ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗ୍ରାମର ପୁରନ୍ଦର ନାଏକ ନାମକ ବ୍ୟକ୍ତି ମଦ ପିଇ ନିଶାସକ୍ତ ହୋଇ ଆସି ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରକୁ ଜାଳିପୋଡି ପାଉଁଶ କରିଦେଇଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକଙ୍କ ସହିତ ଝଗଡ଼ା ଲାଗୁଥିବା ଓ ଜୀବନରେ ମାରିଦେବାର ଧମକ ଦେଉଥିବା ଯୋଗୁଁ ପରିବାର ଲୋକ ପଡ଼ିଶା ଘରେ ଶୁଅନ୍ତି । ଘରେ ପରିବାର ଲୋକ ଶୋଇଥିଲେ ପରିସ୍ଥିତି ଗୁରୁତର ହୋଇଥାନ୍ତା। ଘରଟି ସାହିରୁ ଟିକିଏ ଦୂରରେ ଥିବା ସହିତ ରାତିରେ ଘର ପୋଡିବା ଯୋଗୁଁ ଲୋକମାନଙ୍କ ନଜରକୁ ଆସି ପାରିନଥିଲା। ଯେତେବେଳେ ଲୋକଙ୍କ ଦୃଷ୍ଟିକୁ ଆସିଥିଲା, ସେତେବେଳେ ଘରେ ଥିବା ସମସ୍ତ ଆସବାବପତ୍ର ସହିତ ବାକ୍ସରେ ଥିବା କିଛି ଟଙ୍କା ଏବଂ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଥିଲା। ସେହି ସାହିରେ ପ୍ରବଳ ମାତ୍ରାରେ ଚୋରା ମହୁଲି ବିକ୍ରି ହେଉଥିବା ଯୋଗୁଁ ଏମିତି ଅନେକ ଅଭାବନୀୟ ଘଟଣା ନଜରକୁ ଆସୁଛି। ଚୋରା ମହୁଲି ବେପାରୀ ଖୁଲମ ଖୁଲା ମହୁଲି ବିକ୍ରି କରି ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇ ସାହିରେ କେତେ କେତେ ଯେ ଅଘଟଣ ଘଟିଯାଉଛି ତାହା ହିସାବ ବାହାରେ। ନୂଆଗାଁ ଗ୍ରାମରେ ଚୋରା ମହୁଲି ବିକ୍ରି ନେଇ ଅନେକ ଅଭିଯୋଗ ହୋଇଥିବା ବେଳେ ଅବକାରୀ ବିଭାଗ ବିଫଳ ହୋଇଛି। ତେଣୁ ଅବକାରୀ ବିଭାଗ ତଥା ପ୍ରଶାସନ ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଲେ ମଦ୍ୟପମାନଙ୍କ ପ୍ରଭାବ କମିବା ସଙ୍ଗେ ସଙ୍ଗେ ଅନେକ ପରିବାର ମଦ୍ୟପ ଦାଉରୁ ବଞ୍ଚି ପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।
Popular Categories



