www.samajalive.in
Saturday, December 13, 2025
26.1 C
Bhubaneswar

୨୧ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ହେତୁ ୯ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିବା ବେଳେ ୨୧ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ହ୍ରାସ ପାଇବାର ଆଶଙ୍କା ରହିଛି। ତେଣୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବାର ସମ୍ଭାବନା ନାହିଁ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଦକ୍ଷିଣ ବିହାର ଏବଂ ଉତ୍ତର ଝାଡଖଣ୍ଡ ମଧ୍ୟରେ ସମୁଦ୍ର ପତ୍ତନରୁ ୦.୯ କିମି ଉଚ୍ଚତାରେ ଏକ ନିମ୍ନଚାପରେଖା ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ରାୟଗଡା ଓ ଗଜପତି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ହେବାକୁ ଥିବାବେଳେ କାଳବୈଶାଖୀ ଜନିତ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ବୋଲି ଆକଳନ କରାଯାଇଛି। ଅନୁଗୋଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଏବଂ ଗଞ୍ଜାମ ଜିଲାରେ ବିଜୁଳି ଘଡଘଡିର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକୁ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ପକ୍ଷରୁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

- Advertisement -

ବିଭାଗର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ପ୍ରାୟ ୩ ଡିଗ୍ରୀ ଯାଏଁ ପାରଦ ତଳକୁ ଖସିବାର ଆଶଙ୍କା ରହିଛି। ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। ପରବର୍ତ୍ତୀ ସମୟରେ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକରୁ ୨ ରୁ ୩ଡିଗ୍ରୀ ଅଧିକ ରହିବ। ଫଳରେ ଆଭ୍ୟନ୍ତରୀଣରେ ଗରମ କମିବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ମେ’ ୪ ତାରିଖରେ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାଫଳରେ ମେ’ ୬ରେ ଏହା ଅବପାତ ଓ ୭ରେ ବାତ୍ୟାର ରୂପ ନେଇ ଉପକୂଳ ଆଡ଼େ ମୁହାଁଇବ। ଏହା ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ମଧ୍ୟ ରହିଛି। ଏହି ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ମେ’ ୮ରୁ ବର୍ଷା ହେବା ସହ ଅସହ୍ୟ ଗ୍ରୀଷ୍ମପ୍ରବାହ ସ୍ଥିତିରେ ସୁଧାର ଆସିବ ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଏହି ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ମଡେଲ ଆଧାରରେ ଆକଳନ କରାଯାଉଛି। ତେବେ ମେ’ ମାସରେ ବାତ୍ୟା ସମ୍ଭାବନାକୁ ଏଡାଯାଇ ନ ପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୨ ତାରିଖରୁ ସର୍ବାଧିକ ତାପମାତ୍ରା କମିବ। ୧୦ ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରା ପ୍ରାୟ ୩୬ ଡିଗ୍ରୀ ପାଖାପାଖି ରହିବାର ଆଶଙ୍କା କରାଯାଉଛି; କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ବଲାଙ୍ଗୀର, ସୁବର୍ଣ୍ଣପୁର, ଟିଟିଲାଗଡ, ବୌଦ୍ଧ ଏବଂ ଅନୁଗୋଳ ଜିଲାରେ ଗରମ ସପ୍ତାହେ ପର୍ଯ୍ୟନ୍ତ ରହିବ। ୩ ଓ ୫ ତାରିଖ ଭିତରେ ଉକ୍ତ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଲେ ହୁଏତ ସ୍ଥାନେ ସ୍ଥାନେ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଉପକୂଳ ଓଡ଼ିଶାରେ ୪ରୁ ୬ ତାରିଖ ଭିତରେ କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। ତେବେ ଗୁଳୁଗୁଳି ଜାରି ରହିବ। ଉତ୍ତର ଆଭ୍ୟନ୍ତରୀଣ ଝାରସୁଗୁଡା, ସୁନ୍ଦରଗଡ ଏବଂ ମୟୂରଭଞ୍ଜରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories