ପୁଲିସ ତଦନ୍ତକୁ ନେଇ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନ
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେେହର ହତ୍ୟା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଡିସେମ୍ବର ପହିଲାରେ ବିଧାନସଭା। ବିରୋଧୀ ଗୃହରେ ହଙ୍ଗାମା କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ମମିତା ହତ୍ୟା ମାମଲାରେ ପୁଲିସର ତଦନ୍ତ ଠିକ୍ ବାଟରେ ଯାଉନାହିଁ ବୋଲି ପୂବର୍ତନ ପୁଲିସ ମହାନିର୍ଦେଶକ ତଥା ବିଜେପିର ବରିଷ୍ଠ ନେତା ପ୍ରକାଶ ମିଶ୍ର କହିଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୂରାଇ ଦେବୁନାହିଁ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସୁରେଶ କୁମାର ରାଉତରାୟ କହିଛନ୍ତି । ଅନ୍ୟପକ୍ଷରେ ଏହାର ଜବାବ ରଖି ବିଜେଡ଼ି ବିଧାୟକ ଅଶ୍ବିନୀ କୁମାର ପାତ୍ର କହିଛନ୍ତି ଯେ, ସରକାର ସବୁ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
ବିଜେପି ନେତା ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟ ସରକାର ମମିତାଙ୍କ ହତ୍ୟା ମାମଲାକୁ ଦୁର୍ବଳ କରିଦେବାକୁ ଉଦ୍ୟମ ଚଳାଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଘଟଣାର ତଦନ୍ତ କରୁଛନ୍ତି; ହେଲେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ସେ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ମମିତାଙ୍କ ମୃତଦେହ କଳାହାଣ୍ଡି ଜିଲାରୁ ଉଦ୍ଧାର ହୋଇଥିବା ବେଳେ ସେ ମହାଲିଙ୍ଗ କଲେଜରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ କଲେଜ କଳାହାଣ୍ଡି ଜିଲାରେ। ହେଲେ ଏହି ଘଟଣାର ମାମଲା ବଲାଙ୍ଗୀର ଜିଲାରେ ରୁଜୁ ହୋଇଛି।
ଉତ୍ତରାଞ୍ଚଳ ଡିଆଇଜି ଏହି ମାମଲାର ତଦନ୍ତ କରୁଥିବା ବେଳେ ସେ କିନ୍ତୁ କଳାହାଣ୍ଡି ଜିଲା ଦାୟିତ୍ୱରେ ନାହାନ୍ତି। କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ କୋରାପୁଟ ଡିଆଇଜି ଅଛନ୍ତି। ତେଣୁ ଉତ୍ତରାଞ୍ଚଳ ଡିଆଇଜି ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତବ୍ୟ ଦେବାକୁ ଯୋଗ୍ୟ ବ୍ୟକ୍ତି ନୁହନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, କିଛିଦିନ ତଳେ ଜାତୀୟ ମହିଳା ଆୟୋଗ ଏ ସମ୍ପର୍କିତ ତଥ୍ୟ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ମାଗିଥିଲେ। କିନ୍ତୁ ବଲାଙ୍ଗୀର ଏସପି ଏହା କଳାହାଣ୍ଡି ଜିଲା ଘଟଣା, ତାଙ୍କ ଅଧୀନରେ ଆସୁନି ବୋଲି ମନା କରିଥିଲେ। ତେଣୁ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜିଙ୍କର ମୁହଁ ଖୋଲିବାର ଆବଶ୍ୟକତା ଅଛି। ଏହି ମାମଲା ସହ ୨ଟି ଜିଲାର ସଂଯୋଗ ଥିବାରୁ ଏହାର ତଦନ୍ତ ଦାୟିତ୍ୱ ପ୍ରଥମରୁ କ୍ରାଇମବ୍ରାଞ୍ଚକୁ ଦେବାର ଥିଲା। ରାଜ୍ୟ ସରକାର ଜାଣିଶୁଣି ମାମଲାକୁ ଦୁର୍ବଳ କରିବାକୁ ଏହାର ଦାୟିତ୍ୱ ପୁଲିସ୍ ହାତରେ ଛାଡ଼ିଛନ୍ତି। ସିବିଆଇକୁ ହସ୍ତାନ୍ତର କରାଗଲେ ଏହା ପଛର ରହସ୍ୟ ପଦାକୁ ଆସିପାରିବ।
କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଡିସେମ୍ବର ପହିଲାରୁ ହେବାକୁ ଥିବା ଶୀତ ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଆଯିବ ନାହିଁ। ଦିବ୍ୟଶଙ୍କର ଆସିଲେ ପବିତ୍ର ଗୃହ ଅପବିତ୍ର ହେବ। ଯାହାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାଙ୍କୁ ଗୃହ ଭିତରକୁ ନ ପୂରାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବୁ। ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ତୀବ୍ର ବିରୋଧ କରିବୁ।
ସାଲୁଜାଙ୍କୁ ସମର୍ଥନ ଜଣାଇ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଦିବ୍ୟଶଙ୍କର ନିଜ ଆଡୁ ବିଧାନସଭା ନ ଆସିବା ଉଚିତ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଯେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପୂରାଇ ଦିଆଯିବ ନାହିଁ, ଏମିତି କହିବାର ଅଧିକାର କାହାର ନାହିଁ। ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ, ସେହି ଅନୁସାରେ ସେମାନେ ବିରୋଧରେ ସମ୍ମୁଖୀନ ହେବେ। ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତା’ର ଜବାବ ଦେବାକୁ ବିଜେଡି ପ୍ରସ୍ତୁତ ଅଛି। ଡିଆଇଜିଙ୍କ ପ୍ରସଙ୍ଗରେ ବିଜେପି ନେତା ଶ୍ରୀ ମିଶ୍ର ଉଠାଇଥିବା ପ୍ରଶ୍ନର ପ୍ରତିକ୍ରିୟାରେ ଶ୍ରୀ ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଠିକ୍ ପଦକ୍ଷେପ ନେଉଛନ୍ତି।



