ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତର ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ ୨୦୨୧-୨୨ ଆର୍ଥିକ ବର୍ଷର ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତ୍ରୈୟମାସିକ ଫଳାଫଳ ଘୋଷଣା କରିଛି। ଉକ୍ତ ତ୍ରୈମାସରେ କମ୍ପାନୀର ନିଟ୍ ଲାଭ ୩୪୭.୭୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ଗତ ବର୍ଷର ଏହି ଅବଧିରେ୧୬.୬୩ କୋଟି ଟଙ୍କା ଥିଲା।ପ୍ରତିକୂଳ ବ୍ୟବସାୟିକ ପରିବେଶ ସତ୍ତ୍ୱେ ବଜାର ଆକଳନ ଠାରୁ ଉନ୍ନତ ପ୍ରଦର୍ଶନ କରି କମ୍ପାନୀ ଏହାର ବ୍ୟବସାୟର ସବୁ କ୍ଷେତ୍ରରେ ଉତ୍ସାହଜନକ ପ୍ରଦର୍ଶନ କରିଛି।
ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ଆର୍ଥିକ ଫଳାଫଳ ଅନୁଯାୟୀ, ନାଲକୋର ପରିଚାଳନାଗତ ରାଜସ୍ୱ ୨୪୭୪.୫୫ କୋଟି ଟଙ୍କା ହୋଇଛି, ଯାହା ଗତବର୍ଷର ଏହି ତ୍ରୈୟମାସରେ ହୋଇଥିବା ୧୩୮୦.୬୩ କୋଟି ଟଙ୍କା ତୁଳନାରେ ୭୯.୨% ଅଧିକ ଅଟେ। ମୁଖ୍ୟତଃ ଦୃଢ଼ ବଜାର ଚାହିଦା, ଉତ୍ପାଦନ ତଥା ବିକ୍ରୟ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଏବଂ ୟୁନିଟଗୁଡିକର ଦକ୍ଷତାର ସଠିକ୍ ଉପଯୋଗ ଓ ସୁପରିଚାଳନା ଯୋଗୁଁ ଏହି ବୃଦ୍ଧି ହୋଇ ପାରିଛି।
ଉତ୍ପାଦନ କ୍ଷେତ୍ରରେ ମଧ୍ୟ ନାଲକୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ତ୍ରୈ-ମାସରେ ବକ୍ସାଇଟ୍, ଆଲୁମିନା ଓ ଆଲୁମିନିୟମ୍ ଉତ୍ପାଦନ୧୭.୬୧ ଲକ୍ଷ ଟନ୍, ୫.୨୧ ଲକ୍ଷ ଟନ୍ ଓ ୧.୧୪ ଲକ୍ଷ ଟନ୍ ହୋଇଛି। ଯାହା ଗତ ଆର୍ଥିକ ବର୍ଷର ଏହି ତ୍ରୈ-ମାସରେ ଯଥାକ୍ରମେ୧୭.୧୦ ଲକ୍ଷ ଟନ୍, ୪.୬୫ ଲକ୍ଷ ଟନ୍ ଓ ୦.୯୮ଲକ୍ଷ ଟପିଛି।
ଦଳଗତ କାର୍ୟ୍ୟ ଓ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି। କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାଲକୋ ଏହାର ରଣନୀତିପୂର୍ଣ୍ଣ ଯୋଜନା, କଞ୍ଚାମାଲ, ଶ୍ରମଶକ୍ତି ଓ ବ୍ୟବସାୟୀକ ଖର୍ଚ୍ଚର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିବା ଯୋଗୁଁ ଏହି ସଫଳତା ହାସଲ କରାଯାଇ ପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଥି ସହ ନାଲକୋକୁ ପ୍ରଦାନ କରିଥିବା ନିରବଚ୍ଛିନ୍ନ ସହଯୋଗ ପାଇଁ ଶ୍ରୀ ପାତ୍ର ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।



