ଧାମରାରୁ ଅପହୃତ ଗୁରୁପଦ ୧୯ଘଣ୍ଟା ପରେ ଭଦ୍ରକରୁ ଫେରିଲେ

ଧାମରା: ଧାମରା ପଂଚାୟତରୁ ଗତ ୧୬ ତାରିଖ ରାତିରେ ଅପହୃତ ହୋଇଥିବା ଗୁରୁପଦ ଦୀର୍ଘ ୧୯ଘଣ୍ଟା ପରେ ଧାମରାକୁ ଫେରିଛନ୍ତି। ଏ ନେଇ ଧାମରା ବିକାଶ ମଂଚ ପକ୍ଷରୁ ଡିଆଇ ରୋଡଠାରେ ଧାମରା-ଭଦ୍ରକ ରାସ୍ତାକୁ ଦୀର୍ଘ ୩ଘଣ୍ଟା ବନ୍ଦ କରିବା ପରେ ପୁଲିସ ପ୍ରଶାସନ ସଂପୃକ୍ତ ଗୁଣ୍ଡାଗିରି କରି ଅପହୃତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାର ଆଶ୍ୱାସନା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଅପରାହ୍ଣ ୩ଟାପରେ ଏହି ରାସ୍ତା ସ୍ୱାଭାବିକ ହୋଇଥିଲା। ମାତ୍ର ଅପହୃତ ଗୁରୁପଦକୁ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇ ନଥିବା ବେଳେ ଅପହୃତ ଗୁରୁପଦକୁ ଶାସକ ଦଳର ଗୁଣ୍ଡାମାନେ ନେଇ ଭଦ୍ରକ ଡାହାଣି ଗଡିଆଠାରେ ଏକ ଘରେ ବନ୍ଦ କରି ରଖିଥିଲେ। ଏନେଇ ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସଂପୃକ୍ତ ଗୁରୁପଦକୁ ଆଣି ଭଦ୍ରକ ଡାହାଣି ଗଡିଆ ଛକଠାରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଛାଡି ଦେଇଥିଲେ। ଗୁରୁପଦଙ୍କ ନିକଟରେ ଥିବା ସମସ୍ତ ଟଙ୍କା ପଇସା ସଂପୃକ୍ତ ବ୍ୟକ୍ତି ବିଶେଷ ନେଇ ଯାଇଥିବା ବେଳେ ସେ ବହୁ କଷ୍ଟରେ ଆସି ଧାମରାରେ ପହଞ୍ଚି ଧାମରା ଥାନାଧିକାରୀଙ୍କୁ ଦେଖାକରି ସମସ୍ତ ତଥ୍ୟ ଦେଇଥିଲେ। ଗୁରୁପଦଙ୍କ ସହ ଧାମରା ବିକାଶ ମଞ୍ଚ ପକ୍ଷରୁ ବାମଦେବ ନାୟକ, ପ୍ରଦୀପ ରାଉତ, ବାପୁଜୀ ମାଝୀ, ଗଦାଧର ନାୟକ, ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ଅଧିକାରୀ ଶାସକ ଦଳର ହାତ ବାରିସୀ ସାଜି କୌଣସି ଅଭୁଯୁକ୍ତଙ୍କୁ ଗିରଫ କରି ନାହାନ୍ତି।

prayash

ଅନ୍ୟ ପକ୍ଷରେ ସମସ୍ତ ଅଭିଯୁକ୍ତ ଖୁଲମ ଖୁଲା ରାଜରାସ୍ତାରେ ପୁଲିସ ପ୍ରଶାସନକୁ ଚ୍ୟାଲେଞ୍ଜ କରି ବୁଲୁଥିବା ନେଇ ଧାମରା ବିକାଶ ମଂଚ ପୁନଶ୍ଚ ଅଭିଯୋଗ ଆଣିଛି। ଶାସକ ଦଳର ନିର୍ଦ୍ଧାରିତ ଗୁଣ୍ଡାମାନଙ୍କ ମଧ୍ୟରୁ ମାନସ ବିଶ୍ୱାଳ ନାମକ ବ୍ୟକ୍ତି ଧାମରା ବନ୍ଦର(ଆଦାନୀ)ର କର୍ମଚାରୀ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଧାମରା ବିକାଶ ମଂଚ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଚାକିରୀରୁ ବହିଷ୍କାର କରିବାକୁ ଦାବୀ ଜଣାଇଛନ୍ତି। ଅନ୍ୟଥା ପୁନଶ୍ଚ ଧାମରା ବିକାଶ ମଂଚ ଧାମରା ବନ୍ଦର ଆଗରେ ଆନ୍ଦୋଳନ କରିବ ବୋଲି ଜଣାଇଛନ୍ତି।

ସୂଚନାଯୋଗ୍ୟ, ବୁଧବାର ମଧ୍ୟରାତ୍ରିରେ ଧାମରା ପଞ୍ଚାୟତର ଶାସକ ଦଳର କିଛି ଯୁବକ ସେହି ପଂଚାୟତର ଝାଡକାଟି ଗ୍ରାମର ବନ ମଣ୍ଡଳଙ୍କ ପୁଅ ଗୁରୁପଦ ମଣ୍ଡଳଙ୍କ ଘରେ ଦାଦାଗିରୀ କରିବା ସହ ଗୁରୁପଦଙ୍କ ସ୍ତ୍ରୀକୁ ଅଶାଳୀନ ବ୍ୟବହାର କରିବା ସହ ଗୁରୁପଦକୁୁ ଜୋର ଜବରଦସ୍ତ ଅପହରଣ କରିନେଇଥିଲେ। ଏହି ଅପହରଣ ବିଷୟରେ ଧାମରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଧାମରା ଥାନାରେ ଷ୍ଟାଫ କମ ଦର୍ଶାଇ ସଂପୃକ୍ତ ଅଧିକାରୀ ଶ୍ରୀକାନ୍ତ ପତି ଠିକ ସମୟରେ ଅପହୃତଙ୍କ ଘରେ ପହଞ୍ଚି ପାରି ନଥିଲେ। ଏ ନେଇ ଗୁରୁପଦଙ୍କ ସ୍ତ୍ରୀ ରିଙ୍କି ମଣ୍ଡଳ ଗତକାଲି ରାତ୍ର ୨ଘଟିକା ସମୟରେ ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଧାମରା ଥାନାରେ ଏନେଇ ଧାମରା ପଞ୍ଚାୟତର ଶାସକ ଦଳର ୬ଜଣ ବ୍ୟକ୍ତିଙ୍କ ନାମରେ ମକଦମା ରୁଜୁ କରାଯାଇଥିଲା। ଗୁରୁପଦର ଖୋଜ ଖବର ନ ମିଳିବାରୁ ଧାମରା ବିକାଶ ମଞ୍ଚ ଡିଆଇ ରୋଡଠାରେ ଧାମରା-ଭଦ୍ରକ ରାସ୍ତାକୁ ବନ୍ଦ କରି ଧାରଣାରେ ବସିଥିଲେ। ଏହି ଖବର ପାଇବା ପରେ ଧାମରା ପୁଲିସ ଧାରଣା ସ୍ଥାନକୁ ଯିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ପରେ ନିର୍ବାଚନ ଦାୟିତ୍ୱରେ ଥିବା ଡିଏସପି ଶ୍ରୀନିବାସ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦୋଳନକାରୀ ଘଟଣା ସ୍ଥଳରୁ ଉଠି ନଥିଲେ। ଖୁବଶୀଘ୍ର ଗୁଣ୍ଡାଗର୍ଦୀ କରିଥିବା ଦୋଷୀଙ୍କ ଗିରଫ କରାଯିବ ବୋଲି ପୁନଶ୍ଚ ଆଶ୍ୱସନା ଦେବା ପରେ ଆନ୍ଦୋଳନକାରୀ ଘଟଣାସ୍ଥଳରୁ ଉଠିଥିଲେ।

kalyan agarbati

Comments are closed.