www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ଦିରରେ ନିଜ ହାତଅଙ୍କା କୃଷ୍ଣଙ୍କ ଚିତ୍ର ପ୍ରଦାନକଲେ ମୁସଲମାନ ମହିଳା

କୋଝିକୋଡ: କେରଳର ଜଣେ ମହିଳା ନିଜ ହାତରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ର ଅଙ୍କନ କରିବା ସହିତ ତାହାକୁ ଏକ ମନ୍ଦିରକୁ ପ୍ରଦାନ କରିଛନ୍ତି । ୨୮ ବର୍ଷ ବୟସ୍କା ଜସନା ଏହି କୃଷ୍ଣଙ୍କର ଶିଶୁ ବୟସର ଚିତ୍ରକୁ ଅତି ସୁନ୍ଦର ଭାବରେ ଆଙ୍କିଛନ୍ତି । ଚିତ୍ର ଆଙ୍କିବା ପରେ ସେ ଏକ ଭକ୍ତମଣ୍ଡଳି ନିକଟରେ ପହଞ୍ଚି ତାହା ମନ୍ଦିରକୁ ପ୍ରଦାନ କରିବା ଲାଗି ଇଛା ପ୍ରକାଶ କରିଥିଲେ । ଶେଷରେ ତାହା ଉଲାଣ୍ଡୁ ଶ୍ରୀ କୃଷ୍ଣ ମନ୍ଦିରକୁ ହସ୍ତାନ୍ତର କରାଯାଇଛି । ଏଥିରେ ଶିଶୁ ଶ୍ରୀକୃଷ୍ଣ ଏକ ଲହୁଣି ଭର୍ତ୍ତି ହାଣ୍ଡିକୁ ଧରି ବସିଥିବା ଚିତ୍ର ରହିଛି । ଜସନା କହିଛନ୍ତି, ହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷ ତାହାକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିବା ପରେ ତାଙ୍କର ଏକ ସ୍ୱପ୍ନ ସାକାର ହୋଇଛି । ପୂର୍ବରୁ ସେ କେରଳର ଅନ୍ୟ ଦୁଇଟି ମନ୍ଦିରକୁ ତାଙ୍କର ହାତଅଙ୍କା ଚିତ୍ର ପ୍ରଦାନ କରିଥିଲେ ମଧ୍ୟ ପ୍ରଥମ ଥର ପାଇଁ ମନ୍ଦିରରେ ଅଧିଷ୍ଠିତ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଏହାକୁ ସମର୍ପଣ କରାଯାଇଛି । କିଛିବର୍ଷ ତଳେ କେରଳର କୋଝିକୋଡ ଜିଲାର ଜଣେ ମୁସଲମାନ ମହିଳା ମଧ୍ୟ ଭଗବାନ କୃଷ୍ଣଙ୍କର ଚିତ୍ର ଆଙ୍କି ଦେଶବ୍ୟାପୀ ଚର୍ଚ୍ଚିତା ହୋଇଥିଲେ ।
ଜସନା ସଲିମ ନାମକ ଏହି ମୁସଲମାନ ମହିଳା ଗତ ଛଅବର୍ଷ ମଧ୍ୟରେ ଭଗବାନ କୃଷ୍ଣଙ୍କର ଶେଶବାସସ୍ଥାର ୫୦୦ରୁ ଅଧିକ ଚିତ୍ର ଆଙ୍କିସାରିଛନ୍ତି । କିନ୍ତୁ ଏକ ମନ୍ଦିରକୁ ତାହା ପ୍ରଦାନ କରିବାର ସୁଯୋଗ ତାଙ୍କୁ ମିଳିନାହିଁ । ତେବେ ଗତ ରବିବାର ଦିନ କେରଳର ପଥନମଥିଟ୍ଟା ଜିଲାର ପଣ୍ଡଲମ୍‍ ଗ୍ରାମ ନିକଟସ୍ଥ ଉଲାଣ୍ଡୁ ଶ୍ରୀକୃଷ୍ଣ ସ୍ୱାମୀ ମନ୍ଦିରକୁ ଯେତେବେ ଏହି ଚିତ୍ର ପ୍ରଦାନ କରାଗଲା, ତାଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଥିବା ଜସନା କହିବା ସହିତ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଚିତ୍ରଟିକୁ ମନ୍ଦିରର ଅଧିଷ୍ଠାତା ଦେବତାଙ୍କ ନିକଟରେ ରଖାଯିବା ପରେ ପୂଜକ ତାହା ଦେହରେ ତୁଳସି ମାଳକୁ ସୁନ୍ଦର ଭାବରେ ସଜାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ ଜସନାଙ୍କ ପିଲାଦିନେ ତାଙ୍କ ମା’ ବାପା ତାଙ୍କୁ ସ୍ନେହରେ କାନ୍ନା ବୋଲି ଡାକୁଥିଲେ । ମନ୍ଦିରକୁ ଯିବା ପୂର୍ବରୁ ଜସନା ନମାଜ ପାଠ କରିଥିଲେ । ଏଥିସହିତ ତାଙ୍କ ପଡୋଶୀରେ ରହୁଥିବା ଏକ ହିନ୍ଦୁ ପରିବାରକୁ ମଧ୍ୟ ସେ ଭଗବାନ କୃଷ୍ଣଙ୍କର ଏକ ଚିତ୍ର ପ୍ରଦାନ କରିଥିଲେ । ଜସନା କହିଛନ୍ତି ଗର୍ଭାବସ୍ଥାରେ ସମୟରେ ସେ ଥରେ ତଳେ ପଡିଯାଇ ଆହତ ହୋଇଥିଲେ । ସେଥିରୁ ସୁସ୍ଥ ହେବା ସମୟରେ ତାଙ୍କ ଭିତରେ ଚିତ୍ର ଆଙ୍କିବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ଏକ ଖବରକାଗଜରେ ଭଗବାନ କୃଷ୍ଣଙ୍କର ଶୈଶବ ଚିତ୍ର ଦେଖିବା ପରେ ସେ ଅନୁରୂପ ଚିତ୍ର ଆଙ୍କିବା ପ୍ରେରଣା ପାଇଥିଲେ ଏବଂ ଆଙ୍କିଥିଲେ ମଧ୍ୟ । ଏହିଭଳି ଛଅବର୍ଷ ମଧ୍ୟରେ ସେ କୃଷ୍ଣଙ୍କର ଅନେକ ଚିତ୍ର ଆଙ୍କିସାରିଛନ୍ତି । ଜସନଙ୍କର ଦୁଇଟି ପିଲା; ଲେନଶାନ ଏବଂ ଲେନିସ୍କା । ତାଙ୍କ ସ୍ୱାମୀ ଦୁବାଇରେ କାର୍ଯ୍ୟ କରୁଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories