ପଛରେ ପଡ଼ିଲା ବଲିଉଡ଼୍‌; ତେଲୁଗୁ ଫିଲ୍ମ ଦେଶରେ ୧ ନମ୍ବର

ମୁମ୍ବଇ: ଏକଦା ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ସବୁଠାରୁ ଆଗରେ ରହୁଥିବା ହିନ୍ଦୀ ସିନେମା ଏବେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଆଗରେ ହାର ମାନୁଛି। ସଦ୍ୟ ଆକଳନ ଅନୁସାରେ, ଦୁଇ ବର୍ଷ ପୂର୍ବ ପର୍ଯ୍ୟନ୍ତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ବ୍ୟବସାୟ ଦେଶର ମୋଟ ବ୍ୟବସାୟର ମାତ୍ର ୩୬ ପ୍ରତିଶତ ଥିବା ବେଳେ, ବର୍ତ୍ତମାନ ତାହା ଅଧାରୁ ଅଧିକ ହୋଇଯାଇଛି। ହିନ୍ଦୀ ଚଳଚ୍ଚିତ୍ର ତାରକାମାନଙ୍କ ସହ ସେମାନଙ୍କ ପ୍ରଶଂସକଙ୍କ ସମ୍ପର୍କ ଖୁବଶୀଘ୍ର ଛିଡ଼ିଯାଉଥିବାରୁ ଏପରି ଘଟୁଛି ବୋଲି କୁହାଯାଉଛି।

କରୋନା ମହାମାରୀ ସମୟରେ ଭାରତୀୟ ସିନେମାର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଏ ସଂକ୍ରାନ୍ତରେ ଜାରି ଏକ ରିପୋର୍ଟ ଅନୁଯାୟୀ, ୨୦୨୦ ଓ ୨୧ରେ ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ରକୁ ମିଶାଇ ସେମାନଙ୍କର ମୋଟ ବକ୍ସ ଅଫିସ୍ ବ୍ୟବସାୟ ମାତ୍ର ୫୭୫୭ କୋଟି ଟଙ୍କା ଥିଲା। ଯାହାକି, କେବଳ ୨୦୧୯ରେ ହୋଇଥିବା ଚଳଚ୍ଚିତ୍ର ଆୟଠାରୁ ୫ ହଜାର କୋଟି କମ୍। ଏହି ଆୟରେ ସବୁଠାରୁ ବଡ଼ ଧକ୍କା ବର୍ଷ ୨୦୨୦ରେ ଲାଗିଥିଲା, ଯେତେବେଳେ ଚଳଚ୍ଚିତ୍ରର ବ୍ୟବସାୟ ପୂର୍ବ ବର୍ଷ ତୁଳନାରେ ୮୧ ପ୍ରତିଶତ ହ୍ରାସ ପାଇଥିଲା। ଗତ ବର୍ଷ ଶେଷ ତ୍ରୈମାସରେ ହୋଇଥିବା ବ୍ୟବସାୟ ସିନେମାର ଜୀବନ କିଛି ମାତ୍ରାରେ ବଞ୍ଚାଇ ଦେଇଥିଲା ଓ ବ୍ୟବସାୟ ୩୭୦୧ କୋଟିରେ ପହଞ୍ଚିଛି, ନହେଲେ ୨୦୨୦ରେ ​‌ମୋଟ୍‌ ବ୍ୟବସାୟ ୨୦୫୬ କୋଟିରେ ହିଁ ଅଟକି ରହିଥିଲା।

ମିଡିଆ ରିପୋର୍ଟ ଅନୁସାରେ, ଭାରତୀୟ ସିନେମା ପାଇଁ ଗତ ଦୁଇ ବର୍ଷର ମୋଟ୍‌ ୮ ତ୍ରୈମାସ ମଧ୍ୟରୁ ୬ ସମ୍ପୂର୍ଣ୍ଣ ଖରାପ ଥିଲା। ଗତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଓ ୨୦୨୦ର ଜାନୁଆରୀରୁ ମାର୍ଚ୍ଚ ଏହି ଦୁଇ ତ୍ରୈମାସ ଏବଂ ଗତ ବର୍ଷର ଶେଷ ତ୍ରୈମାସରେ ହିଁ ଯାହା ବ୍ୟବସାୟ ହୋଇଥିଲା ସେତିକି। ଏହି ତିନି ତ୍ରୈମାସ ହିଁ ଭାରତୀୟ ବକ୍ସ ଅଫିସରେ ମୋଟ ବ୍ୟବସାୟର ପ୍ରାୟ ୮୭ ପ୍ରତିଶତ ସଂଗ୍ରହ କରିଛି। ସାଧାରଣତଃ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୧୦୩ କୋଟିର ଟିକେଟ୍ ପ୍ରେକ୍ଷାଳୟରେ ବିକ୍ରି ହୋଇଥିଲା। ୨୦୨୦ ରେ ଏହି ସଂଖ୍ୟା ୨୨.୫ କୋଟିକୁ ଖସି ଆସିଥିବା ବେଳେ ଗତ ବର୍ଷ  ୪୨.୭ କୋଟିରେ ପହଞ୍ଚିଛି।

ଦୁଇ ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତୀୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକରୁ ସର୍ବାଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର ହିନ୍ଦୀ ହିଁ ଥିଲା। ୨୦୧୯  ପର୍ୟ୍ୟନ୍ତ ଦେଶର ମୋଟ ଚଳଚ୍ଚିତ୍ର ବ୍ୟବସାୟରେ ହିନ୍ଦୀ ସିନେମାର ସର୍ବାଧିକ ତଥା ୪୪ ପ୍ରତିଶତ ଅବଦାନ ରହିଛି। କିନ୍ତୁ ଗତ ବର୍ଷ ଏକ ବିରାଟ ପତନ ସହିତ ଏହା ୨୭ ପ୍ରତିଶତକୁ ଖସି ଆସିଛି। ହଲିଉଡ଼୍‌ ଚଳଚ୍ଚିତ୍ର ବ୍ୟବସାୟରେ ମଧ୍ୟ ପତନ ଘଟିଛି। ମୋଟ୍‌ ବ୍ୟବସାୟରେ ହଲିଉଡ଼ ଫିଲ୍ମରୁ ହେଉଥିବା ଆୟ ଆଗରୁ ପ୍ରାୟ ୧୫ ପ୍ରତିଶତ ଥିଲା, ଯାହା ଗତ ବର୍ଷ ୧୧ ପ୍ରତିଶତକୁ ଖସିଆସିଛି।

ତେବେ ଗତ ଦୁଇ ବର୍ଷରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଦମ୍‌ଦାର୍‌ ପ୍ରଦର୍ଶନ ହେଉଛି ଏହି ରିପୋର୍ଟର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା। ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ୍ ଭାଷାର ଚଳଚ୍ଚିତ୍ର ଏକାଠି ମିଶି ହିନ୍ଦୀ ସିନେମାକୁ ପଛରେ ପକାଇ ବକ୍ସ ଅଫିସରେ ଧୁମ୍‌ ମଚାଇଛନ୍ତି। ହଲିଉଡ଼ ସିନେମା ଉପରେ ମଧ୍ୟ ଏମାନଙ୍କ ପ୍ରଦର୍ଶନ ଭାରି ପଡ଼ୁଛି।

୨୦୧୯ରେ ଏହି ଚଳଚ୍ଚିତ୍ରଗୁଡ଼ିକର ବ୍ୟବସାୟର ଅଂଶ ସମୁଦାୟ ବ୍ୟବସାୟର ମାତ୍ର ୩୬ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୫୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେଥିରେ ପୁଣି ତେଲୁଗୁ ସିନେମା କେବଳ ମୋଟ ବ୍ୟବସାୟରେ ୨୮ ପ୍ରତିଶତ ଯୋଗଦାନ ଦେଇଛି, ଯାହା ହିନ୍ଦୀ ସିନେମା ତୁଳନାରେ ଏକ ପ୍ରତିଶତ ଅଧିକ। ଗତ ଦୁଇ ବର୍ଷର ଶ୍ରେଷ୍ଠ ୧୦ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟରେ ଚାରିଟି ତେଲୁଗୁ ଫିଲ୍ମ ରହିଛି।

Comments are closed.