www.samajalive.in
Monday, December 8, 2025
13.1 C
Bhubaneswar

ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି,୨୦୩ ନିଖୋଜ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗଁୁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ରାଜ୍ୟ ପୁଲିସ କହିବା ଅନୁଯାୟୀ ଏହି ଘଟଣାରେ ନିଖୋଜଙ୍କ ସଂଖ୍ୟା ୨୦୨ ହୋଇଥିବା ପ୍ରଶାସନ ଆକଳନ କରିଛି। ନିଖୋଜଙ୍କୁ ଉଦ୍ଧାର କରିବା ଲାଗି ଆଇଟିବିପି, ସେନା, ଏନଡିଆରଏଫ ଓ ଏସ୍‌ଡିଆରଏଫ ପକ୍ଷରୁ ବ୍ୟାପକ ତଲାସ ଜାରି ରହିଛି। ଚାମୋଲି ଜିଲାର ତପୋବନ ସୁଡଙ୍ଗ (ଟନେଲ) ମଧ୍ୟରେ ମିଳିତ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ୨୫୦ ମିଟର ଲମ୍ବ ଏହି ଟନେଲରୁ ପଙ୍କ, କାଦୁଅ ବାହାର କରାଯାଇଛି। ଏହି ଟନେଲ ମଧ୍ୟରେ ୨୪-୨୫ଜଣ ଶନିବାର ଠାରୁ ଫସି ରହିଥିବାବେଳେ ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୧୭୦ଜଣ ଶ୍ରମିକ। ଏହି ଶ୍ରମିକମାନେ ଏନଟିପିସି ଓ ଋଷିଗଙ୍ଗା ପାୱାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ। ସୋମବାର ସନ୍ଧ୍ୟା ସୁଦ୍ଧା ୨୬ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେଥିରୁ ମାତ୍ର ୨ଟିକୁ ଚିହ୍ନଟ କରାଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଜୋଶୀମଠରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମୀକ୍ଷା କରିଛନ୍ତି।

ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାୱତଙ୍କୁ ଆଇଟିବିପିର ୱେଷ୍ଟର୍ଣ୍ଣ କମାଣ୍ଡର ଏଡିଜି ଅବଗତ କରାଇଥିଲେ। ରାଜ୍ୟର ଏହି ପ୍ରାକୃତିକ ବିପର୍ଯ୍ୟୟର ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୨୦କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାୱତ ସୋମବାର ଯୋଶୀମଠରେ ରାତ୍ରୀଯାପନ କରିବା ଆଇଟିବିପିର ପକ୍ଷରୁ ଯୋଶୀମଠ ଓ ରେଣୀ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ରେସନ ସାମଗ୍ରୀ ଦିଆଯାଇଛି। ୯ଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନାର ବିମାନ ଓ ହେଲିକପ୍ଟରକୁ ନିୟୋଜନ କରାଯାଇଛି। ଏହା ମଧ୍ୟରେ ରହିଛି ୨ଟି ହର୍କୁଲେସ୍ ବିମାନ, ୨ଟି ଏଏନ ୩୨, ୪ଟି ହେଲିକପ୍ଟର। ସେହିପରି ଏନଡିଆରଏଫ ଟିମ୍ ଓ ଏହାର ଯନ୍ତ୍ରାଂଶ ପରିବହନ ପାଇଁ ବାୟୁସେନା ୩ଟି ମିଗ୍-୧୭, ଗୋଟିଏ ଚିକୁନ ଓ ଗୋଟିଏ ଏଏଲଏଚ୍ ନିୟୋଜିତ ଅଛନ୍ତି।

- Advertisement -

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ସାଂସଦଙ୍କ ସହିତ ଆଲୋଚନା କରି ଉଦ୍ଧାର ଓ ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ସେହିପରି ଏନଟିପିସିର ତପୋବନ ଠାରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ହୋଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ଜାତିସଂଘ ପକ୍ଷରୁ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ସୂଚନାଯୋଗ୍ୟ ରବିବାର ସକାଳେ ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁଁ ରାଜ୍ୟରେ ଆକସ୍ମିକ ବନ୍ୟା ଦେଖାଯାଇଥିଲା। ଏଥିରେ ଦୁଇଟି ନିର୍ମାଣାଧୀନ ପାୱାର ପ୍ଲାଣ୍ଟ ଧୋଇଯିବା ସହିତ ଏଥିରେ କାର୍ଯ୍ୟରତ ଶ୍ରମିକମାନେ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ନଦୀ ଉପକୂଳ ଅଞ୍ଚଳର କେତେକ ଗ୍ରାମବାସୀ ମଧ୍ୟ ନିଖୋଜ ହୋଇଛନ୍ତି।

କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛି ଇସ୍ରୋ, ଡିଆର୍‌ଡିଓ
ହିମସ୍ଖଳନ ଜନିତ ଉତ୍ତରାଖଣ୍ଡରେ ଦେଖାଯାଇଥିବା ଆକସ୍ମିକ ବନ୍ୟାର ପ୍ରକୃତ କାରଣ ବାବଦରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଓ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ମିଳିତ ଭାବେ ଅନୁଧ୍ୟାନ କରୁଛନ୍ତି। ପ୍ରାଥମିକ ଭାବେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବା କୁହାଯାଉଥିବାବେଳେ ଏହାର ବାସ୍ତବ କାରଣ ସମ୍ପର୍କରେ ଏହି ଦୁଇ ଏଜେନ୍ସି ଅନୁଧ୍ୟାନ କରୁଛନ୍ତି। ହିମସ୍ଖଳନ ଯୋଗୁଁ ଏହି ବନ୍ୟା ହୋଇଥିବା କୁହାଯାଉଥିବାବେଳେ ଏହାର ପ୍ରକୃତ କାରଣ ଖୋଜିବାକୁ ମୁଖ୍ୟସଚିବଙ୍କୁ ନିର୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ କହିଛନ୍ତି। ବିପର୍ଯ୍ୟୟର କାରଣ ସମ୍ପର୍କରେ ଜଣାପଡିବା ପରେ ଭବିଷ୍ୟତରେ ଏପରି ବିପର୍ଯ୍ୟୟକୁ ଏଡାଇବା ଲାଗି ସମନ୍ବିତ ଯୋଜନା କରାଯିବ ବୋଲି ଶ୍ରୀ ରାୱତ କହିଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories