ଭୁବନେଶ୍ୱର : ଧାମରା ପାଖରେ ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ ବାତ୍ୟା ୟାସ। ପାରାଦୀପ ଓ ଧାମରା ବନ୍ଦର ପାଇଁ ସର୍ବାଧିକ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ପୁରୀ ପାଇଁ ୮, ଗୋପାଳପୁର ପାଇଁ ୩ ନମ୍ବର ସଙ୍କେତ ଜାରି ହୋଇଛି। ଏହାସହ ବାତ୍ୟା ୟାସ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ହୋଇଛି। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଆଜି ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା, ଅସ୍ତରଙ୍ଗରେ ୧୧୫ ମିମି ଓ କୁଜଙ୍ଗରେ ୧୧୦ ମିମି , ଚାନ୍ଦବାଲିରେ ୧୦୪.୯, କେନ୍ଦ୍ରାପଡାରେ ୧୦୪ ମିମି ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର, ଓ ଭଦ୍ରକ ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ମୟୁରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି।
ଏହାସହ ଦ୍ୱିପ୍ରହରରେ ୟାସ ସ୍ଥଳଭାର ଅତିକ୍ରମ କରିବ। ଧାମରା ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଓ ବାତ୍ୟାର ଆଖି ଧାମରା ଓ ବାଲେଶ୍ୱର ଭିତର ଏହା ଅତିକ୍ରମ କରିବ। ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡକୁ ଯିବାର ସମ୍ଭାବନା ନାହିଁ। ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ବେଶି ପ୍ରଭାବ ପଡିବ। ଆଜି ସନ୍ଧ୍ୟା ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟରାତ୍ରରୁ ୬୦ ରୁ ୮୦ କିମି ବେଗରରେ ପବନ ବହିବ। କାଲି ସକାଳୁ ପବନର ବେଗ ୧୫୦ ରୁ ୧୬୦ କିମି ରହିବ। ଫଣି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ ରହିବ। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ଶେଷ କରନ୍ତୁ ବୋଲି ମଧ୍ୟ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।



