ଜନ୍ମ ଦିନରେ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ବାରାଣସୀ ଗସ୍ତ  

0

ବାରାଣସୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତାକାଲି(ସୋମବାର)ଠାରୁ ଦୁଇ ଦିନ ପାଇଁ ନିଜ ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀ ଗସ୍ତରେ ଯିବେ । ସେ ନିଜ ସଂସଦୀୟ କ୍ଷେତ୍ରରେ ନିଜର ଜନ୍ମଦିନ ପାଳନ କରିବେ।

ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ନରେ ପ୍ରଥମେ ବାରାଣସୀରେ ପହଞ୍ଚିବେ । ସେଠାରୁ ନରୁର ଗ୍ରାମକୁ ଯାଇ ସ୍ଵେଚ୍ଛାସେବୀ ସଂଗଠନ ‘ରୁମ-ଟୁ ରିଡ’ ସହାୟତାରେ ଚାଲିଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବେ । ପରେ  ଡିଏଲଡବ୍ଲୁ ପରିସରରେ ପ୍ରଧାନମନ୍ତ୍ରୀ କାଶୀ ବିଦ୍ୟାପୀଠର ଛାତ୍ର ଏବଂ ସେମାନଙ୍କ ଦ୍ୱାରା ସହାୟତା ପ୍ରାପ୍ତ ପିଲାମାନଙ୍କୁ ସାକ୍ଷାତ କରିବେ ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଏମ୍ପି ଥିଏଟରଠାରେ ମୋଟ ୫୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି – ପୁରୁଣା କାଶୀ ପାଇଁ ସମନ୍ୱିତ ଶକ୍ତି ବିକାଶ ଯୋଜନା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଟଳ ନବୋନ୍ମେଷ କେନ୍ଦ୍ର । ଏହା ବ୍ୟତୀତ ଧାନମନ୍ତ୍ରୀଙ୍କ ଦ୍ଵାରା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ ।

Leave A Reply