ଜଲାଲାବାଦ: ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ୭୦ ବର୍ଷ ମଧ୍ୟରେ ପଞ୍ଜାବର ଗାଁଗୁଡିକୁ କଂଗ୍ରେସ ଜଳ ଯୋଗାଣ କରିପାରି ନାହିଁ। ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଜଲାଲାବାଦରେ ଏକ ରାସ୍ତାକଡ ସଭା (ନୁକ୍କଡ ସଭା)କୁ ସମ୍ବୋଧିତ କରି କେଜରିୱାଲ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟରେ ୧୫୦ଟି ଗାଁରେ ଜଳ ଯୋଗାଣ ବ୍ୟବସ୍ତା ନାହିଁ। ସେ କହିଛନ୍ତି, ୧୫୦ଟି ଗାଁରେ ଜଳ ଯୋଗାଣ ନାହିଁ, ଗତ ୫ ବର୍ଷରେ କଂଗ୍ରେସ କଣ କରିଛି ତାହା ଜଣାନାହିଁ। ଯାହା ଗତ ୭୦ ବର୍ଷ ମଧ୍ୟରେ ହୋଇନାହିଁ, ଆମ ଆଦମୀ ପାର୍ଟି ତାହା କରି ଦେଖାଇବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।
ଚଳିତ ମାସ ୨୦ରେ ପଞ୍ଜାବରେ ୧୧୭ଟି ବିଧାନସଭା ଆସନ ପାଇଁ ବିଧାନସଭା ନିର୍ବାଚନ ହେବ। ଫଳାଫଳ ମାର୍ଚ୍ଚ ୧୦ରେ ଘୋଷଣା ହେବ। ରାଜ୍ୟରେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ଆସନ ହାସଲ କରି ଶାସନ କ୍ଷମତାକୁ ଆସିଥିଲା।



