ସପ୍ତାହେ ପ୍ରବଳ ବର୍ଷା

0

ଭୁବନେଶ୍ୱର : ଉତ୍ତର ତାମିଲନାଡ଼ୁ ଉପକୂଳରୁ ରାୟଲସୀମା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡ଼ିଶା ପର୍ଯ୍ୟନ୍ତ ରହିଥିବା ମୌସୁମି ଟ୍ରଫ୍‍ଲାଇନ୍‍ ଦୁର୍ବଳ ହୋଇଛି। ତେବେ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୬କିମି ଉପରେ ରହିଛି। ଏହାସହିତ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ରାଜ୍ୟରେ ସକ୍ରିୟ ଥିବାରୁ ଆକାଶ ମୁଖ୍ୟତଃ ମେଘାଚ୍ଛନ୍ନ ରହିବା ସହିତ ସପ୍ତାହେ ବର୍ଷା ଲାଗି ରହିବ। କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ବୁଧବାର ଓ ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, କେନ୍ଦ୍ରପଡ଼ା ଓ ଯାଜପୁରରେ ଅଧିକ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଶନିବାର ରାତି ଓ ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର ଗୁରୁଣ୍ଡିଆରେ ସର୍ବାଧିକ ୧୩୦ ମିମି ବର୍ଷା ହୋଇଛି। ଚଣ୍ଡିଖୋଲରେ ୧୧୦, ମାହାଙ୍ଗା ଓ ସୁକିନ୍ଦାରେ ୧୦୦ ମିମିର ଅଧିକ ବର୍ଷା ହୋଇଛି।
ସେହିପରି ୧ ଜୁନ୍‍ରୁ ୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟର ୯ଟି ଜିଲାରେ ୧୯% ଅଧିକ ବର୍ଷା ହୋଇଥିବାବେଳେ ୨୧ଟିରେ ସାଧାରଣ ବର୍ଷା ଦେଖିବାକୁ ମିଳିଛି। ସେହିପରି ୧୦୮ଟି ବ୍ଲକରେ ୧୯% ଅଧିକ ବର୍ଷା ହୋଇଛି। ୧୭୦ଟି ବ୍ଲକରେ ସାଧାରଣ ବର୍ଷା ରହିଥିବାବେଳେ ୩୦ଟି ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ୬ଟି ବ୍ଲକରେ ଖୁବ୍‍ କମ୍‍ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଆନନ୍ଦପୁରଠାରେ ବିପଦ ସଙ୍କେତ ତଳେ ରହିଛି। ଆଖୁଆପଦାଠାରେ ଏହାର ବିପଦ ସଙ୍କେତ ୧୭.୮୩ ଥିବାବେଳେ ଜଳସ୍ତର ୧୭.୯୩ ରହିଛି। ତେବେ ଜଳସ୍ତର ଗତକାଲି ଅପେକ୍ଷା ଆଜି ହ୍ରାସ ପାଇଛି। ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୩.୬୦ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୪୧,୮୭୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୫ଟି ଗେଟ ଦେଇ ୯୩,୮୭୧ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳି ଦେଇ ୫,୧୭,୭୧୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Leave A Reply