www.samajalive.in
Monday, December 8, 2025
13.1 C
Bhubaneswar

ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଚମତ୍କାରିତା

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲାରେ ସବାଇ ଘାସ ରୋଜଗାରର ଏକ ମୁଖ୍ୟ ପନ୍ଥା ଭାବରେ ବିବେଚିତ ହୋଇଥାଏ। କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି। ମାତ୍ର ସବାଇ ଘାସରୁ ଖୁବ୍ ଉନ୍ନତ ଧରଣର ତଥା ଆକର୍ଷଣୀୟ ହସ୍ତଶିଳ୍ପଜାତ ସାମଗ୍ରୀ ଯେ ପ୍ରସ୍ତୁତ ହୋଇପାରେ, ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ହସ୍ତକଳା ସାମଗ୍ରୀ ମେଳାର କେତେକ ମଣ୍ଡପରେ ପ୍ରଦର୍ଶନ କରାଯାଉଛି। ଏହି ସାମଗ୍ରୀ ଗୁଡିକ ଖୁବ୍ ନିଖୁଣ ଓ ଆକର୍ଷଣୀୟ ଶୈଳୀରେ ପ୍ରସ୍ତୁତ ହୋଇଥିବାରୁ ଦର୍ଶକଙ୍କ ଆଗ୍ରହ ସ୍ୱତଃ ବୃଦ୍ଧି ପାଉଛି। ସବାଇ ଘାସରୁ ତିଆରି ସାମଗ୍ରୀ ଗୁଡିକ ମଧ୍ୟରୁ ଫୁଲ ଚାଙ୍ଗୁଡି, ପାଚିଆ, ବ୍ୟାଗ୍ ସହିତ ବିଭିନ୍ନ ଘରକରଣା ଉପକରଣ ରାଜ୍ୟ ବାହାରେ ମଧ୍ୟ ଆଦୃତି ଲାଭ କରିଛି। ଆଦିବାସୀ ମାନେ ନିଜ ଗ୍ରାମରେ ସବାଇ ଘାସ ଚାଷ କରି ସେ ସବୁକୁ ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ମେଳା ମଣ୍ଡପରେ ତାହାର କେବଳ ପ୍ରଦର୍ଶନ ଓ ବିକ୍ରି କରାଯାଉ ନାହିଁ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିଜ ହାତରେ ତାହାକୁ ବୁଣି ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

 

- Advertisement -

ଲୋଧାଙ୍କ ଅଧ୍ୟୁଷିତ ମୋରଡା ଓ ଶୁଳିଆପଦା ବ୍ଲକର ମହିଳା ଆଗରୁ ଘୋର ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ଏବେ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। କେତେକ ସ୍ୱୟଂ ସହାୟକ ଗୋଷ୍ଠୀ ସବାଇ ଘାସରେ ଫୁଲ ଝୁଡି, ଡଷ୍ଟବିନ୍, ମ୍ୟାଟ୍, ହଟ୍କେସ୍, ସପିଙ୍ଗ୍ ବ୍ୟାଗ୍, ବୋତଲ, ବ୍ୟାଗ୍, ଟ୍ରେ ଆଦି ପ୍ରସ୍ତୁତ କରିଛନ୍ତି। ସିନ୍ଦୁର ଫରୁଆ, ପେନ୍ ଷ୍ଟାଣ୍ଡ୍, କାନଫୁଲ, ମୁଦି, ଫାଇଲ୍ କଭର୍ ଆଦି ସବାଇ ଘାସରେ ତିଆରି କରାଯାଉଛି ବୋଲି ମେଳା ମଣ୍ଡପରେ ଆଦିବାସୀ ମହିଳା ସୂଚନା ଦେଇଥିଲେ। ମୟୁରଭଞ୍ଜ ଜିଲାର ୧୩ଟି ମାଇକ୍ରୋ ପ୍ରୋଜେକ୍ଟରେ ଏହି ପ୍ରସ୍ତୁତି ଚାଲିଥିବାର ଦାୟିତ୍ୱରେ ଥିବା ମହିଳା ଅଧିକାରୀ ମମତା ଗ୍ରହାଚାର୍ଯ୍ୟ କହିଥିଲେ।
ଆଦିବାସୀ ମେଳାର ଆଜିଥିଲା ପଂଚମ ଦିବସ। ଛୁଟିଦିନ ଥିବାରୁ ମେଳା ପରିସରରେ ବେଶ୍ ଗହଳି ଲକ୍ଷ୍ୟ କରାଯାଇଥିଲା। ଶୀତୁଆ ଅପରାହ୍ନରେ କିଣାବିକାର ମଜା ନେଇଥିଲେ ସହସ୍ରାଧିକ ଦର୍ଶକ। ବିଭିନ୍ନ ହସ୍ତଶିଳ୍ପ ଜାତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥିଲା। ବହୁ ମହିଳା ହାତରେ ଫୁଲଝାଡୁ ଓ ଅନ୍ୟ ଘରକରଣା ସାମଗ୍ରୀ ଧରି ଫେରୁଥିବାର ନିଆରା ଦୃଶ୍ୟ ପରିଲକ୍ଷିତ ହୋଇଥିଲା।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories