ମୌସୁମୀ ବର୍ଷାର ଲୁଚକାଳି ଖେଳ: ଚାଷ ଜମିରେ ପାଣି ନାହିଁ, ଚିନ୍ତାରେ ଚାଷୀକୂଳ

ଝୁମ୍ପୁରା: ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଭାରତୀୟ ପାଣିପାଣ ଆଗୁଆ ସୂଚନା ପ୍ରଦାନ କରିଥିଲେ। ପାଣିପାଗ ବିଭାଗଠାରୁ ଆଗୁଆ ସୂଚନା ପାଇ ଚାଷୀମାନେ ଚାଷ କାମ ଆରମ୍ଭ କରିଥିଲେ। କିନ୍ତୁ ନିଅଣ୍ଟିଆ ବର୍ଷା ଯୋଗୂଁ ଚାଷୀ ମୁଣ୍ଡରେ ଏବେ ପଡିଛି ଚଡକ। ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତର ଚାଷୀ ମାନେ ଧାନ ଚାଷ କରିଛନ୍ତି ସତ କିନ୍ତୁ ଚାଷୀ ମାନଙ୍କୁ ବର୍ତ୍ତମାନ ମୌସୁମୀ ବର୍ଷା ଧକ୍କା ଦେଇଛି। ଆଜକୁ ୧୫ ଦିନରୁ ଊର୍ଦ୍ଧ୍ବ ହେବ ବର୍ଷା ଉଭାନ ହୋଇଯାଇଥିବାରୁ ଏବେ କାଁ ଭାଁ ଗହିର ଜମିକୁ ଛାଡି ଅନ୍ୟ ଜମି ରୁ ପାଣି ଶୁଖିଯିବା ସହିତ ଜମି ପାଣି ଅଭାବରୁ ଫାଟିବା ସହିତ ଲାଗିଥିବା ଧାନ ଗଛ ମରିବା ଆରମ୍ଭ କରି ଦେଇଛି। ପ୍ରତିଦିନ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଆସୁଛି ହେଲେ ବର୍ଷା ହେଉନାହିଁ। କଳା ହାଣ୍ଡିଆ ମେଘକୁ ଦେଖି ଚାଷୀ ମାନେ ଆନନ୍ଦିତ ହେଉଛନ୍ତି କିନ୍ତୁ କଳା ହାଣ୍ଡିଆ ମେଘ ଆକାଶରେ ରହିଯାଉଛି ବର୍ଷା ହେଉନାହିଁ। ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ସରକାର ପକ୍ଷରୁ ଚିରସ୍ରୋତା ନାଳ ଗୁଡିକରେ ଚେକ ଡ୍ୟାମ ନିର୍ମାଣ କରିଛନ୍ତି ସତ କିନ୍ତୁ ଅଧିକାଂଶ ଚେକଡ୍ୟାମରେ ପାଣି ରହୁନାହିଁ ଅଧାଭଙ୍ଗା ଅବସ୍ଥାରେ ଚେକଡ୍ୟାମ ରହିଛି। ସରକାର ଚାଷୀ ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚେକଡ୍ୟାମ ନିର୍ମାଣ କରୁଛନ୍ତି ସତ କିନ୍ତୁ ନିର୍ମାଣ ହେଉଥିବା ଚେକଡ୍ୟାମ ଗୁଡିକରେ କିଛି ତୃଟି ରହିଯାଉଥିବାରୁ ଚାଷୀଙ୍କ ଚାଷ କାମରେ ଚେକଡ୍ୟାମର ପାଣି ଲାଗିବା ପୂର୍ବରୁ ଭାଙ୍ଗି ଯାଉଛି। ଚଳିତବର୍ଷ ଖରିଫ ଋତୁରେ ଭଲ ଅମଳ କରିବାକୁ ଆଶା ରଖିଥିବା ବେଳେ ଏବେ ବର୍ଷା ଅଭାବରୁ ହତାଶ ହୋଇପଡିଛନ୍ତି ଚାଷୀ କୂଳ। ଖରିଫ ଋତୁରେ ଧାନ ଫଳାଇ ଚାଷୀ ପରିବାର ପ୍ରତିପୋଷଣ କରିବାର ଯେଉଁ ହସ ଟିକିଏ ରଖିଥିଲେ ତାହା ଚାଷୀଙ୍କ ମୁହଁରୁ ଉଭେଇ ଯାଇଛି। ଝୁମ୍ପୁରା ବ୍ଲକରେ ଚାଷ ଜମିକୁ ଜନସେଚନ ସେପରୀ ସୁବିଧା ନଥିବାରୁ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ଚଳିତ ବର୍ଷ ଚାଷ କାର୍ଯ୍ୟରେ ଚାଷୀ ମାନେ ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ, ଚାଷ ଜମିକୁ ହଳକରିବା, ଧାନ ଲଗାଇବାରେ ଯେତିକି ଖର୍ଚ୍ଚ କରିଛନ୍ତି ତାହା କିପରି ଆଦାୟ କରିବେ ଏବଂ ପରିବାର ମୁହଁରେ କିପରୀ ଖାଦ୍ୟ ଯୋଗାଇବେ ସେଇ ଚିନ୍ତାରେ ଚାଷୀକୂଳ ରହିଛନ୍ତି।

Comments are closed.