ପାଟଣା: ଜୀବନରେ କିଛି ଭିନ୍ନ ଏବଂ ଦୁଃସାହସିକ କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ରହିଥିଲା । ସେଥିପାଇଁ ସେ ସବୁବେଳେ ଉଦ୍ୟମ ଚଳାଇଥିଲେ । ଅଦ୍ୟମ ଇଚ୍ଛା ଶକ୍ତି ସହ ପ୍ରଚେଷ୍ଟା ଆଜି ତାଙ୍କୁ ଆଣିଦେଇଛି ସଫଳତା । କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଶିକ୍ଷକ ଶ୍ୟାମ ସୁନ୍ଦର ମହାନ୍ତ ଓ ଶକୁନ୍ତଳା ମହାନ୍ତଙ୍କ ପୁତ୍ର ଜଗନ୍ନାଥ ମହାନ୍ତ । ଓଡ଼ିଶାର ଏକ ମାତ୍ର ପ୍ରତିଯୋଗୀ ଭାବେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ କେଦାରକଣ୍ଠ ପାହାଡ଼ ଶୀର୍ଷରେ ପହଞ୍ଚି ସେଠାରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ସମଗ୍ର ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ନିକଟରେ ଭାରତୀୟ ଦୁଃ ସାହସିକ ସଂସ୍ଥାନ(ଆଇ.ଏ.ଏଫ ) ସର୍ବଭାରତୀୟ ସ୍ତରରୁ ତିରିଶଜଣଙ୍କୁ ନେଇ କେଦାରକଣ୍ଠଠାରେ ଜାତୀୟ ପର୍ବତା ରୋହାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗତ ୨୦୨୧ ମସିହା ତିରିଶ ଡିସେମ୍ବର ଠାରୁ ଚଳିତ ବର୍ଷ ୪ ଜାନୁଆରୀ ପର୍ଯ୍ୟନ୍ତ ଏହା ଚାଲିଥିଲା । ଚଳିତ ଜାନୁଆରୀ ୩ ତାରିଖ ସୂର୍ଯ୍ୟଦୋୟ ପୂର୍ବରୁ ସମସ୍ତ ପ୍ରତିଯୋଗୀ ହିମାଳୟ ପର୍ବତମାଳାର ୧୨ ହଜାର ୫ ଶହ ଫୁଟ୍ ଉଚ୍ଚ କେଦାରକଣ୍ଠ ଶୀର୍ଷରେ ପହଞ୍ଚିଥିଲେ । ବିଯୁକ୍ତ ୧୬ ଡିଗ୍ରୀ ତାପମାତ୍ରାରେ ରହି ୨୮୦ ଫୁଟ୍ ଲମ୍ବର ଜାତୀୟ ପତାକା ଉଡ଼ାଇ ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି ।
ପ୍ରତିଯୋଗୀ ମାନେ ତାଙ୍କର ଏହି କାର୍ଯ୍ୟ ପାଇଁ ” ୱାଲ୍ଡ ୱାଇଡ୍ ବୁକ୍ ଅଫ୍ ରେକର୍ଡସ୍ – ୨୦୨୨ ” ରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡ଼ିଆ ପୁଅ ଭାବେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସଫଳତାର ସହ ପର୍ବତ ଆହୋରଣ କରି ଶ୍ରେଷ୍ଠ ଦଶଜଣ ଙ୍କ ମଧ୍ୟରୁ ନବମ ସ୍ଥାନ ଅଧିକାର କରିଥିଲେ ଜଗନ୍ନାଥ । ସେ ଏହା ପୂର୍ବରୁ ମଧ୍ୟ ଏକାଧିକ ରେକର୍ଡର ଅଧିକାରୀ ହୋଇ କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ଆଣିଛନ୍ତି । ବିଶ୍ଵ ମହାମାରୀ କୋରାନା ସମୟରେ” ଇଣ୍ଟର ନେସନାଲ ବୁକ୍ ଅଫ୍ ରେକର୍ଡସ୍ ” , “ୟୁନିଭର୍ସିଆଲ ବୁକ୍ ଅଫ୍ ରେକର୍ଡସ୍ “, ଏବଂ ” ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ ” ରେ ନିଜ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି । କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ” ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ୨୦୨୦-୨୧ ” , ” ଗ୍ଲୋବାଲ ଚେଞ୍ଜ୍ ମେକର ଆୱାର୍ଡ଼- ୨୦୨୧ ” ,” ପ୍ରାଇଡ ଓଫ୍ ୟଙ୍ଗହିନ୍ଦୁସ୍ତାନ ଆୱାର୍ଡ଼ -୨୦୨୧” ରେ ସମ୍ମାନିତ କରାଯାଇଥିଲା ।
ସୂଚନା ଯୋଗ୍ୟ ଚଳିତ ବର୍ଷ ତାଙ୍କୁ ଜୁଲାଇ ୨୮ ତାରିଖ ଉତ୍ତର ପ୍ରଦେଶର ସାହରନପୁର୍ ଉତ୍ତରପ୍ରଦେଶ ଠାରେ ” ୟୁବା ଗୌରବ ପୁରସ୍କାର -୨୦୨୨” ପ୍ରଦାନ କରାଯିବ । ପିଲାଦିନରୁ କିଛି ଭିନ୍ନ କରିବାର ଇଚ୍ଛା ରଖିଥିବା ଜଗନ୍ନାଥ ପାଠ ପଢା ସହିତ ପର୍ବତାରୋହଣ ପ୍ରତି ଇଚ୍ଛା ପ୍ରକାଶ କରିଥିଲେ । ଭାରତୀୟ ଦୂଃସାହସିକ ସଂସ୍ଥାନ ରେ ଜଗନ୍ନାଥ ୨୦୧୬ ମସିହା ଠାରୁ ପ୍ରଶିକ୍ଷଣ ନେଇଆସୁଛନ୍ତି । ଉକ୍ତ ସଫଳତା ପାଇଁ ତାଙ୍କୁ ପାରିବାରିକ ଲୋକଙ୍କ ପ୍ରେରଣା ଆଗକୁ ବଢ଼ିବାରେ ଉତ୍ସାହିତ କରି ଆସିଛି ବୋଲି ଜଗନ୍ନାଥ କହିଛନ୍ତି। ସେ ଆଗାମୀ ଦିନରେ ଏଭରେଷ୍ଟ ପର୍ବତ ଆରୋହଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି । ଜଗନ୍ନାଥଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଓ ଛୁଟୁଛି । ସେ ଏହି ସଫଳତାର ଶ୍ରେୟ ନିଜ ଗୁରୁ ଏବଂ ମାତାପିତାଙ୍କ ସହ ସମସ୍ତ ସାଙ୍ଗ ସାଥିଙ୍କୁ ଦେଇଛନ୍ତି ।
Comments are closed.