www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମବଙ୍ଗ ମୁହାଁଇଲା ତିତଲି

ଭୁବନେଶ୍ୱର: ମହାବାତ୍ୟା ‘ତିତଲି’ର ତାଣ୍ଡବ ଆଶଙ୍କା ଆପାତତଃ ଟଳି ଯାଇଛି। ‘ତିତଲି’ କ୍ରମଶଃ ଦୁର୍ବଳ ହୋଇ ପଶ୍ଚିମବଙ୍ଗ ମୁହାଁ ହୋଇଛି। ତେବେ ଗଜପତି ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଗଞ୍ଜାମ ଜିଲା ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାର ଉପକୂଳ ଜିଲାମାନଙ୍କରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ବନ୍ୟା ଆଶଙ୍କା ନାହିଁ ବୋଲି ଜଣାପଡ଼ିଛି।
ଗୁରୁବାର ସକାଳେ ‘ତିତଲି’ ସ୍ଥଳ ଭାଗ ଛୁଇଁବା ପରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଘଣ୍ଟାକୁ ୧୬୫ କିମି ବେଗରେ ପବନ ବହିବା ସହିତ ରୁଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ଆସିବ ବୋଲି ବିଭାଗ ସତର୍କ କରିଥିଲା। କିନ୍ତୁ ଗୁରୁବାର ସକାଳେ ଆନ୍ଧ୍ରପ୍ରଦେଶର ପଲାସା ଓ ଶ୍ରୀକାକୁଲମ୍‍ ମଧ୍ୟ ଦେଇ ‘ତିତଲି’ ଉପକୂଳ ଅତିକ୍ରମ କରିବା ପରେ କ୍ରମଶଃ ପଶ୍ଚିମବଙ୍ଗ ମୁହାଁ ହୋଇଛି। ପବନ ବେଗ ମଧ୍ୟ କମିଯାଇଛି। ତେବେ ସମୁଦ୍ର କୂଳରେ ପବନର ବେଗ ଅଧିକ ରହିଛି।
ଗୁରୁବାର ସକାଳେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ବିଷ୍ଣୁପଦ ସେଠୀ ଏକ ସମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ‘ତିତଲି’ ପ୍ରଭାବରେ ଗଜପତି ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲାର ସଦରମହକୁମା ପାରଳାଖେମୁଣ୍ଡିଠାରୁ ମୋହନା ପର୍ଯ୍ୟନ୍ତ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗଞ୍ଜାମ ଜିଲାର କେତେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯୁଦ୍ଧକାଳୀନ ଭିତତ୍ତିରେ ରାସ୍ତା ସଫା କରି ଗମନାଗମନ ବ୍ୟବସ୍ଥା ବାହାଲ କରିବାକୁ କାମ ଆରମ୍ଭ ହୋଇଛି। ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହାଇଛି। କିନ୍ତୁ କୌଣସି ନଦୀରେ ବନ୍ୟା ଭଳି ସ୍ଥିତି ଉପୁଜିନି। କୌଣସି ସ୍ଥାନରେ ଜୀବନହାନିର ସୂଚନା ନାହିଁ। କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କୁ କୁହାଯାଇଛି। ରିପୋର୍ଟ ଆସିବା ପରେ କ୍ଷତିପୂରଣ ପ୍ରଦାନ କରାଯିବ।

- Advertisement -

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୧ତାରିଖ ସକାଳ ୮ଟା ବେଳେ ଜାରି ବୁଲେଟିନ୍‍ରେ କୁହାଯାଇଛି ଯେ ବିଶାଖପାଟ୍ଟନମ, ପାରାଦୀପ ଓ ଗୋପାଳପୁରଠାରେ ଅବସ୍ଥାପିତ ଡୋପଲାର ରାଡାର ଦ୍ୱାରା ‘ତିତଲି’ର ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି। ରାଡାରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ‘ତିତଲି’ ଅତି ଭୟଙ୍କର ବାତ୍ୟାର ରୂପ ନେଇ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୧୭ କିମି ବେଗରେ ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ସ୍ଥଳ ଭାଗ ଛୁଇଁଛି। ସ୍ଥଳ ଭାଗ ଛୁଇଁବା ପରେ ଗୋପାଳପୁରଠାରେ ଘଣ୍ଟାକୁ ୧୨୬ କିମି ବେଗରେ ଏବଂ କଳିଙ୍ଗପଟ୍ଟନମ୍‍ଠାରେ ଘଣ୍ଟାକୁ ୫୯ କିମି ବେଗରେ ପବନ ବହିବାର ରେକର୍ଡ କରାଯାଇଛି। ‘ତିତଲି’ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଦିଗକୁ ଅଗ୍ରସର କରୁଛି। ଏହି ସମୟ ମଧ୍ୟରେ ପବନର ବେଗ ପାଖାପାଖି ଘଣ୍ଟା ପ୍ରତି ୬୦ ରୁ ୧୦୦ କିମି ମଧ୍ୟରେ ରହିବ। ଆସନ୍ତା କାଲି ଅର୍ଥାତ୍‍ ୧୨ ତାରିଖ ସକାଳ ସୁଦ୍ଧା ‘ତିତଲି’ ଦୁର୍ବଳ ହେବା ସହିତ ପବନର ବେଗ କମିବ ବାତ୍ୟା ଆଶଙ୍କା ଟଳିଯିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories