କଟକ: ଆସନ୍ତାକାଲି ଅର୍ଥାତ ଫେବୃଆରୀ ୨୦ ରବିବାର ଦିନ ରାଜ୍ୟରେ ତ୍ରି-ସ୍ଥରୀୟ ପଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୨୯ ଜିଲ୍ଲାର ୧୮ ହଜାର ୪୮୬ଟି ମତଦାନ କେନ୍ଦ୍ରରେ ଭୋଟରମାନେ ମତଦାନ କରିବେ। ପୂର୍ବର ଦୁଇଟି ପର୍ଯ୍ୟାୟରେ ଅନେକ ସ୍ଥାନରେ ମତଦାନ ସମୟରେ ଘଟିଥିବା ବୁଥ ଜବରଦଖଲ ଓ ଆକ୍ରମଣ ଭଳି ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ବିଭାଗ ପଲଷାରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପର୍ଯ୍ୟାୟ ମତଦାନ ସମୟରେ ୨୪୦ ପ୍ଲାଟୁନ ସୁରକ୍ଷା ବଳ, ୧୬୨୫ଟି ମୋବାଇଲ ପାଟ୍ରୋଲିଂ ଦଳ ଏବଂ ଜିଲ୍ଲା ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ରାଜ୍ୟ ପୁଲିସ ବିଭାଗ ଜଣାଇଛି।
ତେବେ ଆଜି ସୁଦ୍ଧା ନିର୍ବାଚନ ଜନିତ ଗଣ୍ଡଗୋଳରେ ସମ୍ପୃକ୍ତ ୬୨ ଜଣକୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଯାଜପୁରରୁ ୨୮ ଜଣ, ଢେଙ୍କାନାଳରୁ ୬ ଜଣ, ଜଗତସିଂହପୁରରୁ ୫ ଜଣ ଏବଂ ପୁରୀରୁ ୨୩ ଜଣ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ତ୍ରି-ସ୍ଥରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୮୮ ହଜାର ୩୮୦ ଲିଟର ମଦ, ୨ କିଲୋଗ୍ରାମ ୩୧୧ ଗ୍ରାମ ନିଶାଦ୍ରବ୍ୟ ଜାତ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ୩୮ଟି ବେନିୟମ ଅସ୍ତ୍ରଶସ୍ତ୍ର ମାମଲା, ୫ ହଜାର ୫୮ଟି ଅବକାରୀ ମାମଲା ରୁଜ୍ଜୁ କରାଯାଇଛି। ୧ ହଜାର ୯୦୬ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି।



