ସମ୍ବଲପୁର:ଚଳିତ ବର୍ଷ ଖରିଫ ଧାନ କିଣାବିକା ଆରମ୍ଭରୁ ଅଚଳାବସ୍ଥା ଦେଖାଦେଇଥିଲାବେଳେ ଶେଷ ସମୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବାମରା ବ୍ଲକ ଉଚ୍ଚକାପାଟ ମଣ୍ଡିର ଧାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ମଣ୍ଡିରେ ଚାଷୀ ୧୨୮୭ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ସେଥିରୁ ୭୩୨ କ୍ବିଣ୍ଟାଲ ଧାନ ମିଲକୁ ଯାଇଥିଲା ବେଳେ ଚାଷୀଙ୍କୁ ଭେଣ୍ଡର କ୍ଳିପ ମଧ୍ୟ ଦିଆଯାଇଛି। ବାକି ୫୫୦ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ିଛି। ତେବେ ୧୨୮୭ କ୍ବିଣ୍ଟାଲ ଧାନର ପାଉଣା ପାଇଁ ଚାଷୀ ଆନ୍ଦୋଳନ କରିବାସହ ଜିଲା ପ୍ରଶାସନକୁ ଅବଧି ସମୟ ମଧ୍ୟ ଦେଇଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବିକ୍ରି ହୋଇଥିବା ୧୨୮୭ କ୍ବିଣ୍ଟାଲ ଧାନ ମଧ୍ୟରୁ ୭୩୨ କ୍ବିଣ୍ଟାଲ ଧାନ ସମ୍ବଲପୁର ଜିଲାର ମିଲ ମାଲିକଙ୍କଠାରେ ହସ୍ତଗତ ହୋଇନି। ବାମରା ବ୍ଲକର ଜଣେ ବେପାରୀ ଏହି ଧାନକୁ ସୁନ୍ଦରଗଡ଼ ଜିଲାରେ ବିକ୍ରି କରିଛନ୍ତି ବୋଲି ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି।
ସମ୍ବଲପୁର ଜିଲାର ଧାନ ବାହାର ଜିଲାରେ କିପରି ଭାବେ ବିକ୍ରି ହେଲା। ଜିଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କିପରି ଭାବେ ଜାଣିପାରିଲେ ନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ ପ୍ରଶ୍ନ ହେଉଛି। ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ, ବାମରା ବ୍ଲକ ଉଚ୍ଚକାପାଟ ମଣ୍ଡିରେ ବିକ୍ରି ହୋଇଥିବା ୭୩୨ କ୍ବିଣ୍ଟାଲ ଧାନ ଜଣେ ବେପାରୀ ସୁନ୍ଦରଗଡ଼ରେ ବିକ୍ରି କରିଥିବା ଅନୁସନ୍ଧାନକାରୀ ଦଳ ପକ୍ଷରୁ ଜଣାପଡ଼ିଛି। ଏହାକୁ ଆହୁରି ଖୋଳତାଡ଼ କରିବା ପାଇଁ ଚାଷୀ ସଂଗଠନକୁ ଜିଲା ପ୍ରଶାସନ ସୋମବାର ସନ୍ଧ୍ୟା ଯାଏ ସମୟ ମାଗିଛି ବୋଲି ସେ କହିଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀକୁ ଧାନ କିଣାବିକାରେ ସାମିଲ କରାଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହାଦ୍ବାରା ସରକାରଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଉଛି।

ସମ୍ବଲପୁର ଜିଲା ଖାଦ୍ୟ ଓ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡ଼ୁଙ୍କୁ ପଚାରିବାରୁ ଏସଂକ୍ରାନ୍ତରେ ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବାପରେ ଏହାର ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କହିଛନ୍ତି। ଖରିଫ ଋତୁ ଧାନ କିଣାବିକାରେ ବ୍ୟାପକ ମାତ୍ରାରେ ଅଚଳାବସ୍ଥା ଦେଖାଦେଇଥିଲା। ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁଁ ଅଧିକାଂଶ ଚାଷୀ ସନ୍ତୋଷଜନକ ଭାବେ ଧାନ କିଣାବିକା କରି ନାହାନ୍ତି। ଏପରିକି ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀ ସମ୍ପୂର୍ଣ୍ଣ ମାତ୍ରାରେ ଧାନ ବିକ୍ରି କରିବାରୁ ବଞ୍ଚିତ ଅଛନ୍ତି। ତଥାପି ଅଣଜଳସେଚିତ ଅଞ୍ଚଳର ବାମରା ବ୍ଲକର ଉଚ୍ଚକାପାଟ ମଣ୍ଡିର ଚାଷୀ ଧାନ ବିକ୍ରି କରିଥିଲେ ହେଁ ସେମାନଙ୍କୁ ପାଉଣା ମିଳୁନି। ବିକ୍ରି ସଂକ୍ରାନ୍ତ ସମସ୍ତ କାଗଜ ପତ୍ର ଜିଲା ଖାଦ୍ୟ ଓ ଯୋଗାଣ କାର୍ଯ୍ୟାଳୟରେ ରହିଛି। ୧୨୮୭ କ୍ବିଣ୍ଟାଲ ଧାନର ପାଉଣାକୁ ନେଇ ଚାଷୀ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ଓ ଜିଲାପ୍ରଶାସନ ଏଦିଗରେ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଏନେଇ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ସମୟ ଦିଆଯାଇଛି। ଚାଷୀଙ୍କୁ ପାଉଣା ନମିଳିଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲା ପ୍ରଶାସନକୁ ଚେତାବନୀ ଦିଆଯାଇଛି। ଏଥିରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି। ନଭେମ୍ବର ୧୨ ତାରିଖରୁ ଖରିଫ ଧାନ ସଂଗ୍ରହ ହୋଇଥିଲା। ତେବେ ଧାନ କିଣାବିକାର ଦୀର୍ଘଦିନ ବିତି ଯାଇଥିଲେ ହେଁ ଚାଷୀଙ୍କୁ ଆଜି ଯାଏଁ କ୍ଷତିପୂରଣ ମିଳିନାହିଁ। ଚାଷୀ ଖରିଫ ଧାନ ବିକ୍ରିର ପାଉଣା ପାଇନଥିଲାବେଳେ ଆସନ୍ତା ମାସରେ ରବି ଧାନ ବିକ୍ରି କରିବେ। ଚାଷୀ ଧାନ ବିକ୍ରି କରୁଥିଲେ ହେଁ ପାଉଣା ଦେବାରେ ସରକାରଙ୍କ ବିଳମ୍ବକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଧାନ କିଣାବିକା ପାଇଁ କୌଣସି ପ୍ରକାର ଆନୁସଙ୍ଗିକ ଉପକରଣ ଓ ଭିତ୍ତିଭୂମି ନାହିଁ। ତେଣୁ ଏସଏସଜି ମାଧ୍ୟମରେ ଧାନ କିଣାବିକା ନହେଉ ବୋଲି ଚାଷୀ ସଂଗଠନ ପକ୍ଷରୁ ଧାନସଂଗ୍ରହ ଆରମ୍ଭରୁ କୁହାଯାଉଛି। ମାତ୍ର ସରକାର ଏସଏସଜି ମାଧ୍ୟମରେ ଧାନ କିଣାବିକା କରୁଥିବାରୁ ଚାଷୀଙ୍କ ପାଉଣା ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।



