ରଜର ଶେଷ ଦିନ : ବସୁମତୀ ସ୍ନାନ
ଆଜି ୩ୟ ରଜ। କରୋନା କଟକଣାରେ ଚଳିତ ବର୍ଷ ପାଳନ ହେଲା ରଜ। ରଜର ମୁଖ୍ୟ ଆକର୍ଷଣ ହେଉଛି ରଜ ଦୋଳି, ରଜ ପାନ, ପିଠାପଣା। ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ମୁଖ୍ୟତଃ ଏହା କୁଆଁରୀ କନ୍ୟାମାନଙ୍କ ପର୍ବ। ରଜ ପର୍ବ ମୁଖ୍ୟତଃ ୩ଦିନ ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ବା ବସୁମତୀ ସ୍ନାନ।
ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।
ବୁଧବାର ବସୁମତୀ ସ୍ନାନ। ନୂଆ ପିଢ଼ା, ନୂଆଲୁଗା, ହଳଦୀ, ଶିଳପୁଆ, ଲଙ୍ଗଳ ଲୁହା, ଚନ୍ଦନ, ସିନ୍ଦୂର ଏମିତିକି ଯେତେ ଯେତେ ଉପଯୋଗୀ ଉପଚାର ଭୂମିପୂଜା ପାଇଁ ଲୋଡ଼ା (ସେ ସବୁ ପ୍ରତୀକାତ୍ମକ) ସମସ୍ତ ଜିନିଷ ଯୋଗାଡ଼ କରାଯାଇଛି। ବର୍ଷର ଏହି ସନ୍ଧିକାଳରେ ମାଟି ମାଆକୁ ସୁଖ ଦେବା ଲାଗି ରଜପର୍ବର ପରିକଳ୍ପନା। ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ପୃଥିବୀ ମା’କୁ ମାତା ଭାବେ ବିବେଚନା କରାଯାଇ ବର୍ଷାର ଆଗମନରେ ସେ ରଜସ୍ୱଳା ହୋଇଥାଆନ୍ତି। ଏହାପରେ ନୂତନ ଶସ୍ୟ ଉତ୍ପନ ହୋଇଥାଏ। ତେଣୁ ଏହି ତିନି ଦିନ ଚାଷୀମାନେ ହଳଲଙ୍ଗଳ ବ୍ୟବହାର ନକରି ଚାଷ କାର୍ୟ୍ୟରୁ ତିନିଦିନ ପାଇଁ ବିରତି ନେଇଥାଆନ୍ତି। ଆମ ଦେଶ କୃଷି ପ୍ରଧାନ ଦେଶ। ମାଟି ମା’ ବହୁ ପ୍ରକାରର ଫସଲ ଆମ ହାତେ ଅଜାଡ଼ି ଦେଇଥାଆନ୍ତି।
ଗାଁ ଓ ସହର ଉଭୟ ଠାରେ ରଜ ସମୟରେ ଦୋଳି ବନ୍ଧା ଯାଇଥାଏ। ବାଉଁଶରେ ,ଦୌଡ଼ିରେ ଆଦି ଦୋଳି ବନ୍ଧା ଯାଏ। ଦୋଳିକୁ କିଛି ଫୁଲ ଓ ଲତାରେ ସଜାଯାଇଥାଏ। କୁଆଁରୀ କନ୍ୟାମାନେ ଦୋଳି ଖେଳି ଆନନ୍ଦ ବିଭୋର ହୋଇଯାଆନ୍ତି। ବିଶେଷ କରି ଗାଁମାନଙ୍କରେ ଥିବା ବହୁ ଗଛରେ ଏକତ୍ର ୭ ରୁ ୮ଟି ଦୋଳି ବାନ୍ଧି ଗାଁର କନ୍ୟାମାନେ ଏକାଠି ରଜ ଗୀତ ଗାଇ ଦୋଳି ଖେଳି ଥାଆନ୍ତି। ସଙ୍ଗାତମାନଙ୍କ ସହ ମିଠା ମଧୁର କଥା ଗୀତ ସହ ବନରେ ଥିବା ପକ୍ଷୀଙ୍କ ରାବରେ ଏକ ଭିନ୍ନ ଦୁନିଆରେ ଥିବା ଭଳି ମନେ ହେଉଥାଏ।
ରଜ ପିଠାପଣା ….
ରଜର ଏକ ମୁଖ୍ୟ ଖାଦ୍ୟ ହେଉଛି ସ୍ୱତନ୍ତ୍ର ପିଠାପଣା। ଏହି ଦିନ ପୋଡ଼ପିଠା, ଛେନା ଚକୁଳି, ଚକୁଳି, ପୁର ପିଠା, ଭଳିକି ଭଳି ପିଠା ପଣାରେ ଘରେ ଘରେ ପ୍ରସ୍ତୁତ ହୁଏ। ଖାଇବାକୁ ଏହା ଖୁବ ସୁଆଦିଆ ଲାଗେ।
କୁମାରୀକନ୍ୟାମାନେ ଏହି ୩ ଦିନ ଯାକ ବିଭିନ୍ନ ଖେଳ ଯେପରି ଲୁଡ଼ୁ, ପୁଚି, ରଜ ଦୋଳି ଖେଳି ଥାଆନ୍ତି। ଖାଲି କୁମାରୀ କନ୍ୟାମାନେ ନୁହେଁ ବରଂ ପୁଅମାନେ ମଧ୍ୟ ଲୁଡ଼ୁ, ତାସ୍, ବାଗୁଡ଼ି ଆଦି ଖେଳିଥାଆନ୍ତି। ବିଶେଷକ କରି ଗାଁମାନଙ୍କରେ ଥିବା ଚାନ୍ଦିନୀ, ବଗିଚା ଆଦି ସ୍ଥାନରେ ଯୁବକ ଓ ଅନ୍ୟମାନେ ଏକାଠି ହୋଇ ଏହି ସମସ୍ତ ଖେଳ ଥାଆନ୍ତି। ପୁରପଲ୍ଲୀ ସବୁଆଡ଼େ ରଜ ସମୟରେ ଆନନ୍ଦ ଉଲ୍ଲାସରେ ଭରିଯାଇଥାଏ।
Comments are closed.