www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷା ଉଜାଡ଼ିଲା ଫସଲ ; ଆକଳନ ପରେ କ୍ଷତିପୂରଣ : ମନ୍ତ୍ରୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ପଶ୍ଚିମବଙ୍ଗ ମୁହାଁ ହୋଇ ଏବେ ବଙ୍ଗଳାଦେଶ ଆଡ଼କୁ ଗତି କରୁଥିବାବେଳେ ଉପକୂଳ ଓଡ଼ିଶାରେ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗି ଦେଇଛି। ଜୱାଦ ଯୋଗୁଁ ବାତ୍ୟା ଟଳିଯାଇଥିଲେ ମଧ୍ୟ ଉପକୂଳ ଓଡ଼ିଶାର ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଲହରି ମାରୁଛି। ଫଳରେ କଟାଯିବାକୁ ଥିବା ପାଚିଲା ଧାନ ଓ ପନିପରିବା, ମୁଗ, ବିରି, କୋଳଥ, ଚିନାବାଦାଦ ଆଦି ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଜିଲାର ଚାଷୀମାନେ ଫସଲ କ୍ଷତିପୂରଣ ପ୍ରଦାନ ଲାଗି ସରକାରଙ୍କଠାରେ ଦାବି କରିଛନ୍ତି। ବର୍ଷକର ଅମଳ କ୍ଷେତରେ ଉଜୁଡିଯାଇଥିବାରୁ ସେମାନେ ଚିନ୍ତିତ ହୋଇପଡିଛନ୍ତି। ପରିସ୍ଥିତି ଉପରେ ଫସଲ କ୍ଷତି ସଂପର୍କରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ସଂପୃକ୍ତ ଜିଲାପାଳ ମାନଙ୍କୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ରାଜସ୍ବ ଅଧିକାରୀ ଓ କୃଷି ଅଧିକାରୀଙ୍କ ଦଳ କ୍ଷେତ୍ରୀୟ ପରିଦର୍ଶନ କରି ରିପୋଟର୍ର୍ ଦାଖଲ କରିବାକୁ କୁହାଯାଇଛି। ଏହି ରିପୋର୍ଟ ଜିଲାପାଳଙ୍କ ଜରିଆରେ ହସ୍ତଗତ ହେବା ପରେ ଫସଲ କ୍ଷତିକୁ ଆଧାର କରି ରିଲିଫ କୋଡ ଅନୁଯାୟୀ ଆବଶ୍ୟକ କ୍ଷତିପୂରଣ ଚାଷୀମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗଭୀର ଅବପାତର ରୂପ ନେବା ପରେ ଗତକାଲି ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା ଜୱାଦ। ଆଉ ଏହି ଅବପାତ ଦୁର୍ବଳ ହୋଇଯାଇଛି। ଆଜି ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପକୂଳରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏହା ସହିତ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି। ରାଜ୍ୟର ଉପକୂଳ ତଥା ତତ୍‌ ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ପାଗ ମେଘୁଆ ରହିଛି। ସୋମବାର ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା। ତେବେ ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଆଜିଠାରୁ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଓ ସ୍ୱାଭାବିକ ଶୀତ ରହିବ।
ବାତ୍ୟା ‘ଜୱାଦ’ ସମୁଦ୍ରରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇ ଓଡ଼ିଶାର ନିକଟତର ହେଉଥିବା ବେଳେ ଗତକାଲି ଅପରାହ୍ଣ ପ୍ରାୟ ଅଢ଼େଇଟା ପାଖାପାଖି ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିଲା। ତେବେ ଜୱାଦ ଦୁର୍ବଳ ହେବା ସତ୍ତ୍ୱେ ଗତକାଲି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିଲା। ସେହିଭଳି ନୟାଗଡ଼, ଅନୁଗୋଳ ଆଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଚାଷ ନଷ୍ଟ ହୋଇଛି। ତେଣୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories