ବଲାଙ୍ଗିର: ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମାଲ ବୋଝେଇ ଟ୍ରକ ଶାନ୍ତିପଡ଼ା ଛକ ରାସ୍ତା କଡ଼ରେ ଥିବା ଦୋକାନ ସହ ବିଦ୍ୟୁତ ଘୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିଲା। ସହରାଞ୍ଚଳ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଥାନାରେ ଅଟକ ରଖିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବୁଧୁବାର ଭୋର ପ୍ରାୟ ୩ଟା ସମୟରେ ଶାନ୍ତିପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି। ସିଜି୦୪ଏନ୍ଏମ୍ ୫୫୮୯ ନମ୍ବର ମାଲ ବୋଝେଇ ଟ୍ରକଟି ବଲାଙ୍ଗିର ପଟକୁ ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ବିଦ୍ୟୁତ ଖୁଣ୍ଟ ପଡ଼ିଯିବା ସହ ୫ଟି ଦୋକାନର ସମ୍ମୁଖ ଭାଗ ପୂରା ଚୁରମାର ହୋଇଯାଇଥିଲା ଟ୍ରକ ଧକ୍କାରେ। ପୁଲିସ ପେଟ୍ରୋଲିଂ ଟିମ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ସହ ଟ୍ରକକୁ ଥାନାକୁ ଆଣିଥିଲେ। ଚାଳକକୁ ବି ପୁଲିସ ସହରାଞ୍ଚଳ ଥାନାରେ ଅଟକ ରଖିଛି। ବିଦ୍ୟୁତ ଖୁଣ୍ଟ ପ୍ରଭାବିତ ହେବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ବୁଧୁବାର ସକାଳେ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ନୂଆ ବିଦ୍ୟୁତ ଖୁଣ୍ଟ ଲଗାଇବା ପରେ ଅପରାହ୍ନରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା। ସହରାଞ୍ଚଳ ପୁଲିସ ଏହି ମାମଲାରେ ଯାଞ୍ଚ କରୁଥିବା ଜଣାପଡ଼ିଛି।



