ଅଲିମ୍ପିକ୍‍ସ ପଦକ ଉପରେ ଲକ୍ଷ୍ୟ ରଖ: ରାଜ୍ୟପାଳ

0

ଭୁବନେଶ୍ୱର : ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ଗୋଟିଏ ସଂସ୍କରଣରେ ୨ଟି ରୌପ୍ୟ ପଦକ ବିଜୟୀହୋଇ ନୂଆ ଇତିହାସ ସୃଷ୍ଟି କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ କିଟ୍‍ ଓ କିସ୍‍ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସୋମବାର ଅପରାହ୍ଣରେ ହୋଟେଲ ମେଫେୟାରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଦୁତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଦୂତିଙ୍କୁ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ସମ୍ବର୍ଦ୍ଧିତ କରିଥିଲେ।
ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ଆଗ୍ରହ ଓ ଉତ୍ସାହ ଥିଲେ ସଫଳତା ପ୍ରତିବନ୍ଧକ ରହିନଥାଏ। ଯାହା ଓଡ଼ିଆ ଝିଅ ଦୂତି ଚାନ୍ଦ କରି ଦେଖାଇଛନ୍ତି। ଜୀବନରେ ଅନେକ ପ୍ରତିବନ୍ଧକ ମଧ୍ୟରେ ମଧ୍ୟ ହାର୍‍ ମାନିନାହାନ୍ତି। ଏସୀୟ କ୍ରୀଡ଼ାରେ ପଦକ ହାସଲକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ପାଇଁ ପ୍ରକୃତରେ ଓଡ଼ିଶା ଓ ଦେଶ ଗୌରବାନ୍ୱିତ। କ୍ରୀଡ଼ାର ଶ୍ରେଷ୍ଠ ମହାକୁମ୍ଭ ଅଲିମ୍ପିକ୍‍ସ। ପ୍ରତ୍ୟେକ କ୍ରୀଡ଼ାବିତ୍‍ ଅଲିମ୍ପିକ ପଦକ ଉପରେ ଲକ୍ଷ୍ୟ ରହିବା ଆବଶ୍ୟକ। ୨୦୨୦ ଟୋକିଓ ଅଲିମ୍ପିକ୍‍ସରେ କିଭଳି ପଦକ ହାସଲ କରିପାରିବ ସେ ସଂକଳ୍ପ ନେଇ ଆଗକୁ ବଢିବାକୁ ରାଜ୍ୟପ।।ଳ ପ୍ରଫେସର ଲାଲ୍‍ ଦୂତିଙ୍କୁ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟସଭା ସଦସ୍ୟ ତଥା ଅଭିନେତା ଅନୁଭବ ମହାନ୍ତି, ବିଏମ୍‍ସି ମେୟର ଅନନ୍ତ ନାରାୟଣ ଜେନା, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ, ଓଟିଡିସି ଅଧ୍ୟକ୍ଷ ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଜାତୀୟ ଜୁନିୟର କ୍ରିକେଟ ମନୋନୟନକର୍ତ୍ତା ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ ଦୂତିଙ୍କ ସମେତ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ, ବାପା ଓ ମା ଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହାଛଡ଼ା ୧୦୦ରୁ ଊର୍ଦ୍ଧ୍ବ ବିଭିନ୍ନ କ୍ରୀଡା ଅନୁଷ୍ଠାନ, ସାଧାରଣ ନାଗରିକଙ୍କ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। କିଟ୍‍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ଧନ୍ୟବାଦ ଦେଇଥିଲେ।

Leave A Reply