www.samajalive.in
Wednesday, December 10, 2025
26.1 C
Bhubaneswar

ଆତ୍ମାର ଓଜନ!

ଅଗଷ୍ଟ ୧୯୨୯ରେ ଦୁଇବନ୍ଧୁ ପଲ୍‌ ଡିରାକ (୧୯୦୨-୧୯୮୪) ଓ ​ୱେର୍ଣ୍ଣର୍‌ ଆଇଜେନବର୍ଗ (୧୯୦୧-୧୯୭୬) ପଦାର୍ଥ ବିଜ୍ଞାନର ଗୋଟିଏ ସମ୍ପାନରେ ଯୋଗ ଦେବା ପାଇଁ ଜାହାଜରେ ଜାପାନ ଯାଉଥିଲେ। ସେତେବେଳେ ଉଭୟେ ଅବିବାହିତ। ଆଇଜେନ ବର୍ଗଙ୍କୁ ତାଙ୍କ ସାଙ୍ଗମାନେ ‘ମହିଳାଙ୍କ ପୁରୁଷ’ (ଲେଡିସ ମ୍ୟାନ) ଭାବେ ଜାଣନ୍ତି। ସେ ଯୁବତୀମାନଙ୍କୁ ସହଜରେ ପ୍ରେମ କରିପାରନ୍ତି ଅଥବା ପ୍ରଣୟୀଭାବେ ଛଳନା କରନ୍ତି; କିନ୍ତୁ ତାଙ୍କର ସାଥି ଡିରାକ୍‌ ଗମ୍ଭୀର ସ୍ବଭାବର ବ୍ୟକ୍ତି। ସେ ଅନ୍ୟମାନଙ୍କସହ ଖୋଲାରେ କଥାଭାଷା ହେବାଠାରୁ ନିଜକୁ ଦୂରେଇ ରଖନ୍ତି। ଏପରିକି କାହା ସହିତ ମିଳାମିଶା କରି ପଦେ କହିବା ତାଙ୍କ ପକ୍ଷେ ଯନ୍ତ୍ରଣାଦାୟକ। ଏହି ଦୁଇ ବନ୍ଧୁ ଏମିତି ବିପରୀତ ସ୍ବଭାବର ବ୍ୟକ୍ତି।

ଜାହାଜ ଯାତ୍ରାବେଳେ ତିରାକ ବନ୍ଧୁଙ୍କୁ କୌତୂହଳବଶତଃ ପ୍ରଶ୍ନ କଲେ, ‘ତୁମେ କାହିଁକି ନାଚ କରୁଛ?’
ଆଇଜେନବର୍ଗ ରସିକତାର ସହ ଜବାବ ଦେଲେ, ‘ଯେତେବେଳେ ଏତେ ସୁନ୍ଦରୀ ତରୁଣୀ ଅଛନ୍ତି, ଏହା (ନାଚ) ସନ୍ତୋଷ ଓ ଆନନ୍ଦ ପ୍ରଦାନ କରେ।’

- Advertisement -

ଡିରାକଙ୍କୁ ଏହି ଉତ୍ତର ରହସ୍ୟମୟ ମନେ ହେଲା। ପୁଣି ସେ ପଚାରିଲେ, ‘ଆଇଜେନବର୍ଗ! ପ୍ରଥମେ ତୁମେ କେମିତି ଜାଣୁଛ ଯେ କେଉଁ ଯୁବତୀ ରୂପସୀ। ଏମିତି ଜାଣିଲେ ତ ନାଚିବ।’

ଆଇଜେନବର୍ଗ ଏହି ଅସହଜ ପ୍ରଶ୍ନର ଜବାବ ଦେବାକୁ ଅସମର୍ଥ ହେଲେ। ଡିରାକ ଆଶା କରୁଥିଲେ ଯେ, ମହିଳାଙ୍କ ସୌନ୍ଦର୍ଯ୍ୟ ମାପିବା ପାଇଁ ଆଇଜେନବର୍ଗ କୌଣସି ଗୋଟିଏ ସୂତ୍ର ବା ସମୀକରଣ ବାହାର କରିଛନ୍ତି, ଯାହା ପ୍ରୟୋଗ କରି ଜଣକର ରୂପର ମାତ୍ରା ଗାଣିତିକ ଭାବେ ହିସାବ କରିହେବ। ତିରାକଙ୍କ ପ୍ରଶ୍ନର ଉତ୍ତର କେବଳ ବ୍ରହ୍ମାଙ୍କୁ ଜଣା ଥିବ! ପ୍ରକାଶଥାଉ କି, ପଲ ଡିରାକ ୧୯୩୩ରେ ଓ ଆଇଜେନବର୍ଗ ୧୯୩୨ରେ ପଦାର୍ଥ ବିଜ୍ଞାନରେ ନୋବେଲ ବିଜୟୀ ହୋଇଥିଲେ।

ଏହି କଥୋପକଥନରୁ ଗୋଟିଏ ବାର୍ତ୍ତା ମିଳେ, କେମିତି କିଛି ବୈଜ୍ଞାନିକ ବିଭିନ୍ନ ଭାବାତ୍ମକ ଗୁଣ ବା ସତ୍ତାର ମଧ୍ୟ ଗାଣିତିକ କିମ୍ବା ଗବେଷଣାଗାରରେ ପରୀକ୍ଷା କରି ତା’ର ସୂତ୍ର ଫର୍ମୁଲା ନିର୍ଣ୍ଣୟ କରିବା ପାଇଁ ବ୍ୟାକୁଳ। ଉଦାହରଣ ସ୍ବରୂପ ଆତ୍ମା ପରି ବିଷୟବସ୍ତୁ ବିଚାର୍ଯ୍ୟ।

ହାଭେରହିଲ (ମାସାଚ୍ୟୁସେଟସ୍‌)ର ଡାକ୍ତର ଡଙ୍କନ ମ୍ୟାକଡୋଗାଲ ୧୯୦୭ ମସିହାରେ ଆତ୍ମାର ଓଜନ ନିର୍ଣ୍ଣୟ କରିବାକୁ ଏକ ପରୀକ୍ଷା କରିବାକୁ ଚିନ୍ତା କଲେ। ଏଥିପାଇଁ ସେ ଛଅଜଣ ବ୍ୟକ୍ତିଙ୍କୁ ନିଜ ପରୀକ୍ଷା- ପରିସରରେ ଅନ୍ତର୍ଭୁକ୍ତ କଲେ। ଠିକ୍‌ ମରିବା ପୂର୍ବରୁ ଏବଂ ପରେ ସେ ସେମାନଙ୍କ ଓଜନ ରେକର୍ଡ କଲେ। ଦେଖିଲେ ଯେ, ଏଇ ଛଅ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁପରେ ଓଜନ ୨୧.୩ ଗ୍ରାମ କମିଗଲା। ତାହା ନିଶ୍ଚିତ ଆତ୍ମାର ଓଜନ ବୋଲି ସେ ଧରିନେଲେ। ମ୍ୟାକଡୋଗାଲ ଦାବି କଲେ ଯେ, ସେ ଏମିତି ଉପସଂହାରରେ ପହଞ୍ଚିବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଏବଂ ଏହା ଠିକ୍‌; କିନ୍ତୁ ବୈଜ୍ଞାନିକ ମହଲରେ ଏହା ସ୍ବୀକୃତ ହେଲା ନାହିଁ; କାରଣ ଏହି ନମୁନା ଆକାର ମୋଟେ ଛଅ ଜଣରେ ସୀମିତ। ତେବେ ଏହା ‘ଏକୋଇଶ ଗ୍ରାମ ପରୀକ୍ଷା’ ଭାବେ ଖ୍ୟାତ ହୋଇଛି।

ପରେ ‘ଡିମେମ୍ବର ୨୦୦୧ରେ ପଦାର୍ଥ ବିଜ୍ଞାନୀ ଲୁଇସି ହୋଲାଣ୍ଡର ମଣିଷ ପରିବର୍ତ୍ତେ ମେଣ୍ଢା, ଛେଳି ଉପରେ ପରୀକ୍ଷା କରି ଜାଣିଲେ ଯେ, ମୃତ୍ୟୁ ପରେ ଓଜନ ବୃଦ୍ଧିପାଏ, ଯାହାର ପରିମାଣ ୧୮ରୁ ୭୮୦ ଗ୍ରାମ।

ଏଥିରୁ ସ୍ପଷ୍ଟ ହୁଏ ଯେ, ଅଦ୍ୟାବଧି ଆତ୍ମାର ମପାମପି କ୍ଷେତ୍ରରେ ବୈଜ୍ଞାନିକ ପ୍ରଣାଳୀ ବ୍ୟର୍ଥ ହୋଇଛି, ଯଦିଚ କିଛି ଗବେଷକ ଉଦ୍ୟମ ଜାରି ରଖିଛନ୍ତି। ଏହି ପୃଷ୍ଠଭୂମିରେ ଭାଗବଦ୍‌ ଗୀତାର ଦ୍ବିତୀୟ ଅଧ୍ୟାୟର ବହୁଳ ପ୍ରଚଳିତ ଶ୍ଳୋକଟି ମନେ ପଡ଼େ:

ନ ଜାୟତେ ମ୍ରିୟତେ ବା କଦାଚିନ୍‌/ ନାୟଂ ଭୂତ୍ବା ଭବିତା ବା ନ ଭୂୟଃ। / ଅଜୋ ନିତ୍ୟଃ ଶାଶ୍ବତୋଽୟଂ ପୁରାଣୋ/ ନ ହନ୍ୟତେ ହନ୍ୟମାନେ ଶରୀରେ।

ଆତ୍ମାର ଜନ୍ମ ନାହିଁ କି ମରଣ ନାହିଁ। ଏମିତି ସମୟ ନଥିଲା, ଯେତେବେଳେ ଏହା ଅସ୍ତିତ୍ବହୀନ ଥିଲା। ଏମିତି ସମୟ ମଧ୍ୟ ନାହିଁ, ଯେତେବେଳେ ଏମିତି ଘଟିବ। ଆତ୍ମା ଚିରନ୍ତନ, ଅମର, ଶାଶ୍ବତ। ଶରୀର ନଷ୍ଟ ହେବା ସହ ଏହା ନଷ୍ଟ ହୁଏ ନାହିଁ।

ଆତ୍ମାର ପରିଚୟ ଦେବାବେଳେ ଏହାର ବସ୍ତୁତ୍ବ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଏହି ଅମରବାଣୀ ସତ୍ତ୍ବେ କୌତୂହଳୀ ମଣିଷ କ’ଣ ଆତ୍ମାର ଅଦୃଶ୍ୟ ସତ୍ତା ବିଶ୍ଳେଷଣ କରିବାରୁ ବା ତା’ର ସ୍ବରୂପ ବୈଷୟିକ ସ୍ତରରେ ନିର୍ଣ୍ଣୟ କରିବାରୁ କ୍ଷାନ୍ତ ରହିବ? ଦୃଷ୍ଟିହୀନା ହେଲେନ କେଲର (୧୮୮୦-୧୯୬୮)ଙ୍କ ମତ ପ୍ରଣିଧାନଯୋଗ୍ୟ, ‘ବିଶ୍ବର ସର୍ବୋତ୍ତମ ଓ ସୌନ୍ଦର୍ଯ୍ୟମୟ ବସ୍ତୁକୁ ଦେଖି ହେବ ନାହିଁ କି ଛୁଇଁ ହେବ ନାହିଁ। ହୃଦୟରେ ଏହାକୁ ଅନୁଭବ କରିବା ହେଉଛି ସର୍ବୋତ୍ତମ।’ ତେବେ ଏହା କିଛି ଜିଜ୍ଞାସୁ ଚିନ୍ତକ ଓ ବୈଜ୍ଞାନିକଙ୍କୁ କେତେ ଦୂର ସନ୍ତୁୁଷ୍ଟ କରିବ, ତାହା ଭବିଷ୍ୟତ କହିବ। ବିଶ୍ବାସକୁ ଭିତ୍ତିକରି ଆତ୍ମାର ସୃଷ୍ଟି; କିନ୍ତୁ ଏହା ସର୍ବସମ୍ମତ ହୋଇପାରିନାହିଁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories