www.samajalive.in
Wednesday, December 10, 2025
26.1 C
Bhubaneswar

ଅସ୍ତିତ୍ୱ ହରାଇଲାଣି ଅଟ୍ରି ଉଷ୍ମ ପ୍ରସ୍ରବଣ ପ୍ରକଳ୍ପ

  • ଭୁଶୁଡ଼ିବା ଅବସ୍ଥାରେ ଉଷ୍ମ ପ୍ରସ୍ରବଣ କୁଣ୍ଡ
  •  କାମରେ ଆସୁନି ଶୌଚାଳୟ
  • ପାନୀୟ କିମ୍ବା ଶୌଚ ହେବାକୁ ପାଣି ନାହିଁ
  • ଭାଙ୍ଗି ଭୁଙ୍ଗି ଗଲାଣି ଗୁମ୍ଫା ଚେୟାର 

ଖୋର୍ଦ୍ଧା: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା ଅଟ୍ରି ଉଷ୍ମପ୍ରସ୍ରବଣ। ନିକଟରେ ଅଛନ୍ତି ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ମନ୍ଦିର। ଦୈନିକ ଶହଶହ ପର୍ଯ୍ୟଟକ ଅଟ୍ରି ପରିଦର୍ଶନରେ ଆସନ୍ତି। ସରକାର ପର୍ଯ୍ୟଟକଙ୍କ ଠାରୁ ଶୁଳ୍କ ଆକାରରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଛନ୍ତି; କିନ୍ତୁ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଯତ୍ନବାନ ନ ଥିବା ଜଳଜଳ ଦିଶୁଛି। ନାନା ଅସୁବିଧା ଯୋଗୁଁ ପର୍ଯ୍ୟଟକ ନିରାଶ ହୋଇ ହୋଇଫେରୁଛନ୍ତି। ଯେଉଁ ଉଷ୍ମପ୍ରସ୍ରବଣ କୂଅରୁ ଅହୋରାତ୍ର ଗରମ ପାଣି ଫୁଟିକି ବାହାରେ ତାହା ଭୁଶୁଡିବା ଅବସ୍ଥାରେ। ନାହିଁ ସୁରକ୍ଷା ବ୍ୟବସ୍ଥା। ସମ୍ମୁଖ ପଟେ ପାଚେରି ବା ତାରବାଡ ନ ଥିବାରୁ ଯିଏ ଯେତେବେଳ ଭିତରକୁ ଯାଇପାରୁଛି। ସେହିପରି ସେଠାରେ ଜଗୁଆଳି ନିଯୁକ୍ତି କରାଯାଇନି। ପର୍ଯ୍ୟଟକଙ୍କ ପାଇଁ ୫ ଟଙ୍କା ପ୍ରବେଶ ଶୁଳ୍କ ଥିବା ବେଳେ ଆଖପାଖ ଅଞ୍ଚଳ ଲୋକ ମନଇଛା ଯାତାୟତ କରୁଛନ୍ତି। ମୁଖ୍ୟକୁଣ୍ଡରୁ ବାହାରିଥିବା ଶାଖା ଉଷ୍ମକୂପରେ ପର୍ଯ୍ୟଟକଙ୍କ ସ୍ନାନ କରିବା ପାଇଁ ବ୍ୟବସ୍ଥା ଅଛି। ମାତ୍ର ସେଠାରେ କେତେକ ଲୋକ ଲୁଗାପଟା ସଫା କରୁଥିବା ଦେଖାଯାଉଛି। ୧୦ ଏକର ପରିମିତ ଜମିରେ ଥିବା ପ୍ରକଳ୍ପ ପାଇଁ ଜଣେ ଜଗୁଆଳି, ଜଣେ ମାଳି, ଜଣେ ରୁମ ଆଟେଣ୍ଡାଣ୍ଟ ଓ ଜଣେ ସଫେଇ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଏହି ୪ ଜଣ ପାଳି କରି କାର୍ଯ୍ୟ ନିର୍ବାହ କରୁଛନ୍ତି। ଜଣେ ଲୋକ ଦାୟିତ୍ୱରେ ରହୁଥିବା ବେଳେ ସ୍ଥାନୀୟ ଲୋକ ଧମକେଇ ଭିତରେ ପଶୁଛନ୍ତି। ପାଣି ନଥିବାରୁ ସେଠାରେ ଥିବା ଶୌଚାଳୟଗୁଡିକ ପର୍ଯ୍ୟଟକଙ୍କ କାମରେ ଆସୁନି। କେତେକ ଶୌଚାଳୟ ଭିତରେ ମଳ ପଡ଼ିଥିଲେ ବି ସଫା ହେଉନି। ଭିତରେ ଥିବା ଓଭର ହେଡ ପାଣିଟାଙ୍କି ଭାଙ୍ଗି ଯାଇଛି। ଆଉ ଦୁଇଟା ସିନ୍‌ଟେକ୍ସ ଟାଙ୍କି ଏକ ଘର ଉପରେ ଥୁଆ ହୋଇଛି। ଟ୍ୟାପ ବ୍ୟବସ୍ଥା ଥିଲେ ମଧ୍ୟ ପିଇବା ପାଣି ବ୍ୟବସ୍ଥା ନାହିଁ। ବର୍ଷକୁ କେବଳ ମକର ମେଳା ସମୟରେ ୧୦ ଦିନ ପାଇଁ ପାଇପରେ ପାଣି ଆସୁଛି। ଅବଶିଷ୍ଟ ସମୟ ପାଣି ଆସେନି। ଜଣେ ଲୋକ ନିଜର ଚାକିରି ଦାବି କରି ପାଣି ଛାଡୁ ନ ଥିବା ଅଭିଯୋଗ ହେଉଛି।


ଏହି ପ୍ରକଳ୍ପ ପାଇଁ ୧୯୭୭-୭୮ମସିହାରେ ୮ ଏକର ଜମି କିଣାଯାଇଥିଲା ତାହା ଅଦ୍ୟାବଧି ରେକର୍ଡ ସଂଶୋଧନ ହୋଇପାରିନି। ନିଜ ନାମରେ ପଟ୍ଟା କରାଯାଇନି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ପାନ୍ଥନିବାସରେ ୪ଟା ଡବଲ ବେଡରୁମ ଓ ଦୁଇଟି ଡ଼ରମେଟୋରୀ ରହିଛି। ପାଣି ନ ଥିବାରୁ କେହି ରହୁନାହାନ୍ତି। କେତେକ ଝରକା ଭାଙ୍ଗିରୁଜି ଗଲାଣି। ସେହିପରି କାନ୍ଥଗୁଡିକରୁ ପଲସ୍ତରା ଛାଡିଗଲାଣି। ପରିସର ଭିତର ଅପରିଚ୍ଛନ୍ନ ହୋଇପଡ଼ିଛି। ଜଳ ନିଷ୍କାସନ ହେଉଥିବା ବନ୍ଧରୁ ପଥର ଭୁଶୁଡିବା ଅବସ୍ଥାରେ ରହିଛି। ବନ୍ଧରେ ଗୁମ୍ଫା କରାଯାଇ ପର୍ଯ୍ୟଟକ ବସିବା ପାଇଁ ପଥର ଚେୟାର ପକାଯାଇଥିଲା। ଗୁମ୍ଫାଗୁଡିକ ଭାଙ୍ଗି ଗଲାଣି। ଛୋଟପିଲା ଖେଳିବା ପାଇଁ ଥିବା ଦୋଳି ଗୁଡିକରୁ ଅଧା ଛିଣ୍ଡିଗଲାଣି। ପୂଜକମାନେ ବସିବା ପାଇଁ ଘର ନାହିଁ। ଏକ ଝାଟିମାଟି ଛାମୁଣ୍ଡିଆରେ ପୂଜକମାନେ ବିଶ୍ରାମ ନେଉଛନ୍ତି। ଏନେଇ ଖୋର୍ଦ୍ଧା ଜିଲା ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରାଙ୍କୁ ପଚାରିବାରୁ ଅଭାବ ଅସୁବିଧା ସମ୍ପର୍କରେ ଆମେ ବିଭାଗକୁ ଲେଖିଛୁ। ଏବେ ଉନ୍ନୟନ କାମ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ପାଚେରି ନିର୍ମାଣ ପ୍ରସ୍ତାବ ରହିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories