ରାମନାଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମନାଗୁଡା ବ୍ଲକରେ ୧୫୬ ଟି ଵୁଥରେ ଶାନ୍ତି ପୂର୍ଣ୍ଣ ଭାବେ ତ୍ରିସ୍ତରୀୟ ନିର୍ବାଚନ ମତଦାନ କାର୍ଯ୍ୟ ସମାପନ ହୋଇଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୧୫୬ଟି ବୁଥର ଅନେକ ସ୍ଥାନରେ ଭୋଟରମାନଙ୍କ ପରିଚୟ ପତ୍ର ଅଛି କିନ୍ତୁ ତାଲିକାରେ ନାଁ ନଥିବାରୁ ମତଦାନ ଦେବାରୁ ବଞ୍ଚିତ ହୋଇଛନ୍ତି ଅଧିକାଂଶ ଭୋଟର। ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ପଂଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ବୁଥରେ ସେମିତି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।
ରାମନାଗୁଡା ବ୍ଲକରେ ୧୨ ଗୋଟି ପଂଚାୟତ ପାଇଁ ପ୍ରାର୍ଥୀତ୍ବ କରୁଥିବା ୨ଟି ଜୋନ ପାଇଁ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ୭ ଜଣ ସରପଞ୍ଚ ୪୩ ଜଣ, ସମିତି ସଭ୍ୟ ୩୪ ଜଣ, ୱାର୍ଡ ସଭ୍ୟ ୩୩ ଜଣଙ୍କ ଭାଗ୍ୟର ପରୀକ୍ଷା ଫଳ ଆଜି ଭୋଟର ଦେଇ ସାରିଛନ୍ତି। ଏହି ସବୁ ପଦବୀର ପରୀକ୍ଷା ଫଳ ଚଳିତ ମାସ ୨୮ ତାରିଖ ଦିନ ପ୍ରକାଶିତ କରାଯିବା ନେଇ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଆଗାମୀ ଦିନରେ ଜଣାପଡିବ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି। ଯେଉଁ ସବୁ ଵୁଥ୍ ଗୁଡିକରେ ଅଘଟଣ ଘଟିବା ଆଶଙ୍କା ଥିଲା। ସେ ସବୁକୁ ଗୁଣୁପୁର ଏସଡିପିଓ ଅଜୟ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଥାନା ଅଧିକାରୀ ଯସବନ୍ତ ହିଆଲ ଓ ରାମନାଗୁଡା ଫାଣ୍ଡି ଅଧିକାରୀ ପୃଥ୍ବୀରାଜ ଝଙ୍କାରଙ୍କ ସହଯୋଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଥିଲା। ଏପରିକି ପୁଲିସ ମତଦାନ ଶେଷ ହୋଇ ବ୍ଲକ କାର୍ୟ୍ୟାଳୟରେ ପୋଲିଂ ପାର୍ଟି ପହଞ୍ଚିବା ପର୍ଯ୍ୟନ୍ତ ପଇଁତରା ମାରୁଥିଲେ। ଏଥିପାଇଁ ଦକ୍ଷ ପୁଲିସ ଅଧିକାରୀ ନିୟୋଜିତ ହୋଇଥିବା ସହ ପ୍ରାୟ ୧୯୯ ଜଣ ପୁଲିସ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ପୁଲିସ ପ୍ରସ୍ତୁତ ହୋଇ ରହିଥିଲା ବୋଲି ଗୁଣୁପୁର ଥାନା ଅଧିକାରୀ ଶ୍ରୀ ଯସବନ୍ତ ହିଆଲ ପ୍ରକାଶ କରିଛନ୍ତି।
ଏଥିପାଇଁ ୬୩୨ ଜଣ ପୋଲିଂ ଅଧିକାରୀ, ୨ ଟି ବସ୍, ୧୫ ଟି ମିନି ଟ୍ରକ, ବୋଲେର ୧୨ ଟି, ୧୦ ଟି ଟ୍ରକ, ୧୫ ଟି ଟାଟା ମେଜିକ, ୧୫ଟି ମିନି ଭ୍ୟାନ ନିୟୋଜିତ କରାଯାଇଥିଲା। ଏହି ମତଦାନ କାର୍ଯ୍ୟକ୍ରମ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟାରେ ସରିଥିଲା। ହେଲେ କେତେକ ବୁଥରେ କ୍ୟାମ୍ପସ ଭିତରେ ଲୋକଥିବାରୁ ସେଠାରେ ମତଦାନ ଵିଳମ୍ବ ହୋଇଥିଲା। ସମସ୍ତ ପୋଲିଂ ପାର୍ଟି ପୁଲିସ ସୁରକ୍ଷା ସହ ସନ୍ଧ୍ୟା ସୁଦ୍ଧା ଵ୍ଲକ ଅଫିସ ଅସ୍ଥାୟୀ କ୍ୟାମ୍ପରେ ପହଞ୍ଚି ଭୋଟଵାକ୍ସ ଜମା ଦେଇଥିଲେ। ଏହି ସମସ୍ତ ଭୋଟ ବାକ୍ସକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଛି, ରାମନାଗୁଡା ବ୍ଲକର ଭୋଟର ଶାନ୍ତିପୂର୍ଣ୍ଣ ନିରପେକ୍ଷ ଭାବେ ମତଦାନ ସମାପନ କରିଥିବାରୁ ପଂଚାୟତ ସମିତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏସଡିପିଓ ଅଜୟ କୁମାର ବାରିକ ନିର୍ବାଚନ ଅଧିକାରୀ ବେଣୁଧର ଶବର, ତହସିଲଦାର ପ୍ରଭାତୀ ଝଡ଼ିଆ, ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଯସବନ୍ତ ହିଆଲଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏଥି ସହିତ ନିର୍ବାଚନରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସମେତ ପୋଲିଂ ଅଧିକାରୀ, ଡ୍ରାଇଭର ଏବଂ ଅନ୍ୟାନ୍ୟ ସହଯୋଗକାରୀ ମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।



