ବିଜେପି ନେତାଙ୍କ ନିଶାସକ୍ତ ପୁଅ : ଗାଡ଼ି ଚଡ଼ାଇ ୨ ଶ୍ରମିକଙ୍କୁ ମାରିଲା 

0

ଜୟପୁର : ରାଜସ୍ଥାନ ବିଜେପି କୃଷକ ମୋର୍ଚ୍ଚାର ନେତା ବଦ୍ରି ନାରାୟଣ ମିନାଙ୍କ ପୁଅ ଭାରତ ଭୂଷଣ ମିନା ଜୟପୁରଠାରେ ଶୁକ୍ରବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ କିଛି ଶ୍ରମିକଙ୍କ ଉପରେ ଗାଡି଼ ମଡ଼ାଇଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ସହିତ ଏ ସମ୍ବନ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭାରତ ଭୂଷଣଙ୍କ ରକ୍ତରେ ନିର୍ଦ୍ଧାରିତ ସ୍ତରଠାରୁ ନ’ଗୁଣା ଅଧିକ ମାତ୍ରାରେ ଆଲକହଲ ଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି। ଭାରତ ଓ ତାଙ୍କ ବନ୍ଧୁମାନେ ଏସ୍‍ୟୁଭିରେ ଯାଉଥିବା ବେଳେ ପ୍ରଥମେ ସ୍ଥାନୀୟ ଗାନ୍ଧୀନଗର ରେଳଷ୍ଟେସନସ୍ଥିତ ଫ୍ଲାଏଓଭର ନିକଟରେ ଥିବା ଏକ ପେଭମେଣ୍ଟକୁ ଧକ୍କା ଦେଇଥିଲେ। ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଗାଡି ଚାଳକ ଭାରତ ନିୟନ୍ତ୍ରଣ ହରାଇ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡ଼ି ମଡାଇଦେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଭାରତଙ୍କ ବିରୋଧରେ ନିଶାସକ୍ତ ଅବସ୍ଥାରେ ଗାଡି଼ ଚଳାଇବା ତଥା ହତ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏସ୍‍ୟୁଭିଟି ତାଙ୍କ ପିତାଙ୍କ ନାମରେ ପଞ୍ଜିକୃତ ଥିବା ବେଳେ ସେଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରାର ପୋଷ୍ଟର ଥିବା ସିସିଟିଭି ଭିଡିଓରୁ ଜଣାପଡିଛି।

Leave A Reply