www.samajalive.in
Thursday, December 11, 2025
16.1 C
Bhubaneswar

ନୁର୍ତ୍ତାଙ୍ଗ ଡବଲ ମର୍ଡର ଘଟଣା : ୨୭ରେ ଘଟିଥିଲା ଦୁଇଗୋଷ୍ଠୀ ଗଣ୍ଡଗୋଳ

କୁଆଁପାଳ : ବିଜେପି ନେତା ଓ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା ପୂର୍ବରୁ ଗତ ମାସ ୨୭ ତାରିଖରେ ନୁର୍ତ୍ତାଙ୍ଗ ଓ ଯଁକୋଟି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଡିସେମ୍ବର ୨୮ରେ ଏ ସଂକ୍ରାନ୍ତ ପୃଥକ ଅଭିଯୋଗ ହୋଇଥିଲା। ପୁଲିସ ଉଭୟ ପକ୍ଷଙ୍କ ଏତଲା ଗ୍ରହଣ କରି ମାମଲା ରୁଜୁ କରି ଚୁପ୍‌ ହୋଇ ବସିଯାଇଥିଲା। ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିବା ସହ ଆକ୍ରମଣ ଓ ପ୍ରତିଆକ୍ରମଣ ଉଦ୍ୟମ କରାଯାଇଥିଲା। ଏହି ଘଟଣାକୁ ପୁଲିସ ଏତେଟା ଗୁରୁତ୍ୱ ନ ଦେବାରୁ ଯଁକୋଟି ଗ୍ରାମରେ ଡବଲ ମର୍ଡର ଘଟିଲା ବୋଲି ଆଲୋଚନା ହେଉଛି।
ମୃତ କୁଳମଣିଙ୍କ ପୁତ୍ର ରମାକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ରାତି ୧୦ଟାରେ ତାଙ୍କ ଘର ସମ୍ମୁଖରେ ସେ ତାଙ୍କ ସାଥିମାନଙ୍କ ସହ କଥା ହେଉଥିବାବେଳେ ଯଁକୋଟି ଗ୍ରାମର ପଞ୍ଚାନନ ସେଠୀ, ସୁଧାଂଶୁ ସେଠୀ, ସନ୍ତୋଷ ପାଣି, କୈଳାସ ଚନ୍ଦ୍ର ଖଟୁଆ, ଉମେଶ ଖଟୁଆ ,ଅରୁଣ ଖଟୁଆ ଏବଂ ନୁର୍ତ୍ତାଙ୍ଗ ଗ୍ରାମର ଲଳିତ ବରାଳ, ବିଜୟ ବରାଳ, କ୍ଷିତୀଶ ଆଚାର୍ଯ୍ୟ, ଉମାକାନ୍ତ ସ୍ୱାଇଁ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ୨୦ରୁ ୨୫ ଲୋକ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ପହଞ୍ଚିଥିଲେ। ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ। ଅପରପକ୍ଷରେ ଦ୍ବିତୀୟ ଗୋଷ୍ଠୀ ପକ୍ଷରୁ ଯଁକୋଟି ଗ୍ରାମର ମାତାଜୀ ସେଠୀ ଅନୁରୂପ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ୨୭ ତାରିଖ ରାତି ୧୧ଟା ସମୟରେ ନୁର୍ତ୍ତାଙ୍ଗ ଗ୍ରାମର କୁଳମଣି ବରାଳଙ୍କ ପୁତ୍ର ରମାକାନ୍ତ ବରାଳ, ରଞ୍ଜିତ ବରାଳ, ମନୋରଞ୍ଜନ ମହାପାତ୍ର, ରବୀନ୍ଦ୍ର ବେହେରା, ଗଣେଶ୍ୱର ସାହୁ ପ୍ରମୁଖ ଠେଙ୍ଗା ଓ ଖଣ୍ଡା ଧରି ତାଙ୍କ ଘର ସମ୍ମୁଖରେ ପହଞ୍ଚି ପୁତ୍ର ପଞ୍ଚାନନକୁ ଖୋଜିଥିଲେ। ପୁଅ ଘରେ ନଥିବା କହିବାରୁ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ତାଙ୍କ ଘର କବାଟ ବାଡେଇ ଭାଙ୍ଗି ଖୋଲିବା ସହ ଘର ଭିତରକୁ ପ୍ରବେଶ କରି ଖଟ ଉପରେ ଶୋଇଥିବା ତାଙ୍କ ସାନ ପୁଅ ଚୈତନ୍ୟ ସେଠୀଙ୍କୁ ମାଡ଼ମାରି ବାହାରକୁ ଉଠାଇ ନେଇଥିଲେ। ତାକୁ ଏକ ଦଉଡ଼ିରେ ବାନ୍ଧି ଗାଡ଼ିରେ ନେଇଯାଇଥିଲେ। ଗଲାବେଳେ ସେମାନେ ଘରକୁ ଜାଳିଦେବେ ବୋଲି ଧମକ ଦେଇଥିଲେ।
ଏସଂକ୍ରାନ୍ତରେ ମାତାଜୀ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଅଭିଯୋଗର ୫ ଦିନ ପରେ ଅର୍ଥାତ୍‍ ୨ ତାରିଖ ସନ୍ଧ୍ୟା ସାଢେ ସାତଟା ସମୟରେ ଅଭିଯୋଗକାରୀ ରମାକାନ୍ତଙ୍କ ପିତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦାଦା ଦିବ୍ୟସିଂହ ବରାଳଙ୍କୁ ତାଙ୍କ ଘରଠାରୁ ମାତ୍ର ୩ ଶହ ମିଟର ଦୂରରେ ହତ୍ୟା କରାଯାଇଥିଲା। ଯଦି ଉଭୟ ପକ୍ଷଙ୍କ ବିରୋଧରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥାନ୍ତା ତେବେ ଏଭଳି ଅଭାବନୀୟ ଘଟଣା ଘଟିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories