www.samajalive.in
Saturday, December 13, 2025
17.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ, କାମରେ ଲାଗୁନି ୮କୋଟି ଟଙ୍କାର ପ୍ରକଳ୍ପ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ୬ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ ଏହାକୁ ଉଦ୍‍ଘାଟନ କରାଯାଇନାହିଁ। ଫଳରେ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ସ୍ୱପ୍ନ କେବେ ବାସ୍ତବ ରୂପ ନେବ ତାହା ଏବେ ସନ୍ଦିହାନ।
ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଉଦ୍ୟମ କ୍ରମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୁରାଲ ଟୁରିଜିମ୍‍ ପ୍ରୋଜେକ୍ଟରେ ପିପିଲି ବଜାର ଉପକଣ୍ଠ ଜାତୀୟ ରାଜପଥ କଡରେ ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ନିର୍ମାଣ କରାଯାଇଥିଲା। ୨୦୦୭ ମସିହା ଜୁଲାଇ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୮କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବା ସୂଚନା ମିଳିଛି। ୨୦୧୬ ମସିହାରୁ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଛି। ତେବେ ଇତି ମଧ୍ୟରେ ୬ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ଉଦ୍‍ଘାଟନ କରାଯାଇନାହିଁ। ଏହି ହସ୍ତଶିଳ୍ପ ଗ୍ରାମରେ ୩୦ଟି ଅତ୍ୟାଧୁନିକ ଦୋକାନ ଗୃହ ଥିବା ବେଳେ ପ୍ରଶାସନିକ ଭବନ, ସୂଚନାକେନ୍ଦ୍ର ଆଦି ରହିଛି। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ପିପିଲି ଚାନ୍ଦୁଆ ପ୍ରତି ଆକର୍ଷିତ କରିବା ପାଇଁ ସେଠାରେ ଚାନ୍ଦୁଆ ତିଆରି ସହ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଥିଲା। ପର୍ଯ୍ୟଟକଙ୍କ ପାଇଁ ବିସୃତ ଅଞ୍ଚଳରେ ଗାଡି ପାର୍କିଂ ବ୍ୟବସ୍ଥା ସହ ଅତ୍ୟାଧୁନିକ ଶୌଚାଳୟ ଓ ଭୋଜନାଳୟର ବ୍ୟବସ୍ଥା ମଧ୍ୟ ସେଠାରେ କରାଯିବାକୁ ଯୋଜନା ରହିଥିଲା।

ଏହି ହସ୍ତଶିଳ୍ପ ଗ୍ରାମ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର ଅଧିକ ପ୍ରଚାର ପ୍ରସାର ହେବା ସହ ଚାନ୍ଦୁଆ କାରିଗରଙ୍କ ଜୀବିକା ନିର୍ବାହରେ ଏହା ବେଶ୍‍ ସହାୟକ ହେବ ଓ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଥିଲା। ପର୍ଯ୍ୟଟନ କ୍ଷେତ୍ର ପୁରୀ ସହ ଏହି ହସ୍ତଶିଳ୍ପ ଗ୍ରାମକୁ ଯୋଡି ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ତେବେ ଅଦ୍ୟାବଧି ସେଠାରେ ଥିବା ଦୋକାନ ଗୃହ ଗୁଡିକୁ ଆବଣ୍ଟନ କରାଯାଇପାରିନାହିଁ। ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ବର୍ଷ ତଳୁ ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଫଳରେ ଏହାକୁ ନେଇ ପିପିଲିର ଚାନ୍ଦୁଆ ଶିଳ୍ପୀ, ବ୍ୟବସାୟୀ ଓ କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରକ୍ଷଣାବେକ୍ଷଣ ଅଭାବରୁ ହସ୍ତଶିଳ୍ପ ଗ୍ରାମ ପରିସର ଏବେ ବଣବୁଦାରେ ପରିଣତ ହୋଇଥିବା ବେଳେ ସେଠାରେ ନିର୍ମିତ ଘର ଗୁଡିକ ନଷ୍ଟ ହେବାକୁ ବସିଲାଣି।
ତେବେ, ଉଦ୍‍ଘାଟନ ଅପେକ୍ଷାରେ ଥିବା ଏହି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମକୁ ପୁରୀ ଜିଲାପାଳ ସମର୍ଥ ବର୍ମା ଗତ ୨୦୨୧ ଅଗଷ୍ଟ ୨୭ ତାରିଖରେ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାକୁ କିପରି ଅତି ଶିଘ୍ର କାର୍ଯ୍ୟକ୍ଷମ କରାଯିବ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ କଣ କଣ ବ୍ୟବସ୍ଥା ରହିବ ସେ ନେଇ ଜିଲାପାଳ ଉପସ୍ଥିତ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲାପାଳଙ୍କ ଗସ୍ତ ପରେ ଏହି ହସ୍ତଶିଳ୍ପ ଗ୍ରାମ ଟି କାର୍ଯ୍ୟକ୍ଷମ ହେବା ନେଇ ପିପିଲିବାସୀ ବେଶ୍‍ ଆଶାବାଦୀ ହୋଇଥିଲେ। ତେବେ, ଇତିମଧ୍ୟରେ ୧୦ ମାସ ବିତି ଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହ ସେଠାରେ ଥିବା ଦୋକାନ ଗୃହ ଗୁଡିକୁ ଚାନ୍ଦୁଆ ବ୍ୟବସାୟୀ ଓ କାରିଗରଙ୍କୁ ଆବଣ୍ଟନ କରିବା ପାଇଁ ଚାନ୍ଦୁଆ ବ୍ୟବସାୟୀଙ୍କ ମହଲରୁ ଦାବି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories