www.samajalive.in
Thursday, December 11, 2025
15.1 C
Bhubaneswar

‘ତୃତୀୟ ବିଶ୍ବ’ର ଉଦାହରଣ କାହିଁକି?

ଆମେରିକାରେ ସଂସଦ ଭବନ କ୍ୟାପିଟଲ ହିଲ୍ ଉପରେ ଆକ୍ରମଣ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଛି। ଘଟଣାକୁ ଆମେରିକାର ରାଜନେତା, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ସ୍ୱାଭାବିକ ଭାବେ ନିନ୍ଦା କରିଛନ୍ତି; ହେଲେ ଘଟଣାକୁ ନିନ୍ଦା କରି ଅନେକ ନିଜର ମତାମତ ଦେଲା ବେଳେ ‘ତୃତୀୟ ବିଶ୍ୱ’ ରାଷ୍ଟ୍ରଙ୍କ ଉଦାହରଣ ଦେଇଛନ୍ତି। ‘ତୃତୀୟ ବିଶ୍ୱ ରାଷ୍ଟ୍ରରେ ବି ଏମିତି ହୁଏ ନାହିଁ’ ବୋଲି କ୍ୟାପିଟଲ ହିଲ୍ ଦଙ୍ଗାକୁ ନିନ୍ଦା କରି ବହୁ ଆମେରିକୀୟ ଟ୍ୱିଟର ଭଳି ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି। ଏକ ଟ୍ୱିଟରେ ଉଲ୍ଲେଖ ଥିଲା ଯେ, ‘ଟ୍ରମ୍ପ ଏକ ତୃତୀୟ ବିଶ୍ୱ ଓ କମ୍ୟୁନିଷ୍ଟ ଏକଛତ୍ରବାଦୀ ଭାବେ ବ୍ୟବହାର କରୁଛନ୍ତି। ଭୋଟ ଗଣତି ପୂର୍ବରୁ ହିଁ ସେ ନିଜର ବିଜୟ ଦାବି କରି ଦେଇଥିଲେ।’ ଫ୍ଲୋରିଡାର ଜଣେ ସାଂସଦ ମାର୍କ ରୁବିଓ ଟ୍ୱିଟ୍ କରିଥିଲେ ଯେ, ‘କ୍ୟାପିଟଲ ହିଲରେ ଯାହା ସବୁ ହେଲା, ସେଥିରେ ଦେଶଭକ୍ତି ଭଳି କିଛି ନାହିଁ। ଏହା ତୃତୀୟ ବିଶ୍ୱର ଆମେରିକା ବିରୋଧୀ ଅରାଜକତା।’

ଆମେରିକା ଓ ଅନ୍ୟ କିଛି ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ର (ଯେଉଁମାନେ କି ଗଣତନ୍ତ୍ର, ଗଣତାନ୍ତ୍ରିକ ମୂଲ୍ୟବୋଧ, ମାନବାଧିକାର, ବର୍ଣ୍ଣ ବୈଷମ୍ୟ ଭଳି ପ୍ରସଙ୍ଗରେ ଅନେକ ସମୟରେ ଦୋମୁହାଁ ନୀତି ଆପଣାଇଥାନ୍ତି) ସେମାନେ ଅନେକ ସମୟରେ ‘ତୃତୀୟ ବିଶ୍ୱ’ ଦେଶଗୁଡିକର ଉଦାହରଣ ଦେଇଥାଆନ୍ତି।

- Advertisement -

ତେବେ, ଏହି ‘ତୃତୀୟ ବିଶ୍ୱ’ କ’ଣ ? ନିର୍ଦ୍ଦିଷ୍ଟ କିଛି ଘଟଣାରେ କାହିଁକି ତୃତୀୟ ବିଶ୍ୱର ଉଦାହରଣ ଦିଆଯାଏ? ବିଂଶତମ ଶତାବ୍ଦୀର ପଚାଶ ଦଶକରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା ପରେ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ବିଶ୍ୱର ନେତୃତ୍ୱ ନେବା ପାଇଁ ଆମେରିକା ଓ ତତ୍କାଳୀନ ସୋଭିଏତ ସଂଘ ମଧ୍ୟରେ ତୀବ୍ର ହୋଇଥିଲା ପ୍ରତିଦ୍ୱନ୍ଦ୍ବିତା। ଯେଉଁ ଦେଶମାନେ ଏହି ଦୁଇ ଦେଶ ନେତୃତ୍ୱାଧୀନ ଅଲଗାଅଲଗା ରାଜନୈତିକ ଓ ସାମରିକ ମେଣ୍ଟର ସଦସ୍ୟ ନ ଥିଲେ, ସେମାନଙ୍କୁ ତୃତୀୟ ବିଶ୍ୱ ବୋଲି ଅଭିହିତ କରାଗଲା। ଏହାଛଡା ଅନେକ ବିକାଶଶୀଳ, ଗରିବ ଦେଶଗୁଡିକୁ ମଧ୍ୟ ‘ତୃତୀୟ ବିଶ୍ୱ’ ପର୍ୟ୍ୟାୟଭୁକ୍ତ କରାଯାଏ। ଫ୍ରାନ୍‌ସର ଜଣେ ଜନସଂଖ୍ୟାବିତ୍‌ ଆଲଫ୍ରେଡ ସାଉଭି ୧୯୫୨ରେ ନିଜର ଏକ ଲେଖାରେ ପ୍ରଥମେ ‘ତୃତୀୟ ବିଶ୍ୱ’ ଶବ୍ଦର ବ୍ୟବହାର କରିଥିଲେ। ଏସିଆ, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଆମେରିକାର ଅନେକ ଗରିବ ଓ ବିକାଶଶୀଳ ଦେଶ ସମେତ ଆମେରିକା ଓ ସୋଭିଏତ ସଂଘ ନେତୃତ୍ୱାଧୀନ କୌଣସି ମେଣ୍ଟରେ ସାମିଲ ନ ଥିବା ଦେଶଗୁଡିକୁ ‘ତୃତୀୟ ବିଶ୍ୱ’ କୁହାଗଲା।

ସମୟକ୍ରମେ ଏକ ବଦ୍ଧମୂଳ ଧାରଣା ସୃଷ୍ଟି ହେଲା ଯେ, ଯାହା ସବୁ ଖରାପ, ଅହିତକର, ଜନବିରୋଧୀ ଘଟଣା ତଥାକଥିତ ତୃତୀୟ ବିଶ୍ୱ ରାଷ୍ଟ୍ରଗୁଡିକରେ ହିଁ ହୁଏ। ଏଠାରେ ହିଁ ଅରାଜକତା, ବିଦ୍ରୋହ, ଧାର୍ମିକ ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ଦେଖାଯାଏ। ଏହି ବିଶ୍ୱର ଲୋକେ ହିଁ ଅଶିକ୍ଷିତ, ଉଗ୍ର, ହିଂସ୍ର। ତଥାକଥିତ ‘ତୃତୀୟ ବିଶ୍ୱ’ ପ୍ରତି ବିକଶିତ ଓ ସମୃଦ୍ଧ ଦେଶଗୁଡିକର ଜନତା, ନେତା ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏଭଳି ଧାରଣା ଏବେ ବି ରହିଆସିଛି । ବୋଧହୁଏ ପାଶ୍ଚାତ୍ୟର କିଛି ସଭ୍ୟ ଦେଶଗୁଡିକର ଏହି ଧାରଣା ସେମାନଙ୍କ ନିର୍ବୋଧତା ଓ ‘ହାମ୍ ବଡା’ ଆଭିମୁଖ୍ୟର ହିଁ ପରିଚୟ ଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ ଭାରତକୁ ମଧ୍ୟ ସେହି ତଥାକଥିତ ‘ତୃତୀୟ ବିଶ୍ୱ’ର ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରଶ୍ନ ଉଠୁଛି ଯେ ବାସ୍ତବରେ ଏହି ‘ତୃତୀୟ ବିଶ୍ୱ’ କ’ଣ ଅତି ଖରାପ? କାହିଁକି କେବଳ ନକାରାତ୍ମକ ଘଟଣା କ୍ଷେତ୍ରରେ ତୃତୀୟ ବିଶ୍ୱର ଉଦାହରଣ ଦିଅନ୍ତି କିଛି ପାଶ୍ଚାତ୍ୟ ଦେଶ। ଆମେରିକାର କ୍ୟାପିଟଲ ହିଲ୍ ହିଂସା ତୃତୀୟ ବିଶ୍ୱ ମାନସିକତାର ପ୍ରତିଫଳନ ବୋଲି ଅନେକ ମନ୍ତବ୍ୟ ଦେଲେ। ତେବେ, ଏଭଳି ଉଦାହରଣର ଯଥାର୍ଥତା ନାହିଁ ବୋଲି କହିଲେ ଚଳେ । ବହୁ ସାମ୍ବାଦିକ, ବୁଦ୍ଧିଜୀବୀ କଥା କଥାକେ ତୃତୀୟ ବିଶ୍ୱ ଉଦାହରଣକୁ ବିରୋଧ କରିଛନ୍ତି । ଆମେରିକା ଓ ପାଶ୍ଚାତ୍ୟ ଦେଶର ଲୋକେ ସେମାନଙ୍କର ହିଂସ୍ର ଇତିହାସ ବିଷୟର କଣ ଜାଣିନାହାନ୍ତି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଗତ ୧୦୦ ବର୍ଷ ମଧ୍ୟରେ ଅନେକ ପାଶ୍ଚାତ୍ୟ ଦେଶରେ ୱାଂଶିଟନର କ୍ୟାପିଟଲ ହିଲ୍ ଭଳି ହିଂସା ଓ ସରକାର ବିରୋଧୀ ବିଦ୍ରୋହ ସଂଘଟିତ ହୋଇଛି । ରକ୍ତପାତ ବି ହୋଇଛି , ଅରାଜକତା ମଧ୍ୟ ସୃଷ୍ଟି ହୋଇଛି। ୧୯୨୦ ଓ ୧୯୩୦ ଦଶକରେ ୟୁରୋପରେ ଅରାଜକତା, ଜାତିଆଣ ମନୋଭାବ, ନାଜିବାଦ, ଫାଶିବାଦ ସ୍ଥିତି ଥିଲା। ବିଶ୍ୱଯୁଦ୍ଧ ବି ସଭ୍ୟ ୟୁରୋପରୁ ସୃଷ୍ଟି ହୋଇଥିଲା । ସେହିଭଳି ଆମେରିକାରେ ମଧ୍ୟ ୧୯୨୦ ଓ ୧୯୩୦ର ଦଶକରେ ହିଂସା ଓ ଉଗ୍ର ଜାତୀୟତାବାଦ ପ୍ରଚଳିତ ଥିଲା। ବର୍ଣ୍ଣ ବୈଷମ୍ୟର କଥା ତ ନ କହିଲେ ଭଲ। ଆଜି ବି ସଭ୍ୟ ଆମେରିକାରେ ଅଣଶ୍ୱେତାଙ୍ଗଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉପେକ୍ଷା କରାଯାଉଛି। ୨୦୦୮ରେ ବରାକ ଓବାମା ଆମେରିକାର ପ୍ରଥମ କୃଷ୍ଣକାୟ ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ମଧ୍ୟ ପରିସ୍ଥିତିରେ ବିଶେଷ ଉନ୍ନତି ଘଟିନାହିଁ। ‘ବ୍ଲାକ୍ ଲାଇଭ୍‌ସ ମ୍ୟାଟର’ ଅଭିଯାନ ଆମେରିକାରେ ବର୍ଣ୍ଣବୈଷମ୍ୟର ସଂଗିନ ସ୍ଥିତିକୁ ଦର୍ଶାଉଛି।

ମନେରଖିବାକୁ ହେବ ଯେ, ସଭ୍ୟ ୟୁରୋପୀୟ ଦେଶ ମଧ୍ୟରେ ଅନ୍ୟତମ ସ୍ୱିଜରଲାଣ୍ଡରେ କେବଳ ୧୯୭୧ ମସିହାରେ ହିଁ ମହିଳାଙ୍କୁ ମତାଧିକାର ପ୍ରାପ୍ତ ହୋଇଥିଲା। ସ୍ପେନରେ ୧୯୭୮ ମସିହାରେ ହିଁ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ଗ୍ରୀସରେ ୧୯୭୪ ମସିହା ଯାଏ ସାମରିକ ଅଧିକାରୀମାନେ ହିଁ ଦେଶକୁ ଶାସନ କରୁଥିଲେ। ଉତ୍ତର ଆୟାର୍ଲାଣ୍ଡରେ ଦଶକ ଦଶକ ଧରି ଚାଲିରହିଥିବା ରାଜନୈତିକ ହିଂସା ୧୯୯୦ ଦଶକରେ ହିଁ ଶେଷ ହୋଇଥିଲା। ପୂର୍ବ ୟୁରୋପର ଅଧିକାଂଶ ଦେଶରେ ୧୯୯୦ ଦଶକରେ ହିଁ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା। ଏସବୁ ଉଦାହରଣରୁ ସ୍ପଷ୍ଟ ଯେ, ଆମେରିକା ଓ ସମୃଦ୍ଧ ଦେଶଗୁଡିକରେ ‘ତୃତୀୟ ବିଶ୍ୱ’ର ଦେଶ ଅପେକ୍ଷା ଭୟଙ୍କର ଓ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି।

ତେଣୁ ଆମେରିକାରେ ଅରାଜକତାକୁ ତୃତୀୟ ବିଶ୍ୱ ସହ ତୁଳନା କରିବା ବହୁତ ସହଜ। ମାନବାଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସଙ୍ଗରେ ଅନ୍ୟମାନଙ୍କୁ ଭାଷଣ ଦେଇଥାଏ ଆମେରିକା; କିନ୍ତୁ ସେଠାରେ କ’ଣ ସବୁ ଘଟୁଛି, ତାହା ବିଶ୍ୱବାସୀ ଜାଣନ୍ତି। ଜଣେ ନିର୍ଦୋଷ କୃଷ୍ଣକାୟକୁ ଗୋରା ପୁଲିସ ଅଧିକାରୀ ଆଣ୍ଠୁରେ ମାଡିବସି ଶ୍ୱାସରୁଦ୍ଧ କରି ହତ୍ୟା କଲା ପରେ ସେଠାରେ ସୃଷ୍ଟି ହୋଇଥିବା ଜନଆକ୍ରୋଶ ଆମେରିକା ପାଇଁ ଲଜ୍ଜାଜନକ ଘଟଣା ନୁହେଁ କି? ତେଣୁ ତଥାକଥିତ ‘ତୃତୀୟ ବିଶ୍ୱ’ ଉଦାହରଣ ଦେବା ସେମାନେ ବନ୍ଦ କରିବା ଦରକାର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories