ବିପଦସଙ୍କେତ ଟପିଲା ବୈତରଣୀ

0

କେନ୍ଦୁଝର :  ୩ଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ସମଗ୍ର କେନ୍ଦୁଝର ଜିଲାରେ ଜନଜୀବନ ବେଶ୍‍ ପ୍ରଭାବିତ ହୋଇଛି। ବିଶେଷକରି ଜିଲାର ଉପରମୁଣ୍ଡ ଚମ୍ପୁଆ ଉପଖଣ୍ଡରେ ଗୁରୁବାର ସର୍ବାଧିକ ବର୍ଷା ହୋଇଥିବାରୁ ଶୁକ୍ରବାର ଜିଲାର ନିମ୍ନଭାଗ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି।
ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦସଙ୍କେତ ୩୮.୩୬ ମିଟର ଅତିକ୍ରମ କରିଥିବା ଜିଲା ଆପାତକାଳୀନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ସମ୍ଭାବ୍ୟ ବନ୍ୟାର ଉପଯୁକ୍ତ ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇ ଆବଶ୍ୟକ ସାମଗ୍ରୀ ମହଜୁଦ ସହ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ଜିଲାର ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ବିଶେଷକରି କେନ୍ଦୁଝର ଠାରୁ ଜଗମୋହନପୁର ପର୍ଯ୍ୟନ୍ତ ୪୯ନଂ ଜାତୀୟ ରାଜପଥ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ଯୋଗୁଁ ଯାତାୟାତ ସେବା ଅନେକାଂଶରେ ବାଧାପ୍ରାପ୍ତ ହୋଇଛି।
ବୁଧବାର ଜିଲାରେ ମୋଟ ୩୯୯.୭ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଆଭରେଜ ବର୍ଷା ୩୦.୭୫ ମି.ମି. ହୋଇଥିବା ଜଣାପଡିଛି। ତେବେ ଗୁରୁବାର ଏହାର ପରିମାଣ ବୃଦ୍ଧି ପାଇଁ ଯୋଡା ବ୍ଲକରେ ସର୍ବାଧିକ ୧୪୩.୪ମି.ମି., ଝୁମ୍ପୁରା ବ୍ଲକରେ ୧୧୭.୬ ମି.ମି., ହାଟଡିହି ବ୍ଲକରେ ୯୯.୪ମି.ମି., ଚମ୍ପୁଆ ବ୍ଲକରେ ୬୩ମି.ମି., ବାଂଶପାଳ ବ୍ଲକରେ ୫୬.୭ମି.ମି., ଆନନ୍ଦପୁର ବ୍ଲକରେ ୪୦.୭ମି.ମି., ଘସିପୁରା ବ୍ଲକରେ ୪୦.୨ମି.ମି., ଘଟଗାଁ ବ୍ଲକରେ
୩୩.୬ମି.ମି., ପାଟଣା ବ୍ଲକରେ ୩୩ମି.ମି., ତେଲକୋଇ ବ୍ଲକରେ ୨୮.୪ମି.ମି., କେନ୍ଦୁଝର ସଦର ବ୍ଲକରେ ୨୮.୩ମି.ମି., ହରିଚନ୍ଦନପୁର ବ୍ଲକରେ ୨୭.୬ମି.ମି. ଓ ସାହାରପଡା ବ୍ଲକରେ ସର୍ବନିମ୍ନ ୨୬.୬ମି.ମି. ବର୍ଷାକୁ ମିଶାଇ ଜିଲାରେ ମୋଟ ୭୩୮.୫ ମି.ମି.ବର୍ଷା ରେକର୍ଡ କରାଯାଇଥିବା ଜିଲାରେ ଆଭରେଜ ବର୍ଷା ୫୬.୮୧ମି.ମି ରେକର୍ଡ କରାଯାଇଥିବା ଜିଲା ଆପାତକାଳୀନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ତେବେ ଶୁକ୍ରବାର ଯଦିଓ ଜିଲାରେ ବର୍ଷା ପରିମାଣ ବହୁମାତ୍ରାରେ ହ୍ରାସ ପାଇଛି ତଥାପି ଗତ ୩ଦିନର ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁର ଉପଖଣ୍ଡର ଆନନ୍ଦପୁର, ଘସିପୁରା ଓ ହାଟଡିହୀ ବ୍ଲକ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଅଞ୍ଚଳବାସୀ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତିି। ଗତ ୩ ଦିନ ଧରି ଲଗାଣବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ଗୃହପାଳିତ ପଶୁ ଓ ପକ୍ଷୀ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ପଦାକୁ ବାହାରି ପାରୁନଥିବା ବେଳେ ଏମାନଙ୍କ ପାଇଁ ଜିଲା ପ୍ରାଣୀ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହେଉଛି।

Leave A Reply