ଆଠଗଡ: ଆଠଗଡ ଅଞ୍ଚଳରେ ପୁଣି ଲୁଟେରା ଗ୍ୟାଙ୍ଗ ଏବେ ମାତିଲେଣି। ଗତକାଲି (ଶୁକ୍ରବାର) ବିଳମ୍ବିତ ରାତ୍ରିରେ ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତର ନୂଆବନ୍ଧ ଗ୍ରାମରେ ୬ଟି ଘରର କବାଟ, ଗ୍ରୀଲ ଓ ଲକର ଭାଙ୍ଗି ସୁନା ଗହଣା , ୪୦ହଜାରରୁ ଉର୍ଦ୍ଧ ନଗଦ ଟଙ୍କା, ୫ଟି ମୋବାଇଲ ଫୋନ ଏବଂ ଗୋଟିଏ ସ୍କୁଟି ଲୁଟ କରିଥିବା ଜଣାପଡିଛି। ତେବେ ଗ୍ରାମବାସୀ ଦୁର୍ବୁତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଥିବା ଜଣାପଡିଛି। ନୂଆବନ୍ଧ ଗ୍ରାମର ଉପରସାହିରେ ରହୁଥିବା ପ୍ରଭାକର ଜେନା, କୁଳମଣି ଜେନା, ଭାଷ୍କର ଜେନା, ଯୋଗୀନାଥ ଜେନା, ଗୁଣ୍ଡିଚା ମହାନ୍ତି ଓ ପ୍ରଦୀପ ମହାନ୍ତିଙ୍କ ଘରେ ପଶି ୫ ରୁ ୬ଜଣ ଦୁର୍ବୁତ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୪୦ହଜାର ଟଙ୍କା ସହିତ ମୋବାଇଲ ଓ ସ୍କୁଟି ଲୁଟି ନେଇଥିଲେ। ଗ୍ରାମବାସୀଙ୍କ ମଧ୍ୟରୁ କେହି ଜଣେ ଶବ୍ଦଶୁଣି ଉଠି ଅନ୍ୟମାନଙ୍କୁ ଡାକିବା ପରେ ଲୁଟିଆଙ୍କୁ ପିଛାକରି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।
ଆଠଗଡ ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାବୁ କରାଯାଇଥିବା ସଂପୃକ୍ତ ଲୁଟିଆଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଏଥିରେ ସଂପୃକ୍ତ ଅନ୍ୟ ଲୁଟିଆଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା ପ୍ରକାଶ କରିବା ସହ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଅଟକ ଥିବା ଦୁର୍ବୁତର ନାମ, ଠିକଣା ଜଣାଇବାକୁ କୁଣ୍ଠା ପ୍ରକାଶ କରିଥିଲେ।



