ବୋହୂର ମାନ୍ୟତା ଦାବୀରେ ପ୍ରେମିକ ଘର ଆଗରେ ପ୍ରେମିକାଙ୍କ ଧାରଣା
ଦେବଗଡ଼: ବୋହୂ ମାନ୍ୟତା ଦାବୀରେ ଜଣେ ଯୁବତୀ ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମରେ ପ୍ରତାରକ ପ୍ରେମିକଙ୍କ ଘରର ଦ୍ୱାର ମୁହଁରେ ଧାରଣାରେ ବସିଥିବା ଜଣାପଡ଼ିଛି। ଯୁବତୀ ଜଣକ ଗତକାଲିଠାରୁ ସେଠାରେ ଧାରଣାରେ ବସି ରହିଥିଲେ ମଧ୍ୟ ତାଙ୍କୁ ବୋହୂର ମାନ୍ୟତା ମିଳିବା ଦୂରର କଥା ପ୍ରେମିକ ଜଣକ ଘର ଛାଡି କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେହିପରି ସିନ୍ଥିରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ବୋହୂର ମାନ୍ୟତା ନଦେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଧାରଣାରତ ଯୁବତୀ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘବର୍ଷ ହେଲା ବାବରାକୋଟ ଗ୍ରାମର ବେଣୁଧର ସାହୁଙ୍କ ପୁଅ ସଞ୍ଜୟ ସାହୁ ଓ ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗ୍ରାମର ନୀଳମଣି ସାହୁଙ୍କ ଝିଅ ଅଲି ସାହୁଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏହି କ୍ରମରେ ୨୦୧୯ ମସିହାରେ ସଞ୍ଜୟ ହିତସରା ଗ୍ରାମ ସ୍ଥିତ ଅଲିଙ୍କ ଘରେ ପଶି ତାଙ୍କ ସହ ଶାରୀରୀକ ସମ୍ପର୍କ ସ୍ଥାପନ ସମୟରେ ଧରାପଡ଼ି ଦୁଷ୍କର୍ମ ଅଭିଯୋଗରେ ରେଢାଖୋଲ ଜେଲରେ ଥିଲେ। ମାତ୍ର ସଞ୍ଜୟ, ଅଲି ଏବଂ ତାଙ୍କ ପରିବାର ଲୋକଙ୍କୁ ବୁଝାଇ ସୁଝାଇ ବିବାହ ପାଇଁ ପ୍ରତିଶ୍ରୁତି ଦେବାରୁ ଅଲିଙ୍କ ପରିବାର ଲୋକେ କୋହଳ ମନୋଭାବ ପୋଷଣ କରିଥିଲେ ଓ ସଞ୍ଜୟ ଜେଲରୁ ବାହାରିଥିଲେ। ଏହାପରେ ସଞ୍ଜୟ ଅଲିଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ସହ କୁଆଡେ ଘର ନିର୍ମାଣ ଏବଂ ଦୋକାନର ଉନ୍ନତିକରଣ ପାଇଁ ଟଙ୍କା ମାଗିବାରୁ ଅଲି ଇତି ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଥିଲେ। ଏହି ଟଙ୍କା ସେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସଞ୍ଜୟଙ୍କୁ ପ୍ରଦାନ କରିଥିବା ଅଲି ପ୍ରକାଶ କରିଛନ୍ତି। ମାତ୍ର ଘର ନିର୍ମାଣ ଓ ଦୋକାନର ଉନ୍ନତିକରଣ ପରେ ସଞ୍ଜୟ ତାଙ୍କୁ ବିବାହ କରିବା ପରିବର୍ତ୍ତେ ଧରା ଛୁଆଁ ଦେଇନଥିଲେ। ଏପରିକି ଅଲି ଫୋନ କଲେ ମଧ୍ୟ ସଞ୍ଜୟ ରିସିଭ୍ କରୁନଥିଲେ। ଫଳରେ ଅଲି ବ୍ୟକ୍ତିଗତ ଭାବେ ସଞ୍ଜୟଙ୍କୁ ସାକ୍ଷାତ କରି ବିବାହ ପାଇଁ ଜିଦ ଧରିଥିଲେ ମଧ୍ୟ ସଞ୍ଜୟ ନାନା ଆଳ ଦେଖାଇ ବିବାହ ପାଇଁ ମନା କରିଦେଇଥିଲେ। ଫଳରେ ଅଲି ପ୍ରତାରଣାର ଶିକାର ହୋଇଥିବା ଜାଣିପାରି ପ୍ରତାରକ ପ୍ରେମିକ ସଞ୍ଜୟଙ୍କ ଘର ସମ୍ମୁଖରେ ଧାରଣାରେ ବସିବାକୁ କଠୋର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଅଲି ଗତକାଲି ଅପରାହ୍ନରେ ନିଜର ଭାଉଜ ଏବଂ ସମ୍ପର୍କୀୟମାନଙ୍କ ସହ ବାବରାକୋଟ ଗ୍ରାମକୁ ଆସି ପ୍ରେମିକ ସଞ୍ଜୟ ଏବଂ ତାଙ୍କ ମାଆଙ୍କ ସହ ଆଲୋଚନା କରି ଅଲିଙ୍କୁ ବୋହୂର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଏଥିରେ ରାଜି ନହେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ସଞ୍ଜୟ ସେଠାରୁ ଦୌଡି ଫେରାର ହୋଇଯାଇଥିଲେ। ଫଳରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅଲି ସଞ୍ଜୟଙ୍କ ଦ୍ୱାର ମୁହଁରେ ଧାରଣା ଆରମ୍ଭ କରିଥିଲେ। ଏନେଇ ସଞ୍ଜୟ ନିକଟରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତା ଅଲିଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସଞ୍ଜୟ ତାଙ୍କୁ ସ୍ତ୍ରୀର ମାନ୍ୟତା ନଦେବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ରୋକଠୋକ ଉତ୍ତର ଦେଇଥିଲେ।
ଅନ୍ୟପକ୍ଷରେ ଗତକାଲି ଅପରାହ୍ନରୁ ଅଲି ସଞ୍ଜୟଙ୍କ ଦ୍ୱାର ମୁହଁରେ ବସିରହିଥିବା ବେଳେ ଆଜି ଅପରାହ୍ନ ପର୍ଯ୍ୟନ୍ତ ଅନ୍ନ ଛୁଇଁନଥିବା ଆମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ପ୍ରେମିକଙ୍କୁ ପ୍ରତାରକ ଦର୍ଶାଇବା ଏବଂ ବୋହୂର ମାନ୍ୟତା ଦାବୀରେ ପ୍ରେମିକଙ୍କ ଘର ସମ୍ମୁଖରେ ଏଭଳି ଜଣେ ଯୁବତୀ ଧାରଣା ଦେବା ଘଟଣା ଆଜି ସମଗ୍ର ଦେବଗଡ଼଼ ଜିଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଛି।
Comments are closed.