www.samajalive.in
Friday, December 12, 2025
19.1 C
Bhubaneswar

ଜଳାଶୟୀ ପ୍ରଭୁ ନାରାୟଣ ଗୋସାଇଁ; ବର୍ଷକରେ ମାତ୍ର ୩ଦିନ ପାଇଁ ଦିଅନ୍ତି ଦର୍ଶନ

ଯାଜପୁର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ, ପୁଷ୍କରିଣୀରେ ଜଳାଶୟୀ ନାରାୟଣ ଗୋସାଇଁ ଆଜିଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରଭୁ ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା ଯାତ୍ରା ବୁଲିବା ପାଇଁ ଆଜି ସକାଳୁ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇତିହାସ କହେ ଷୋଡ଼ଶ ଶତାବ୍ଦୀରେ ରାଜା ମୁକୁନ୍ଦ ଦେବଙ୍କ ଶାସନ କାଳରେ କଳା ପାହାଡ଼ ଅନେକ ହିନ୍ଦୁ ଦେବାଦେବୀ ମନ୍ଦିର ଭାଙ୍ଗି ପକାଇଥିଲା । କଳା ପାହାଡ଼ ଆକ୍ରମଣରେ ବର୍ତିଥିଲା ସିଂହାପୁରର ନାରାୟଣ ଗୋସାଇଁଙ୍କ ମନ୍ଦିର । କଳା ପାହାଡ଼ ଆସୁଥିବାର ଖବର ପାଇ ଏଠାକାର ବ୍ରାହ୍ମଣମାନେ ନାରାୟଣ ଗୋସାଇଁଙ୍କୁ ନିକଟସ୍ଥ ପୁଷ୍କରିଣୀରେ ଲୁଚାଇ ଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏଠାକାର ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇ କଳା ପାହାଡ଼ ଚାଲି ଯାଇଥିଲା । କିମ୍ବଦନ୍ତୀ ଅନୁଯାୟୀ, ପ୍ରାୟ ୨୦୦ ବର୍ଷ ପୂର୍ବେ ନିକଟସ୍ଥ ଗଡ଼ମଧୁପୁରର ରାଜାଙ୍କୁ ସ୍ବପ୍ନାଦେଶ ହେବା ପରେ ନୂତନ ମନ୍ଦିର ଗଢାଯାଇ ନାରାୟଣ ଗୋସାଇଁଙ୍କୁ ପୂଜା କରାଯାଇଆସୁଛି । ପୁର୍ବରୁ ଗୋଟିଏ ଦିନ ପାଇଁ ଠାକୁରଙ୍କୁ ଜଳରୁ ଉଦ୍ଧାର କରି ପୂଜା କରାଯାଉଥିଲା । କିନ୍ତୁ ଏବେ ୩ ଦିନକୁ ବୃଦ୍ଧି କରାଯାଇଛି । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଆଡମ୍ବର ସହକାରେ ଯାତ୍ରାକୁ ପାଳନ କରାଯାଉଥିବାରୁ ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି।

ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ଗହଣରେ ନାରାୟଣ ଗୋସାଇଁଙ୍କୁ ମଧୁତୀର୍ଥ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ନିକଟସ୍ଥ ମନ୍ଦିରରେ ଶୋଡ଼ଷ ଉପଚାରରେ ପୂଜା କରାଯାଇଛି । ପୁରୀର ରାଜବଂଶ ପରମ୍ପରା ଭଳି ସକାଳୁ ଗଡମଧୁପୁର ରାଜଜେମା ପୋଖରୀ କୂଳରେ ପୁଷ୍ପାଞ୍ଜଳୀ ଦେଇ ନାରାୟଣ ଗୋସାଇଁଙ୍କୁ ପ୍ରଥମେ ଆବାହନ କରିଥିଲେ । ପରେ ପୂଜକ, ବ୍ରାହ୍ମଣ, ଭକ୍ତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଠାବ କରାଯାଇ ପୂର୍ବ ତୁଠକୁ ଅଣାଯାଇଥିଲା । ଆଲଟ, ଚାମର ସହ ଭଜନ, କୀର୍ତ୍ତନ, ବାଦ୍ୟ, ଘଣ୍ଟ, ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ନାରାୟଣ ଗୋସାଇଁଙ୍କଠାରେ ପଇଡ଼ ଜଳ, ପଂଚାମୃତ ଅଭିଷେକ କରାଯାଇଥିଲା। ପରେ ପ୍ରଭୁଙ୍କୁ ଜଳ କେଳି କରି ଉତର ପଟ ପାବଛ ଦେଇ ମନ୍ଦିରକୁ ନିଆଯାଇଥିଲା । ଜଳାଶୟୀ ନାରୟଣଙ୍କ ଚଳନ୍ତି ପ୍ରତିମା ଭାବେ ପୂଜିତ ମଦନ ମୋହନ ଓ ଲକ୍ଷ୍ମୀଙ୍କୁ ଏକ ସୁସଜ୍ଜିତ ବିମାନରେ ଅଣାଯାଇ ଭକ୍ତଙ୍କୁ ଦର୍ଶନ ଦିଆଯାଇଥିଲା । ଆଜିଠାରୁ ଏହି ଯାତ୍ରା ୩ଦିନ ଧରି ଚାଲିବ । ହଜାର ହଜାର ଜନସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପ୍ରଭୁ ଦର୍ଶନ କରିଛନ୍ତି । ଏହି ଯାତ୍ରା ୩ଦିନ ଧରି ଚାଲିବ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories