www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶ ଛାଡ଼ିବାକୁ ଦଳାଚକଟା

-ଆଫଗାନିସ୍ତାନରୁ ଫେରିଲେ ଆଉ ୩୯୦ ଭାରତୀୟ
-୨ ସାଂସଦଙ୍କ ସମେତ ୨୩ ହିନ୍ଦୁ ଓ ଶିଖ୍‌ଙ୍କୁ ଶରଣାର୍ଥୀ ମାନ୍ୟତା
-ଭାରତ ଫେରିବା ପରେ କାନ୍ଦିଲେ ଆଫଗାନ ଶିଖ ସାଂସଦ

କାବୁଲ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏଠାରେ ଲାଗି ରହିଥିବା ପରିସ୍ଥିତିକୁ ନେଇ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ଏହି କ୍ରମରେ ରବିବାର ବାୟୁସେନାର ୩ଟି ବିମାନରେ ପ୍ରାୟ ୪୦୦ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସ୍ବଦେଶ ଫେରାଇଅଣାଯାଇଛି। ଏମାନଙ୍କ ମଧ୍ୟରେ ୨୩ଜଣ ଆଫଗାନ ଶିଖ୍ ଓ ହିନ୍ଦୁ ଅଛନ୍ତି। ଏହା ସହିତ ଆଫଗାନିସ୍ତାନର ଦୁଇଜଣ ସାଂସଦ ମଧ୍ୟ ଭାରତ ଆସିବା ପୂର୍ବକ ଶରଣାର୍ଥୀ ଭାବେ ରହିଛନ୍ତି। ୧୦୭ଜଣ ଭାରତୀୟ ଏବଂ ୨୩ଜଣ ଆଫଗାନ ଶିଖ ଏବଂ ହିନ୍ଦୁଙ୍କ ସମେତ ସମୁଦାୟ ୧୬୮ଜଣଙ୍କୁ ଧରି ଭାରତୀୟ ବାୟୁସେନାର ସି-୧୭ ପରିବହନକାରୀ ଯୁଦ୍ଧ ବିମାନ କାବୁଲ ବିମାନବନ୍ଦରରୁ ଉଡାଣ କରି ଦିଲ୍ଲୀ ନିକଟବର୍ତ୍ତୀ ହିଣ୍ଡନ ବିମାନଘାଟିରେ ଅବରତଣ କରିଥିଲା। ଏମାନଙ୍କ ମଧ୍ୟରେ
ଆଫଗାନ ସାଂସଦ ଅନାରକଲି ହୋନରିୟାର୍ ଏବଂ ନରେନ୍ଦ୍ର ସିଂହ ଖାଲ୍‌ସା ଏବଂ ସେମାନଙ୍କ ପରିବାରବର୍ଗ ଥିଲେ। ସେହିପରିି ବାୟୁସେନାର ଅନ୍ୟ ଏକ ବିମାନରେ ୮୭ଜଣ ଭାରତୀୟ ଏବଂ ଦୁଇଜଣ ନେପାଳୀଙ୍କୁ ଭାରତ ଅଣାଯାଇଛି। ଏମାନଙ୍କୁ ଦିନକ ପୂର୍ବରୁ କାବୁଲର ଅଣାଯାଇ ତାଜିକସ୍ତାନରେ ରଖାଯାଇଥିଲା। ବାୟୁସେନା ବିମାନ ସେମାନଙ୍କୁ ତାଜିକସ୍ତାନରୁ ନେଇ ଆସିଥିଲା। ସେହିପରି ଆଉ ୧୩୫ଜଣ ଭାରତୀୟଙ୍କୁ ଦୋହାରୁ ନୂଆଦିଲ୍ଲୀ ଅଣାଯାଇଛି। ଏହି ଭାରତୀୟଙ୍କୁ କିଛି ଦିନ ପୂର୍ବେ ଆମେରିକା ସେନା ସହାୟତାରେ କାବୁଲରୁ ଦୋହା ଅଣାଯାଇଥିଲା। ଅନ୍ୟପଟେ ଆଫଗାନିସ୍ତାନରୁ ଆଉ ୨୨୨ ଆଫଗାନ ଶିଖ୍‌ ଓ ହିନ୍ଦୁଙ୍କୁ ଆଣିବା ଲାଗି କାର୍ଯ୍ୟ କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି।
ଆଫଗାନିସ୍ତାନ ଛାଡି ଭାରତ ପଳାଇ ଆସିଥିବା ଶିଖ ସାଂସଦ ନରେନ୍ଦ୍ର ସିଂହ ଖାଲସା ବିମାନବନ୍ଦରରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ବେଳେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ ଦୀର୍ଘ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଯାହା କିଛି ବିକାଶ ହୋଇଥିଲା ତାହା ଏବେ ଧ୍ବଂସ ହୋଇଯାଇଛି। ଖାଲସାଙ୍କ ସହିତ ତାଙ୍କ ପରିବାର ବର୍ଗ ମଧ୍ୟ ଭାରତ ଚାଲିଆସିଛନ୍ତି। ତେବେ ଭାରତରେ ତାଙ୍କୁ ଶରଣାର୍ଥୀ ଭାବେ ରବିବାର ସୁଯୋଗ ମିଳିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ କାବୁଲରେ ଏବେ ଆହୁରି ୨୦୦ରୁ ଅଧିକ ଶିଖ୍ ଓ ହିନ୍ଦୁ ଆଫଗାନ ଫସି ରହିଛନ୍ତି। ତେବେ ଏହିସବୁ ଶିଖ ଓ ହିନ୍ଦୁଙ୍କୁ ଉଦ୍ଧାର ନିମନ୍ତେ ଭାରତ ସରକାର ଉଦ୍ୟମ କରୁଥିବା ଜଣାଯାଇଛି। ସେ କହିଛନ୍ତି ଯେ ଆଫଗାନିସ୍ତାନ ଅବସ୍ଥା ବହୁତ ଖରାପ ରହିଛି। ଲୋକମାନେ ଭୟରେ ରହୁଛନ୍ତି। କାହାରି ଉପରେ ଭରସା ନାହିଁ। ସେଠାରେ କୌଣସି ସରକାର ନାହିଁ। କେତେବେଳେ ବି କିଛି ଘଟିପାରେ। ଜଣେ ସାଂସଦ ଭାବେ ଦେଶ ଛାଡିବା କେତେ ଯନ୍ତ୍ରଣା ଦାୟକ ତାହା କେହି ବୁଝିପାରିବେ ନାହିଁ।
କାବୁଲ ବିମାନବନ୍ଦରରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇ ୭ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରବିବାର ବ୍ରିଟିଶ ସେନା ପକ୍ଷରୁ କୁହାଯାଇଛି। ତାଲିବାନ ଭୟରେ ଲୋକେ ଦେଶଛାଡି ପଳାଇବାକୁ ବିମାନବନ୍ଦରରେ ଭିଡ ଜମାଇଥିବାରୁ ଏହି ଦଳାଚକଟା ହୋଇଛି। ବିମାନବନ୍ଦରର ଭିଡ ଏଡାଇବାକୁ ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳିଚାଳନା କରିବାରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ ମନ୍ତ୍ରଣାଳୟ କହିଛି ଯେ ପରିସ୍ଥିତି ଆହ୍ବାନପୂର୍ଣ୍ଣ ରହିଥିବା ବେଳେ ପ୍ରତିଟି ପରିସ୍ଥିତିକୁ ନିରାପଦ ଓ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ଉଦ୍ୟମ କରାଯାଉଛି। ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ଏବେ ଏଠାରୁ ୨୫୦୦ ଆମେରିକୀୟଙ୍କ ସମେତ ୧୭,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା। ଅନ୍ୟପଟେ ନାଟୋ ପକ୍ଷରୁ କୁହାଯାଇଛି ଯେ ଗତ ୭ଦିନ ମଧ୍ୟରେ କାବୁଲ ବିମାନବନ୍ଦରରେ ଅଘଟଣ ଘଟି ୨୦ଜଣଙ୍କର ମୃତ୍ୟୁ ହେଲାଣି।
ଆମେରିକା ବାୟୁସେନାର ଯୁଦ୍ଧ ବିମାନ ସି-୧୭ ମଧ୍ୟରେ ଜଣେ ଆଫଗାନ ମହିଳା ଏକ ସନ୍ତାନ ପ୍ରସବ କରିଛନ୍ତି। ବିମାନଟି କାବୁଲର ଜର୍ମାନୀର ରାମଷ୍ଟେଇନ ବିମାନ ଘାଟି ଅଭିମୁଖେ ଶନିବାର ଉଡାଣ କରିଥିଲା। ବିମାନ ଉଡାଣ ସମୟରେ ମହିଳା ଜଣଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ବିମାନ ଚାଳକ ବିମାନକୁ ନିମ୍ନାଭୂିମୁଖୀ କରିଥିଲେ ଯାହା ମହିଳାଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା। ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ କାବୁଲ ବିମାନବନ୍ଦର ଉପରେ ବିସ୍ଫୋରଣ ଘଟାଇବା ନେଇ ଜାତିସଂଘ ସୁରକ୍ଷା ପରାମର୍ଶଦାତା ସତର୍କ ସୂଚନା ଜାରି କରିଛନ୍ତି। କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଆମେରିକୀୟ ସୈନ୍ୟ ରହିଥିବାରୁ ଏଠାରେ ବିସ୍ଫୋରଣ ଘଟାଇ ଆଇଏସଆଇଏସ୍ ଗଣସଂହାର ରଚିବାର ଯୋଜନା କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories