କ୍ରୋଏସିଆରୁ ଇଣ୍ଡୋନେସିଆ
ଉପେନ୍ଦ୍ର ବିଶ୍ବାଳ
ଗତ ଫୁଟବଲ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଫ୍ରାନ୍ସ ଓ କ୍ରୋଏସିଆ। ଦୁର୍ଯୋଗବଶତଃ କ୍ରୋଏସିଆ ହାରିଥିଲା ସିନା, କିନ୍ତୁ ବିଶ୍ୱ ସମୁଦାୟଙ୍କ ହୃଦୟ ଜିଣିବାରେ ତଥା ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଥିଲା। ଟିକି ଦେଶଟି, ଅଥଚ ବପୁବନ୍ତ, ବଳବନ୍ତ ଦେଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବାଜିମାତ କରି ପହଞ୍ଚିଥିଲା ଫାଇନାଲରେ, ଯାହା ଥିଲା ଅତୀବ ଆଶ୍ଚର୍ଯ୍ୟର ବିଷୟ। କେବଳ ଏଇଠି ନୁହେଁ, ଅନେକ କ୍ଷେତ୍ରରେ ମଧ୍ୟ କ୍ରୋଏସିଆ ଦେଖାଇ ଚାଲିଛି ତାର ସାମର୍ଥ୍ୟକୁ। ଜାହିର କରିଚାଲିଛି ପାରିବାପଣିଆକୁ। ଟିକେ େଫରି ଚାହାନ୍ତୁ ଗତ ଅଲିମ୍ପିକ ପ୍ରତିଯୋଗିତାକୁ। ପଦକ ତାଲିକାରେ ଥିବା ୮୦ରୁ ଊର୍ଦ୍ଧ୍ବ ଦେଶ ମଧ୍ୟରେ ସେ ଥିଲା ଶୀର୍ଷ ୧୭ତମ ସ୍ଥାନରେ। ଭାରତଠାରୁ ତ ଯଥେଷ୍ଟ ଆଗରେ। ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ୍ ପଦକ ମିଶାଇ ମୋଟ ୧୦ଟି ହାତେଇ ଥିଲା ବେଳେ ଭାରତ ଗୋଟାଇ ଥିଲା ସର୍ବମୋଟ ୨ଟି (୧ଟି ରୌପ୍ୟ ଓ ୧ଟି ବ୍ରୋଞ୍ଜ)। ଆଉ ଟିକେ ଚାଲନ୍ତୁ ଦେଖିବା ତା’ ଜନ୍ମଲଗ୍ନକୁ ଓ ଭୋଗିଥିବା ଯନ୍ତ୍ରଣାକୁ। ଯୁଗୋସ୍ଳୋଭିଆ ସେନାର ଗୁଳିଗୋଳା, ବୋମା ବର୍ଷଣରେ ଭୟଙ୍କର ଭାବେ ଆକ୍ରାନ୍ତ ହୋଇଥିଲା ସେ। କ୍ଷତାକ୍ତ, ରୁଧିରାକ୍ତ ସମଗ୍ର ମାଟି। ସ୍ୱାଧୀନତା ପାଇଁ ଲଢ଼ୁଥିବା ପ୍ରାୟ ୨୦୦୦ରୁ ଅଧିକ ସହିଦଙ୍କ ସମାଧି ଉପରେ ଶେଷରେ ଛିଡ଼ା ହେଲା ସେ। ଲକ୍ଷଲକ୍ଷ ଲୋକ ଆହତ, ଲକ୍ଷାଧିକ ଲୋକ ବାସହରା, ଭୂମିହରା ହୋଇ ଶରଣାର୍ଥୀ ସାଜିଲେ। ଯୁଗୋସ୍ଲାଭିଆର ପ୍ରଚଣ୍ଡ ଆକ୍ରମଣରେ ବିପର୍ଯ୍ୟସ୍ତ ହୋଇ ଯାଇଥିଲା ତା’ର ସାମାଜିକ ସ୍ଥିତି ଓ ଅର୍ଥ ବ୍ୟବସ୍ଥା। ଶେଷରେ ଜାତିସଂଘ ସମେତ ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ହସ୍ତକ୍ଷେପ, ଶତାଧିକ ନୋବେଲ ପୁରସ୍କାରପ୍ରାପ୍ତ ମନୀଷୀଙ୍କ ଅନୁରୋଧ କ୍ରମେ ପ୍ରଶମିତ ହୋଇଥିଲା ଆକ୍ରମଣ। ପାଇଲା ସେ ସ୍ୱାଧୀନତା ୧୯୯୧ରେ ଓ ଆନ୍ତର୍ଜାତିକ ସ୍ୱୀକୃତି ପାଇଲା ୧୯୯୨ରେ। ଏହିପରି ବିକଳାଙ୍ଗ ଓ ପଙ୍ଗୁପ୍ରାୟ ଆର୍ଥିକ ସ୍ଥିତିକୁ ନେଇ ସୃଷ୍ଟି ହେଲା ୪୧ଲକ୍ଷ ଜନସଂଖ୍ୟାବିଶିଷ୍ଟ କ୍ରୋଏସିଆ। ମାଟି ତଳେ ସମ୍ବଳ ନଥାଇ ବି ଏତେଟା ଗରିବୀ ନାହିଁ, ଯେତିକି ଅଛି ଭାରତରେ। ମାଟିର ମଣିଷମାନେ ଅତ୍ୟନ୍ତ ପରିଶ୍ରମୀ, ଶୃଙ୍ଖଳିତ। ମାର୍ଜିତ ଜୀବନଶୈଳୀକୁ ନେଇ ଜିଅନ୍ତି ସେମାନେ। ଆଜିର ଦିନରେ ମାତ୍ର ୨୦ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲାବେଳେ ମାତ୍ର ୯.୨ ଭାଗ ଲୋକ ବେରୋଜଗାର। ମାତ୍ର ଭାରତରେ ? ହସ୍ତୀକାୟ ବିଶାଳ ଦେଶ ଭାରତର ଭୂମିରେ ପ୍ରଚୁର ପ୍ରାଚୁର୍ଯ୍ୟ ଭରି ରହିଥିଲାବେଳେ ଧନ ଓ ଜନବଳ ଭରି ରହିଥିଲାବେଳେ ଆମେ ଆଜି ପର୍ଯ୍ୟନ୍ତ ଯୋଗ୍ୟତା ହାସଲ କରିପାରିଲୁ ନାହିଁ ଫୁଟବଲ ବିଶ୍ୱକପରେ।
ଯେଉଁ ମାଟିର ମଣିଷ ଯେତିକି ମାଟିମନସ୍କ, ସେ ମାଟିର ମାନ-ମହତ ସେତିକି ଊର୍ଦ୍ଧ୍ବରେ। ସେ ମାଟି ସେତିକି ମହିମାନ୍ୱିତ ଓ ଗୌରବାନ୍ୱିତ। ମାଟି ମାଆ ପ୍ରତି ସମର୍ପିତ ଭାବନା ହିଁ ଯେ କୌଣସି ରାଷ୍ଟ୍ର ଓ ଜାତିକୁ ଉପରକୁ ଉଠାଇଥାଏ ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି କ୍ରୋଏସିଆ। ଇସ୍ରାଏଲ, ଜାପାନ, ଡେନମାର୍କ, ନରୱେ, ସୁଇଡେନ, କାନାଡ଼ା, ନେଦରଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ ଆଦି ଦେଶ ମଧ୍ୟ, ଯେଉଁଥିପାଇଁ ସେଠାରେ ନୋବେଲ ବିଜୟୀ ଓ ଅଲିମ୍ପିକ ବିଜୟୀଙ୍କ ଭିଡ଼ ଦେଖିବାକୁ ମିଳେ। ନୋବେଲ ପଦକ ହାତେଇଥିବା ଇସ୍ରାଏଲ(୧୨), ଜାପାନ(୨୬), ଡେନମାର୍କ(୧୪), ନରୱେ(୧୩), ସୁଇଡେନ(୩୦), ନେଦରଲ୍ୟାଣ୍ଡ(୨୦), ସୁଇଜରଲ୍ୟାଣ୍ଡ(୨୬) ଆଦି କ୍ଷୁଦ୍ରରୁ ଅତିକ୍ଷୁଦ୍ର ଦେଶଗୁଡିକ ଆଜି ଅନେକ ସମ୍ମାନର ଅଧିକାରୀ।
ଆସନ୍ତୁ ଦେଖିବା ପଡୋଶୀ ଦେଶ ଇଣ୍ଡୋନେସିଆକୁ। ମାତ୍ର ୨୬ କୋଟି ଲୋକସଂଖ୍ୟା ବିଶିଷ୍ଟ ଏହି ଦେଶ ନିକଟରେ ସମାପ୍ତ ହୋଇଥିବା ଏସିଆଡ୍ ଗେମରେ ୩୧ଟି ସ୍ୱର୍ଣ୍ଣ, ୨୪ଟି ରୋୖପ୍ୟ, ୪୩ ଟି ବ୍ରୋଞ୍ଜ ସହିତ ମୋଟ ୯୮ଟି ପଦକ ପାଇ ମହିମାନ୍ବିତ। ଯେଉଁଠି ୧୩୦ କୋଟିର ବିଶାଳ ଦେଶ ଭାରତ ସର୍ବକାଳୀନ ରେକର୍ଡକରି ପାଇଛି ୧୫ଟି ସ୍ୱର୍ଣ୍ଣ, ୨୪ଟି ରୋୖପ୍ୟ, ୩୦ଟି ବ୍ରୋଞ୍ଜ ସହିତ ମୋଟ ୬୯ଟି ପଦକ। ସେମିତି ଗତ ଅଲିମ୍ପିକ ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୋୖପ୍ୟପଦକ ପାଇ ଭାରତଠାରୁ ଆଗରେ ଥିଲା। ଏହା ହେଉଛି ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଦେଶ। ମାତ୍ର ମୌଳବାଦ ନୁହଁ, ମାଟିର ମୌଳିକତା ଓ ମାଟିର ମହନୀୟତା ହିଁ ସେ ଦେଶର ବିଶେଷତା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ହେଉଛନ୍ତି ସେ ଦେଶର ରାଷ୍ଟ୍ରୀୟ ଆଦର୍ଶ। ଶିବଙ୍କ ଅନ୍ୟ ଏକ ରୂପ ବଟରା ଗୁରୁ ସେ ଦେଶର ରାଷ୍ଟ୍ରୀୟ ଦେବତା। ଗରୁଡ ହେଉଛି ସେ ଦେଶର ରାଷ୍ଟ୍ରୀୟ ସଂକେତ। ଶ୍ରୀରାମ କଥାମୃତ ବା ରାମାୟଣ ସେ ଦେଶରେ ପ୍ରତିଟି ଘରେଘରେ ଖୁବ ଆଦୃତ। ସେଇଥିପାଇଁ ସେ ଦେଶର ଜନତା ଶ୍ରୀରାମଙ୍କ ପରି ମାଟିମନସ୍କ ଓ ପିତୃମାତୃଭକ୍ତ। ଫଳତଃ ସେ ଦେଶର ବୟସ୍କ ନାଗରିକମାନେ ନୁହନ୍ତି ନିର୍ଯାତିତ ଅବା ଅବହେଳିତ।
ମାଟି ମାଆ ପ୍ରତି ଉତ୍ସର୍ଗୀକୃତ ଭାବନା, ମାଟିପ୍ରେମୀ ମଣିଷମାନଙ୍କ ପକ୍ଷେ ଅସମ୍ଭବ କିପରି ସମ୍ଭବ ହୋଇପାରେ ଇତିହାସର ଅନେକ ଘଟଣାରୁ ଗୋଟିଏ ନିମ୍ନମତେ। ସେତେବେଳେ ଫ୍ରାନ୍ସ ଥାଏ ଅତୀବ ଶକ୍ତିଶାଳୀ ଓ ପ୍ରାଚୁର୍ଯ୍ୟମୟୀ। ଫ୍ରାନ୍ସ ଓ ହଲାଣ୍ଡ (ନେଦରଲ୍ୟାଣ୍ଡ) ମଧ୍ୟରେ ଚାଲିଥାଏ ଘମାଘୋଟ ଲଢ଼େଇ। ଫ୍ରାନ୍ସର ଶକ୍ତିଶାଳୀ ବିଶାଳ ସେନା ବିରୁଦ୍ଧରେ ଲଢ଼ୁଥାନ୍ତି ହଲାଣ୍ଡର କତିପୟ ସେନା। ସେ ଲଢ଼େଇ ଚାଲିଥାଏ ଦିନେ କି ଦୁଇଦିନ ନୁହେଁ, ମାସେ କି ଦୁଇମାସ ନୁହେଁ। ଚାଲିଥାଏ ବର୍ଷ ବର୍ଷ ଧରି (୧୬୭୨-୧୬୭୮)। ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରୁନଥାଏ ସେ ଯୁଦ୍ଧ। ତିଳେମାତ୍ର ପଛକୁ ହଟୁ ନଥାନ୍ତି ହଲାଣ୍ଡର ସେନା, ବରଂ ଅତୀବ ବୀରତ୍ୱର ସହିତ ଲଢ଼ୁଥାନ୍ତି ସେମାନେ। ଶେଷରେ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ଫ୍ରାନ୍ସର ଶାସକ ୧୪ଶ ଲୁଇ ଏକାନ୍ତରେ ଡକାଇ ପଠାଇଲେ ତାଙ୍କର ବିଶ୍ୱସ୍ତ ମନ୍ତ୍ରୀଙ୍କୁ ଓ ପଚାରି ବୁଝିଲେ ଏହାର ରହସ୍ୟ। “ଗୋଟିଏ ଦେଶର ବିଜୟ ବା ପରାଜୟ ନିର୍ଭର କରେନା ସେ ଦେଶର ବିଶାଳତା ଅବା ବିଭବ ଉପରେ। ସଫଳତା ବା ସାମର୍ଥ୍ୟ ବରଂ ନିର୍ଭର କରେ ସେ ଦେଶର ଲୋକ ମାନସିକତା ଉପରେ। ହଲାଣ୍ଡର ପ୍ରତିଟି ସନ୍ତାନ ଜନ୍ମମାତ୍ରେ ହିଁ ମାଟିମନସ୍କ ଓ ମାଟି ମାଆ ପ୍ରତି ସମର୍ପିତ। ଦେଶ ପାଇଁ ଲଢ଼ି ସହିଦ ହେବା ତ ଅତୀବ ଗୌରବର ବିଷୟ ତାଙ୍କ ପାଇଁ ଯେଉଁଥିପାଇଁ କି ପ୍ରାଣକୁ ବାଜି ଲଗାଇ ହଲାଣ୍ଡର ସେନା ଲଢ଼ୁଛନ୍ତି ବୀର ବିକ୍ରମରେ ଆମ ବିରୁଦ୍ଧରେ” ଉତ୍ତର ରଖିଲେ ମହାମନ୍ତ୍ରୀ। ଶେଷରେ ନିଜ ସେନାକୁ ପଛକୁ ହଟାଇ ଆଣିଥିଲା ଫ୍ରାନ୍ସ। କ୍ରୋଏସିଆରୁ ଇଣ୍ଡୋନେସିଆ, ନେଦରଲାଣ୍ଡରୁ ସୁଇଜରଲାଣ୍ଡ ପର୍ଯ୍ୟନ୍ତ ପ୍ରତିଟି ଦେଶର ମର୍ଯ୍ୟାଦା ବୃଦ୍ଧି ପାଇଁ ଲୋଡ଼ା ଏହିପରି ପ୍ରଚଣ୍ଡ ରାଷ୍ଟ୍ରବୋଧ। ଭାରତର ବିଫଳତାର ପ୍ରମୁଖ କାରଣ ହେଉଛି ଗଭୀର ରାଷ୍ଟ୍ରପ୍ରେମର ଅଭାବ। ଯାହାବି ହେଉ ଦେଶର ସୌରଭ ଓ ଗୌରବ ବୃଦ୍ଧି ପାଇଁ ଦେଶପ୍ରେମର ଦୀପ ଜାଳିବା ସହିତ ଲୋଡ଼ା ମାଟିର ମହାମନ୍ତ୍ର – ଏମିତି କିଛି କାମ କରିବୁ ନାହିଁ ଯାହା ଫଳରେ କି ମାଟି ମାଆର କ୍ଷତି ହେବ। ଜିଇବୁ ତ ଜାତି ପାଇଁ, ମରିବୁ ତ ମାଟି ପାଇଁ।
ସଜନାଗଡ, ନୀଳଗିରି, ବାଲେଶ୍ୱର
[email protected]