www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ କୋଭିଡ ବିରୁଦ୍ଧରେ ଲଢୁଛି; ସାମାନ୍ତରେ ଚୀନର ଚାଲିଛି ସମର ସଜ୍ଜା

ନୂଆଦିଲ୍ଲୀ: ଲଦାଖର ପୂର୍ବ ସୀମାନ୍ତରେ ପାଙ୍ଗୋଙ୍ଗ ଅଞ୍ଚଳରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିବାର ବର୍ଷକ ପରେ ଏବେ ଚୀନ ପୁନର୍ବାର ଉକ୍ତ ଅଞ୍ଚଳରେ ତାହାର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଗୋଗ୍ରା ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନ ତାହାର ସୈନ୍ୟ ଏବଂ ସାମରିକ ସରଞ୍ଜାମ ଠୁଳ କରୁଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ନିଜର ସୈନ୍ୟମାନଙ୍କୁ ପୂର୍ବରୁ ମୁତୟନ ହୋଇଥିବା ସ୍ଥାନରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ସେଠାରୁ ଅଧିକ ସଂଖ୍ୟାରେ ସୈନ୍ୟ ଓ ସାମରିକ ଉପକରଣ ପଠାଇବାରେ ଲାଗିଛି। ଏଥିରୁ ଚୀନ ସୀମାନ୍ତରୁ ହଟିବାକୁ ପ୍ରସ୍ତୁତ ନଥିବାର ସ୍ପଷ୍ଟ ସୂଚନା ମିଳୁଛି। ଇତିମଧ୍ୟରେ ଶୀତଋତୁର ପ୍ରକୋପ ହ୍ରାସ ପାଇଥିବାବେଳେ ପିଏଲଏ ସୈନ୍ୟମାନେ ଗତବର୍ଷ କରିଥିବା ଅସ୍ଥାୟୀ ନିର୍ମାଣ, ଅସ୍ତ୍ରାଗାର, ହେଲିପ୍ୟାଡ, ଭୂପୃଷ୍ଠରୁ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ ସ୍ଥଳ ଆଦିକୁ ସ୍ଥାୟୀ ନିର୍ମାଣରେ ପରିଣତ କରିବାରେ ଲାଗିଛନ୍ତି। ଏଗୁଡିକ ଏଲଏସିର ୨୫ ରୁ ୧୨୦ କିଲୋମିଟର ଦୂରତା ମଧ୍ୟରେ ରହିଥିବା ଉପଗ୍ରହ ଚିତ୍ରରୁ ଜଣାଯାଇଛି। ବିବାଦୀୟ ସ୍ଥାନଗୁଡିକର ସାମାନ୍ୟ ପଛକୁ ଚୀନ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଛି। ତାହାସହିତ ଏହା ଉକ୍ତ ଅଞ୍ଚଳର ସମୁଦାୟ ସମ୍ମୁଖ ସ୍ଥଳଗୁଡିକୁ ଅଧିକ ସଂଖ୍ୟାରେ ସୈନ୍ୟ ପଠାଇବାରେ ଲାଗିଛି। ପାଙ୍ଗଙ୍ଗ ସୋ ନିକଟରେ ଥିବା ରୁତୋଗ କଂଟ୍ରି ଅଞ୍ଚଳରେ ଚୀନର ସାମରିକ କାର୍ଯ୍ୟକଳାପ ଚଳିତ ସମୟରେ ବୃଦ୍ଧି ପାଇଥିବା ଏହି ସୂତ୍ରରୁ ଜଣାଯାଇଛି। ଭାରତର ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଚୀନ ପକ୍ଷରୁ ଉତ୍ତମ ସଡକ ଏବଂ ଅନ୍ୟାନ୍ୟ ସଂଯୋଗ ବ୍ୟବସ୍ଥା ନିର୍ମାଣ କରାଯାଇଥିବାରୁ ଏହା ସହଜରେ ଏଲଏସିକୁ ନିଜର ସୈନ୍ୟ ଏବଂ ସାମରିକ ଉପକରଣ ପଠାଇବାକୁ ସମର୍ଥ ହେବ। ଭାରତ ଓ ଚୀନ ମଧ୍ୟରେ ବହୁବାର ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ପରେ ଉଭୟ ପକ୍ଷ ଗତବର୍ଷ ଫେବ୍ରୁଆରୀରେ ପାଙ୍ଗଙ୍ଗ ସୋ ଅଞ୍ଚଳରୁ ପଛକୁ ହଟିବାକୁ ରାଜି ହୋଇଥିଲେ। କିନ୍ତୁ ସେବେଠାରୁ ପିଏଲଏ ସୈନ୍ୟମାନେ ଗୋଗ୍ରା, ହଟ୍‍ ସ୍ପ୍ରିଙ୍ଗସ, ଡେମଚୋକ୍‍ ଏବଂ ଡେପସାଙ୍ଗ ଅଞ୍ଚଳରୁ ପଛକୁ ହଟିବାକୁ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ସଂପ୍ରତି ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବାବେଳେ ଉଭୟ ପକ୍ଷ ସେମାନଙ୍କ ସୈନ୍ୟଙ୍କର ଅବସ୍ଥିତିରେ ପରିବର୍ତ୍ତନ କରିବା ସହିତ ବାର୍ଷିକ ସମରାଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଲଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ୩୪୮୮ କିଲୋମିଟର ଦୀର୍ଘ ଏଲଏସିରେ ଚୀନ ତାହାର ସୈନ୍ୟ ଏବଂ ସାମରିକ ସରଞ୍ଜାମ ବୃଦ୍ଧି କରିବା ସହିତ ହୋତାନ, କାଶଗର, ଗାର୍ଗୁନ୍ସା, ଲାସା-ଗୋଙ୍ଗର ଏବଂ ଶିଗାସ୍ତେ ଠାରେ ଥିବା ବିମାନ ଘାଟିଗୁଡିକରେ ଅଧିକ ସଂଖ୍ୟ ଲଢୁଆ ଏବଂ ବୋମାବର୍ଷୀ ବିମାନକୁ ସଜାଗ ରଖିଛି। ତାହାସହିତ ଉକ୍ତ ବାୟୁସେନା ଘାଟିଗୁଡିକୁ ଅଧିକ ସଂଖ୍ୟକ ସୈନ୍ୟ ଓ କ୍ଷେପଣାସ୍ତ୍ର ଆଦି ପରିବହନ କରାଯାଉଥିବା ଜଣାଯାଇଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories