ସାରନଗରୀ, : ପୂଜା ଛୁଟି ପରେ ଆଜି ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନଃ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲାଯାଇ ଥିବା ଜଣାପଡ଼ିଛି । ମହାବିଦ୍ୟାଳୟରେ ନୂତନ ଭାବେ ପାଦ ଥାପିଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ୱାଗତ ଜଣାଯିବା ସଙ୍ଗେ ସଙ୍ଗେ ପାଠପଢା ଆଜିଠାରୁ ଆରମ୍ଭ ହେବାର ସୂଚନା ମିଳିଛି । ରାଉରକେଲାରେ ଥିବା ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଦକ୍ଷିଣ ରାଉରକେଲାରେ ଥିବା ପ୍ରିୟଦର୍ଶିନି ମହିଳା ମହାବିଦ୍ୟାଳୟ ଓ ଗାନ୍ଧି କଲେଜରେ ଏକାଦଶ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଦିନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ନିଆରା ଅନୁଭୂତି ସୃଷ୍ଟି କରିଥିଲା । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ମହାବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
କ୍ୟାମ୍ପସ ବିଶୋଧନ, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏକାଦଶ ଶ୍ରେଣୀ ପିଲା ମାନଙ୍କ ପାଇଁ ସକାଳ ୧୦ଟାରୁ ସାଢେ ଗୋଟାଏ ଯାଏ ଶ୍ରେଣୀ ପାଠ ପଢା ସହ ଅନଲାଇନ ମଧ୍ୟ ପାଠ ପଢାଯିବ ବୋଲି ସୂଚନା ମିଳିଛି । ଅଭିଭାବକଙ୍କ ସହମତି ପତ୍ର ଆଣି ଛାତ୍ରଛାତ୍ରୀ ମାନେ ଅଫଲାଇନ କ୍ଲାସରେ ଅଂଶ ଗ୍ରହଣ କରି ପାରିବେ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାବୁନ ରଖିବା, ହାତ ଧୋଇବାକୁ ବାଧ୍ୟତା ମୂଳକ କରିବା, ସ୍ୱତନ୍ତ୍ର ଆଇସୋଲେସନ ରୁମ ରଖିବା, ପ୍ରତି ଶ୍ରେଣୀରେ ୨୦ରୁ ୨୫ ବିଦ୍ୟାର୍ଥୀ ବସିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।



