାନ୍ଧିଙ୍କ ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହୋଇ ଘୃଣା ଓ ବିଦ୍ୱେଶ ଭାବ ପରିହାର କରି ଭାତୃତ୍ୱ ଭାବ ବଜାୟ ରଖିବା ଲାଗି ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ତହସିଲଦାର ପ୍ରିୟବ୍ରତ ଦାସ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ଯୋଗଦେଇ ଉଦବୋଧନ ଦେଇଥିଲେ । ରଥକୁ ସ୍ୱାଗତ କରିବା ସମୟରେ ପାରମ୍ପରିକ ଲୋକକଳା, ଘୋଡାନାଚ, ଦଣ୍ଡନୃତ୍ୟ ଓ ବହୁ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ ପରିବେଷଣ ଦ୍ୱାରା ଆଠଗଡ ସହରାଞ୍ଚଳ କମ୍ପିଥିଲା। ପ୍ରାରମ୍ଭରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାଧିକାରୀ ନାରାୟଣ ଦାଶଙ୍କ ରଚିତ ଓ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରମାନେ ଗାନ୍ଧିଙ୍କ ଅହିଂସା ନୀତି ଉପରେ ପର୍ଯ୍ୟବେଶିତ ମିଳିତ କଣ୍ଠସଂଗୀତ ପରିବେଷଣ କରିଥିଲେ। ସାମ୍ବାଦିକ ସତ୍ୟପ୍ରକାଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାର ଶେଷ ପର୍ଯ୍ୟାୟରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories