www.samajalive.in
Monday, December 8, 2025
14.1 C
Bhubaneswar

ମା’ଙ୍କ ସହାୟତାରେ ବିତିଲାଣି ୩୦ ବର୍ଷ, ଦିବ୍ୟାଙ୍ଗ ଯୁବକର ଦୈନିକ ଔଷଧ ଖର୍ଚ୍ଚ ତୁଲାଇ ପାରୁନାହାନ୍ତି ଦମ୍ପତି

କେନ୍ଦୁଝର: ରାଜ୍ୟରେ ଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦିଆଯାଉଥିବା ନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବିଭିନ୍ନ ସଭାସମିତିରେ ଭାଷଣବାଜି କରାଯାଉଥିଲେ ହେଁ ବାସ୍ତବରେ ତାହା ପ୍ରହସନ ବ୍ୟତୀତ କିଛି ନୁହେଁ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଖଣିଖାଦାନଭରା ତଥା ପ୍ରାକୃତିକ ପରିବେଶରେ ପରିବେଷ୍ଟିତ କେନ୍ଦୁଝର ସହରରେ ଅର୍ଥାଭାବ କାରଣରୁ ଜଣେ ଦିବ୍ୟାଙ୍ଗ ଯୁବକର ଉଚ୍ଚ ଚିକିତ୍ସା କରାଯାଇପାରୁ ନଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନିଜେ ନିଜର ନିତ୍ୟକର୍ମ ତୁଲାଇବାକୁ ଅକ୍ଷମ ହୋଇପଡ଼ିଥିବା ଏହି ଦିବ୍ୟାଙ୍ଗ ଯୁବକଙ୍କ ସହ ଛାଇଭଳି ରହି ଆସିଥିବା ତାଙ୍କର ମା’ ପ୍ରାୟ ୩୦ ବର୍ଷ ଧରି ଦେଖାଶୁଣା କରିଆସୁଛନ୍ତି। ଏଭଳି ଘଟଣା ଜଣାପଡ଼ିବା ପରେ ଜିଲା ଖଣିଜ ପାଣ୍ଠିରେ ଗଚ୍ଛିତ ଥିବା କୋଟି କୋଟି ଟଙ୍କାର ଗତି କୁଆଡ଼େ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦୁଝରଗଡ଼ ପୋୖରପାଳିକା ଅନ୍ତର୍ଗତ ବୀରବରପୁରପାଟଣା ଅଞ୍ଚଳରେ ରହୁଥିବା ଶ୍ୟାମସୁନ୍ଦର ସାହୁ ଓ ହରିପ୍ରିୟା ସାହୁଙ୍କ ଏକମାତ୍ର ପୁଅ ଦୀପକକୁମାର ସାହୁ (୩୦) ଜନ୍ମରୁ ସାମାନ୍ୟ ବିକଳାଙ୍ଗ ଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ଉପଯୁକ୍ତ ଚିକିତ୍ସା ଅଭାବ କାରଣରୁ ଏହା ବୃଦ୍ଧିପାଇଥିଲା। ପୁଅ ଦୀପକ ବର୍ତ୍ତମାନର ବୟସରେ କର୍ମସଂସ୍ଥାନ ଯୋଗାଡ଼ କରି ଉଭୟ ପିତାମାତାଙ୍କ ଭରସାର ପାତ୍ର ହେବା ପରିବର୍ତ୍ତେ ମାଆଙ୍କ ସହାୟତାରେ ଯିବା ଆସିବା ଠାରୁ ଆରମ୍ଭ ଖାଇବା ପିଇବା ଏବଂ ଶୈାଚାଳୟ କାର୍ଯ୍ୟ ଆଦି କରୁଛନ୍ତି। ମାଆ ହରିପ୍ରିୟାଙ୍କ କହିବାନୁସାରେ, ତାଙ୍କ ଜନ୍ମପର ଠାରୁ ଚାଲିଚଳଣରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲା ଚିକିତ୍ସାଳୟ ଓ ପରେ କଟକସ୍ଥିତ ଏସସିବି ମେଡ଼ିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ତାଙ୍କର ମସ୍ତିଷ୍କରେ ସମସ୍ୟା ଥିବା ଦର୍ଶାଯାଇ ଫେରେଇ ଦିଆଯାଇଥିଲା। ଏହାଛଡ଼ା ଦୀପକ କିଛି ଶୁଣିପାରୁ ନଥିବାବେଳେ କିଛି ମଧ୍ୟ କହିପାରନ୍ତିନାହିଁ। ପୁଅର ଏଭଳି ଦୈନ୍ୟ ଅବସ୍ଥା ପାଇଁ ପିତାମାତା ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥିଲେ ହେଁ ତାଙ୍କୁ କୋୖଣସି ସହଯୋଗ ମିଳି ନଥିଲା। ଶତପ୍ରତିଶତ ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଥିବା ଦୀପକଙ୍କୁ କେବଳ ବିକଳାଙ୍ଗ ଭତ୍ତା ବାବଦକୁ ସାମାନ୍ୟ ଅର୍ଥ ଯୋଗାଇଦେଇ ପ୍ରଶାସନ ନିଜର ଦାୟିତ୍ବ ଶେଷ କରିଦେଇଛି। ତାଙ୍କର ପ୍ରତ୍ୟହ ଔଷଧ ପାଇଁ ୩ହଜାର ଟଙ୍କାର ଆବଶ୍ୟକତା ରହିଥିବାବେଳେ ଟିଉସନ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ୟାମସୁନ୍ଦରଙ୍କ ପକ୍ଷେ ସମ୍ଭବ ହେଉନି। ଗୋଟିଏ ପଟେ ଦୀପକଙ୍କ ଚିକିତ୍ସା ପାଇଁ ମୋଟାଅଙ୍କର ଅର୍ଥର ଆବଶ୍ୟକତା ଥିବାବେଳେ ତାହା ଯୋଗାଡ଼ି କରି ନପାରି ମର୍ମାହତ ହୋଇପଡ଼ିଛନ୍ତି ଉଭୟ ପିତାମାତା। ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଥିବା ଏହି ପରିବାରକୁ କେବଳ ସରକାରଙ୍କ ପକ୍ଷରୁ ୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ଦୀପକଙ୍କ ଅନ୍ୟ ୨ଭଉଣୀ ମଧ୍ୟରୁ ଜଣେ ବିବାହ କରିଯାଇଥିବାବେଳେ ଅନ୍ୟ ଜଣେ ବିବାହ ଅପେକ୍ଷାରେ ରହିଛନ୍ତି। ସେହିପରି ଦୀପକଙ୍କ ଚଳପ୍ରଚଳ ନେଇ ସମସ୍ୟା ଉପୁଜୁଥିବାରୁ ଏଥିପାଇଁ ଏକ ତିନିଚକିଆ ସାଇକଲର ଆବଶ୍ୟକତା ଥିବାରୁ ଅର୍ଥାଭାବ ଯୋଗୁଁ ସେ ତାହା କ୍ରୟ କରିପାରୁ ନଥିବା ଜଣାପଡ଼ିଛି। ଏଥିପ୍ରତି ଜିଲାପାଳ ଅବିଳମ୍ବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏହାଛଡ଼ା ଯଦି କୋୖଣସି ସହୃଦୟ ବ୍ୟକ୍ତି ଦୀପକଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ଚାହାଁନ୍ତି ତେବେ ୯୪୩୮୦-୩୧୧୮୩ରେ ଯୋଗାଯୋଗ କରିବାକୁ ନିବେଦନ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories