www.samajalive.in
Monday, December 8, 2025
17.1 C
Bhubaneswar

ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି। ଆଜି ଆକାଶବାଣୀରେ ପ୍ରଚାରିତ ମନ କି ବାତରେ ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ବିରୁଦ୍ଧରେ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି କିନ୍ତୁ ଏହି ସଂଗ୍ରାମରେ ଅନେକ ଅସାଧାରଣ ଲକ୍ଷ୍ୟ ମଧ୍ୟ ହାସଲ ହୋଇଛି। ସେ କହିଛନ୍ତି, କିଛିଦିନ ତଳେ ହିଁ ଆମ ଦେଶ ଗୋଟିଏ ଅଭୂତପୂର୍ବ କାର୍ଯ୍ୟ କରିଛି । ଜୁନ ୨୧ ତାରିଖ ଦିନ ଟିକାକରଣ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ସେହିଦିନ ଆମ ଦେଶ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇ ଗୋଟିଏ ରେକର୍ଡ଼ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷେ ଆଗରୁ ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନ ଥିଲା ଯେ ଟିକା କେବେ ଆସିବ? ଆଜି ଆମେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତରେ ତିଆରି ଟିକା ମାଗଣାରେ ଦେଉଛୁ। ସେ କହିଛନ୍ତି, ଟିକାର ସୁରକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉପଲବ୍ଧ ହେଉ, ସେଥିପାଇଁ ଆମକୁ ନିରନ୍ତର ଉଦ୍ୟମ କରିବାକୁ ହେବ। ଅନେକ ସ୍ଥାନରେ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ପାଇଁ ଅନେକ ସଂଗଠନ, ନାଗରିକ ସମାଜର ଲୋକେ ଆଗେଇ ଆସିଛନ୍ତି ଏବଂ ସେମାନେ ମିଶି ଖୁବ ଭଲ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବଡ଼ ବଡ଼ ବୈଜ୍ଞାନିକମାନେ ବର୍ଷସାରା ରାତିଦିନ ଏକାଠି କରି କାମ କରିଛନ୍ତି ଆଉ ଏଥିପାଇଁ ଆମକୁ ବିଜ୍ଞାନ ଉପରେ ଭରସା କରିବା ଦରକାର, ବୈଜ୍ଞାନିକଙ୍କ ଉପରେ ଭରସା କରିବା ଆବଶ୍ୟକ। ଆଉ ମିଛ ପ୍ରଚାର କରୁଥିବା ଲୋକଙ୍କୁ ବାରମ୍ବାର ବୁଝାଇବା ଦରକାର ଯେ ଦେଖ ଭାଇ ଏମିତି ହୁଏ ନାହିଁ, ଏତେ ଲୋକ ତ ଟିକା ନେଇସାରିଛନ୍ତି, କିଛି ହୁଏ ନାହିଁ।

- Advertisement -

ଶ୍ରୀ ମୋଦୀ କହିଛନ୍ତି ଯେ କେବେ ନା କେବେ ଏଇ ବିଶ୍ୱ ପାଇଁ ଏହା କେସ୍ ଷ୍ଟଡିର ବିଷୟ ହେବ ଯେ ଭାରତର ଗାଁର ଲୋକେ, ଆମର ବନବାସୀ-ଆଦିବାସୀ ଭାଇଭଉଣୀମାନେ ଏହି କରୋନା କାଳରେ କିଭଳି ନିଜ ସାମର୍ଥ୍ୟ ଏବଂ ଚତୁରତାର ପରିଚୟ ଦେଇଛନ୍ତି। ଗାଁର ଲୋକେ ସଙ୍ଗରୋଧ କେନ୍ଦ୍ର ତିଆରି କଲେ, ସ୍ଥାନୀୟ ଆବଶ୍ୟକତାକୁ ଦେଖି କୋଭିଡ଼ ପ୍ରୋଟୋକଲ୍ ତିଆରି କଲେ। ଗାଁ ଲୋକେ କୌଣସି ଲୋକଙ୍କୁ ଭୋକରେ ଶୋଇବାକୁ ଦେଲେ ନାହିଁ, ଚାଷକାମକୁ ବି ବନ୍ଦ ହେବାକୁ ଦେଲେ ନାହିଁ। ପାଖ ସହରରେ କ୍ଷୀର-ପନିପରିବା, ଏସବୁ ପ୍ରତିଦିନ ଯେମିତି ପହଞ୍ଚିପାରିବ, ଏହାକୁ ବି ଗାଁ ଲୋକେ ସୁନିଶ୍ଚିତ କଲେ, ଅର୍ଥାତ ନିଜକୁ ସମ୍ଭାଳିଲେ ଏବଂ ଅନ୍ୟମାନଙ୍କର ଯତ୍ନ ନେଲେ। ଏମିତି ହିଁ ଆମକୁ ଟିକା ଅଭିଯାନରେ ମଧ୍ୟ କରିବାକୁ ପଡ଼ିବ। ଆମକୁ ସଚେତନ ବି ରହିବାକୁ ହେବ, ଆଉ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ। ଗାଁର ପ୍ରତ୍ୟେକ ବ୍ୟକ୍ତିର ଯେମିତି ଟିକାକରଣ ହୋଇଯିବ, ଏହା ପ୍ରତ୍ୟେକ ଗାଁର ଲକ୍ଷ୍ୟ ହେବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories