ଲକ୍ଷ୍ନୌ ବଦଳରେ ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

0

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର ସବୁଠୁ ବଡ଼ ଏୟାର ସୋ’ (ପ୍ରଦର୍ଶନୀ) ଆୟୋଜନ ସ୍ଥାନ ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏହି କ୍ରମରେ ବାୟୁ ସେନାର ଏୟାର ସୋ ସହ ଏକ ପ୍ରତିରକ୍ଷା ପ୍ରଦର୍ଶନୀ ଲକ୍ଷ୍ନୌ ବଦଳରେ ବେଙ୍ଗାଲୁରରେ ୟେଲଙ୍କା ବିମାନଘାଟିରେ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ୨୦୧୯ ଫେବୃଆରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ସୋ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ଆୟୋଜିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଏରୋସ୍ପେସ୍‍ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ଏକ ପ୍ରଦର୍ଶନ କରାଯିବ। ଏହାସହ ସର୍ବସାଧାରଣଙ୍କ ପାଇଁ ଏକ ଏୟାର ସୋ କରାଯିବ। ଏହି ପ୍ରଦର୍ଶନୀ ଆୟୋଜନର ସ୍ଥାନ ନିରୁପଣକୁ ନେଇ ବିବାଦ ଲାଗି ରହିଥିଲା। ଗତ ବର୍ଷ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ତାଙ୍କ ରାଜ୍ୟରେ ଏହି ପ୍ରଦର୍ଶନୀ କରିବାକୁ ଅନୁରୋଧ କରିଥିଲେ। ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଥମେ ଲକ୍ଷ୍ନୌର ବକ୍ସି କା ତାଲବ ବିମାନଘାଟିରେ ଏୟାର ସୋ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲା। ଏହି ନିଷ୍ପତ୍ତି କଥା ପ୍ରଘଟ ହେବା ପରେ କର୍ଣ୍ଣଟକବାସୀ କ୍ଷୋଭ ପ୍ରକାଶ କରିଥିଲେ ଓ ସେଠାରେ ଅସନ୍ତୋଷ ଦେଖା ଦେଇଥିଲା। ଫଳରେ ଏହି ସୋ ସ୍ଥାନ ଲକ୍ଷ୍ନୌ ବଦଳରେ ବେଙ୍ଗାଲୁରକୁ ପରିବର୍ତ୍ତିତ କରାଯାଇଛି।

Leave A Reply