ଦେଶବ୍ୟାପୀ ବ୍ଲାକ ଫଙ୍ଗସ ବା ମ୍ୟୁକର ମାଇକୋସିସ୍ ସଂକ୍ରମଣକୁ ନେଇ ଭୟ ଆତଙ୍କ ଖେଳିଯାଇଛି। ଏହା ମଧ୍ୟରେ ବିହାରର ରାଜଧାନୀ ପାଟନାରେ ହ୍ବାଇଟ୍ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି। ଏଠାରେ ୪ ରୋଗୀଙ୍କଠାରେ ହ୍ବାଇଟ୍ ଫଙ୍ଗସ ଦେଖାଯାଇଛି। କୁହାଯାଉଛି ଯେ, ବ୍ଲାକ ଫଙ୍ଗସଠାରୁ ହ୍ବାଇଟ୍ ଫଙ୍ଗସ ଅଧିକ ପ୍ରାଣଘାତୀ। ଏହି ହ୍ବାଇଟ୍ ଫଙ୍ଗସ ଫୁସଫୁସ ସଂକ୍ରମଣର ମୁଖ୍ୟ କାରଣ। ଏହା ସହିତ ଏହି ଫଙ୍ଗସ ମଣିଷର ଚର୍ମ, ନଖ, ମୁହଁର ଭିତର ଅଂଶ, ଆମାଶୟ, ଅନ୍ତ୍ରନଳୀ, କିଡ୍ନୀ, ଗୁପ୍ତାଙ୍ଗ ଏବଂ ମସ୍ତିଷ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ।
ସୂଚନା ଅନୁସାରେ, ପାଟନାରେ ବର୍ତ୍ତମାନ ସୁଦ୍ଧା ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା ୪ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଟନା ଚିକିତ୍ସା ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା. ଏସ.ଏନ. ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ୪ ରୋଗୀଙ୍କଠାରେ କରୋନା ଭଳି ଲକ୍ଷଣ ରହିଥିଲା। ସେମାନଙ୍କର ୩ ପ୍ରକାର କରେନା ପରୀକ୍ଷା କରାଯାଇଥିଲା। ରାପିଡ୍ ଆଣ୍ଟିଜେନ୍, ରାପିଡ ଆଣ୍ଟିବଡି ଏବଂ ଆରଟି-ପିସିଆର ପରୀକ୍ଷା ହୋଇଥିଲା। କିନ୍ତୁ ୩ଟି ଯାକ ରିପୋର୍ଟ ନେଗେଟିଭ ଆସିଥିଲା। କରୋନା ସମ୍ବନ୍ଧୀୟ ଔଷଧର ମଧ୍ୟ କୌଣସି ପ୍ରଭାବ ଏମାନଙ୍କ ଶରୀରରେ ପଡୁ ନ ଥିଲା। ତେଣୁ ଅଧିକ ପରୀକ୍ଷାନିରୀକ୍ଷା କରାଯାଇଥିଲା, ଯେଉଁଥିରୁ ସେମାନେ ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେମାନଙ୍କୁ ଫଙ୍ଗଲ ନିରୋଧୀ ଔଷଧ ଦେବା ପରେ ସେମାନେ ସୁସ୍ଥ ହୋଇଥିଲେ।
ଡା. ସିଂହ କହିଛନ୍ତି, କରୋନା ଏବଂ ହ୍ବାଇଟ୍ ଫଙ୍ଗସ ମଧ୍ୟରେ ପ୍ରଭେଦ ଜାଣିବା ବହୁତ କଷ୍ଟକର। ରୋଗୀଙ୍କର ଯେତେବେଳେ ସିଟି ସ୍କାନ କରାଯାଏ, ସେତେବେଳେ ଫୁସଫୁସରେ ସଂକ୍ରମଣ ଲକ୍ଷଣ କରୋନା ଭଳି ଦେଖାଯାଇଥାଏ। ତେଣୁ କରୋନା ଏବଂ ହ୍ବାଇଟ୍ ଫଙ୍ଗସ ଭିତରେ ପ୍ରଭେଦ ଜାଣିବା କଷ୍ଟକର ହୋଇଥାଏ। ଏହି ରୋଗୀଙ୍କର ରାପିଡ୍ ଆଣ୍ଟିଜେନ, ଆରଟି-ପିସିଆର ପରୀକ୍ଷା ନେଗେଟିଭ ଆସିଥାଏ। ଯଦି ସିଟି ସ୍କାନରେ କରୋନା ଭଳି ଲକ୍ଷଣ ଦେଖାଦିଏ, ତେବେ ମ୍ୟୁକସ କଲ୍ଚର କରାଇବା ଦ୍ବାରା ହ୍ବାଇଟ୍ ଫଙ୍ଗସ ଚିହ୍ନଟଔ କରାଯାଇପାରିବ।
ସେହିପରି ଯେଉଁ ରୋଗୀମାନେ ଅମ୍ଳଜାନ ସପୋର୍ଟରେ ରହିଥାନ୍ତି ସେମାନେ ହ୍ବାଇଟ୍ ଫଙ୍ଗସର ଶିକାର ହୋଇପାରନ୍ତି। ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ବି ହ୍ବାଇଟ୍ ଫଙ୍ଗସ ହୋଇଥାଏ ବୋଲି ଡାକ୍ତର କହିଛନ୍ତି। ଏହାବ୍ୟତୀତ ଡାଇବେଟିସ୍, ଆଣ୍ଟିବାୟୋଟିକ୍ ସେବନ କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ଷ୍ଟେରଏଡ୍ ସେବନ ଦ୍ବାରା ଏହି ଫଙ୍ଗସରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି। କର୍କଟ ରୋଗୀ ମଧ୍ୟ ଏହି ଫଙ୍ଗସରୁ ସତର୍କ ରହିବା ଜରୁରୀ।



