www.samajalive.in
Monday, December 8, 2025
24.1 C
Bhubaneswar

ପଶ୍ଚିମରେ ଓଡ଼ିଶାରେ କରୋନା ସ୍ଥିତି ଅସମ୍ଭାଳ : ଦୁଇ ଦିନରେ ୨୦ ମୃତ

ରାଉରକେଲା/ସୋନପୁର : କ୍ରମାଗତ ସପ୍ତାହେ ହେଲା ସୁନ୍ଦରଗଡ଼ ଜିଲା​‌େ​‌ର କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଶନିବାର ପ୍ରକାଶିତ ସରକାରୀ ରିପୋର୍ଟରେ ସୁନ୍ଦରଗଡ଼ ଜିଲା କରୋନା ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି। ଗତକାଲି ସନ୍ଧ୍ୟାରୁ ଆଜି ମଧ୍ୟାହ୍ନ ଭିତରେ ୭ ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି। ଗତକାଲି ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଦେଖିବାକୁ ଗଲେ ଗତ ୧୦ ଦିନ ଭିିତରେ କରୋନା ପ୍ରାୟ ୫୦ ମୁଣ୍ଡ ନେଲାଣି। ସେକ୍ଟର-୧ ଓ ସେକ୍ଟର-୨୦ର କେତେକ ଅଞ୍ଚଳ ପରେ ଉଦିତନଗରସ୍ଥିତ ଆୟକର କଲୋନୀରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୨୩ରେ ପହଞ୍ଚିଛି; ଯାହାକି ରାଜ୍ୟର ସର୍ବାଧିକ।
ରାଉରକେଲାର ବିଭିନ୍ନ କୋଭିଡ ହାସପାତାଳରେ ଚିିକିତ୍ସିତ ହେଉଥିବା ୬ ସଂକ୍ରମିତ ଆଖି ବୁଜିଛନ୍ତିି। ଏମାନଙ୍କ ମଧ୍ୟରେ ଛେଣ୍ଡ କଲୋନୀରେ ଦୁଇ, ନାଲା ରୋଡ଼ର ଜଣେ, ଲାଠିକଟାରେ ଜଣେ, ଭଦ୍ରକର ଜଣେ ଓ ନୂଆପଡ଼ାର ଜଣେ ଥିବା ସୂଚନା ମିଳିଛି। ଭଦ୍ରକ ଅଞ୍ଚଳର ମୃତକ ଜଣକ କିଛି ଦିନ ତଳେ ରାଉରକେଲା ବୁଲି ଆସିଥିବାବେଳେ କରୋନା ସଂକ୍ରମିତ ହୋଇଥିଲେ। ସେହିପରି ନୂଆପଡ଼ାର ବ୍ୟକ୍ତି ଜଣକ ସେଠାରୁ ସଂକ୍ରମିତ ହୋଇ ରାଉରକେଲାର କୋଭିଡ ହାସପାତାଳରେ ଚିିକିତ୍ସିତ ହେଉଥିଲେ। ଉଦିତନଗରସ୍ଥିତ ଆୟକର କଲୋନୀରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ କଲୋନୀକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲାରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଆଇଜିଏଚ୍‌ ସୁପର ସ୍ପେସାଲିଟି ହାସପାତାଳ କାର୍ଯ୍ୟକ୍ଷମ ହୋଇ ନାହିଁଁ। ଆଇଜିଏଚ୍‌ ପକ୍ଷରୁ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆ ଯାଇଥିବା ବେଳେ ଡାକ୍ତର ଓ ଅନ୍ୟାନ୍ୟ ବ୍ୟବସ୍ଥା ଜିଲା ପ୍ରଶାସନ ହାତକୁ ନେଇଛି। ତେବେ ଡାକ୍ତର ମିଳୁନଥିବାରୁ ସେଠାରେ କୋଭିଡ ହାସପାତାଳ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ସୂଚନା ମିଳିଛି।
ସେହିପରି ସମ୍ବଲପୁର ବୁର୍ଲାସ୍ଥିତ ଭିମସାର କୋଭିଡ ଡାକ୍ତରଖାନାରେ ଶନିବାର ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ବରଗଡ଼ର ୪, ସୁନ୍ଦରଗଡ଼ର ୨, ସମ୍ବଲପୁର ଓ କଲାହାଣ୍ଡିରୁ ଜଣେ ଲେଖାଏଁ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତବର୍ଷ ଅକ୍ଟୋବର ମାସରୁ ଆଜି ସୁଦ୍ଧା ଭିମସାର କୋଭିଡ ଡାକ୍ତରଖାନାରେ ମୃତ୍ୟୁସଂଖ୍ୟା ୩୦୫ରେ ପହଞ୍ଚି ସାରିଲାଣି। ବର୍ତ୍ତମାନ ୧୪୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ନଅତାଲା କୋଠାକୁ ଅଗ୍ନି ନିରାପତ୍ତା ଅନୁମତି ପ୍ରଦାନ କରାଯାଇ ନାହିଁ। ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା କରାଯିବାକୁ ସରକାରଙ୍କ ତରଫରୁ ନିର୍ଦେଶନାମା ଜାରି କରାଯାଇଛି।
କରୋନା ସନ୍ଦେହରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ରୁୁଗୁଡିପାଲି ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା କୋଭିଡ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଛତିଶଗଡ଼ର ବିଳାସପୁରସ୍ଥିତ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରି ଆସୁଥିଲେ। ସେଠାରେ କରୋନା ସଂକ୍ରମଣ ବୃଦ୍ଧି ହେବାରୁ ସେ ୫ ଦିନ ତଳେ ନିଜ ଘରକୁ ଫେରି ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ନିଜ ଘରେ ସଙ୍ଗରୋଧରେ ରହୁଥିବା କେତେକ ଗ୍ରାମବାସୀ ସୂଚନା ଦେଇଛନ୍ତି। ତାଙ୍କର ଜ୍ୱର ହେବାରୁ କରୋନା ଲକ୍ଷଣ ସନ୍ଦେହରେ ଦୁଇ ଦିନ ତଳେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାବ ସଂଗ୍ରହ କରାଯାଇ ଆର୍‍ଟି-ପିସିଆର୍‍ ପରୀକ୍ଷା ପାଇଁ ପଠାଇ ଯାଇଥିଲା। ସେଠାରୁ ରିପୋର୍ଟ ଆସି ନଥିବା ବେେଳ ଗତକାଲି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କ ଶବ ଦେଖି ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ି ଏକ ଭଙ୍ଗା ଦର୍ପଣ କାଚରେ ନିଜ ବେକ ଓ ହାତର ବିଭିନ୍ନ ସ୍ଥାନକୁ କାଟି ଦେଇଥିଲେ। ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଜିଲା କୋଭିଡ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
ଛତିଶଗଡ଼ ଓ ଝାଡଖଣ୍ଡରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇଥିବାବେଳେ ସେଠାରୁ ଆସୁଥିବା ଲୋକଙ୍କ ସଂସ୍ପର୍ଶରେ ଆସି ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ନମୁନା ପରୀକ୍ଷା ହେବାର ୪ରୁ ୫ଦିନ ପରେ ଲୋକଙ୍କୁ ରିପୋର୍ଟ ମିଳୁନାହିଁ। ଏଥିପାଇଁ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ସରକାର ନମୁନା ପରୀକ୍ଷା ବଢ଼ାଇବାକୁ ସେ ଦାବି କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories