ଭୁବନେଶ୍ବର: ବ୍ୟସ୍ତବହୁଳ ବାଣୀବିହାରରୁ ରାଜମହଲ ରାସ୍ତା ନବକଳେବର ହେଉଛି। ୮୦ କୋଟି ଟଙ୍କା ବ୍ୟୟରେ ଜନପଥ ପ୍ରକଳ୍ପରେ ଏହି ରାସ୍ତାର ବିକାଶମୂଳକ କାର୍ୟ୍ୟ ଚାଲିଛି। ୨୦୧୭ରୁ ସ୍ମାର୍ଟସିଟି କାମ ଜାରି ରଖିଛି। ୨୦୧୯ରେ ଏହି କାର୍ୟ୍ୟ ସରିବାକୁ ଥିବାେବଳେ ବହୁଥର ଏହାର ଅବଧି ବୃଦ୍ଧି ହେଲାଣି, କିନ୍ତୁ କାମ ସରୁନାହିଁ। ବର୍ଷ ବର୍ଷ ଧରି ଖୋଳାପୋତା କାମ ଚାଲୁଥିବାରୁ ଲୋେକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ରାସ୍ତାରେ ଗାଡ଼ିମୋଟର ଲମ୍ବା ଲାଇନ୍ ଲାଗୁଥିବାବେଳେ ଏବେ ଆରମ୍ଭ (ବାଣୀବିହାରରୁ ରୁପାଲି ଛକ ଏବଂ ଶେଷ (ରାଜମହଲରୁ ଶିଶୁ ଭବନ)ରେ ଷ୍ଟ୍ରିଟ୍ ଲାଇଟ ଜଳୁନାହିଁ। ଏହାବ୍ୟତୀତ ସ୍ମାର୍ଟ ଜନପଥର ମଧ୍ୟଭାଗରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିେଲ ମଧ୍ୟ ଏଗୁଡ଼ିକରୁ ଅନେକ ବିଦ୍ୟୁତ୍ ଖୁଣ୍ଟର ବଲ୍ବ ଫ୍ୟୁଜ୍ ହୋଇଯାଇଛି। ଜନପଥ ଅନ୍ଧାରରେ କହିଲେ କିଛି ଭୁଲ ହେବନାହିଁ।

ସ୍ମାର୍ଟ ଜନପଥରରେ ପ୍ରାୟ ୨୫୦ ଷ୍ଟ୍ରିଟ୍ ଲାଇଟ୍ ଏବଂ ୧୦ଟି ହାଇମାଷ୍ଟ ଲାଇଟ୍ ଲାଗିଛି। ଏଥିରୁ ୪ଟି ହାଇମାଷ୍ଟ ଲାଇଟ୍ ଏବଂ ପ୍ରାୟ ୮୦ଟି ଷ୍ଟ୍ରିଟ୍ ଲାଇଟ୍ ଅଚଳ ଅବସ୍ଥାରେ ଅଛି। ୭୦ରୁ ଊର୍ଦ୍ଧ୍ବ ପୁରୁଣା ପୋଲ୍ରେ ବଲ୍ବ ନାହିଁ।
ସ୍ମାର୍ଟ ଜନପଥର ବାଣୀବିହାର ଛକ, ରୁପାଲିଛକ, ରାଜମହଲ ଛକ ପୂରା ଅନ୍ଧାରରେ ରହିଛି। ଏହାବ୍ୟତୀତ ମହର୍ଷି କଲେଜ, ସତ୍ୟନଗର ବିଗ୍ବଜାର ଛକ, ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକରେ ହାଇମାସ୍କ ଲାଇଟ୍ର ଅଧିକାଂଶ ବଲ୍ବ ଜଳୁ ନଥିବାରୁ ଏହି ଛକଗୁଡ଼ିକ ଅଧା ଅନ୍ଧାରରେ ରହୁଛି। ଅନ୍ଧାରରେ ଗାଡ଼ି ଆଗକୁ ଗଡ଼ି ପାରୁନି। ଅଧିକାଂଶ ସମୟରେ ଯାନଗୁଡ଼ିକ ଆଗପଛ ହୋଇ ଧକ୍କା ହେଉଛନ୍ତି। ସ୍ମାର୍ଟ ଜନପଥର ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍, ରାମନ୍ଦିରରୁ ବାଣୀବିହାର ଯାଏ ବିଭିନ୍ନ ସ୍ଥାନରେ ଖୋଳାପୋତା କାମ ଯୋଗୁଁ ଗାତ ସୃଷ୍ଟି ହୋଇଥିବାରୁ ସାଧାରଣ ଜନତା ଯନ୍ତ୍ରଣା ଭୋଗୁଛନ୍ତି। ମାଷ୍ଟର କ୍ୟାଣ୍ଟିନ ହାଇମାଷ୍ଟ ଲାଇଟ୍ ଜଳୁଥିଲେ ମଧ୍ୟ ରେଳ ଷ୍ଟେସନରୁ ଗୋଲେଇ ଛକ, କଂଗ୍ରେସ ଭବନ, ଗାନ୍ଧୀ ମାର୍ଗରୁ ଲାଲ ଚାନ୍ଦ ଯାଏଁ ଅନ୍ଧାର ରହୁଛି। ଏଭଳି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିଲେ ମଧ୍ୟ ସ୍ମାର୍ଟସିଟି ଏବଂ ବିଏମ୍ସି କର୍ତ୍ତୃପକ୍ଷଙ୍କ ନଜର ପଡୁନି। ବାଣୀ ବିହାରରୁ ରୁପାଲିଛକ ଯାଏ ଷ୍ଟ୍ରିଟ୍ ଲାଇନ ତାର ଭୂତଳରେ ଯାଉଥିବାରୁ ଖୋଳାପୋତା କାମ ଚାଲିଛି। କାମ ସରିବା ପରେ ଲାଇଟ୍ ଲାଗିବ ବୋଲି ସ୍ମାର୍ଟସିଟି ପକ୍ଷରୁ କୁହାଯାଇଛି।
ମତାମତ..
ସନ୍ତୋଷ ସାହୁ, ବ୍ୟବସାୟୀ : ବାଣୀବିହାରରୁ ରୁପାଲି ଛକ ଅନ୍ଧାରରେ ରହୁଥିବାରୁ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ରାତି ହେଲେ କିଛି ଜଣାପଡ଼ୁ ନଥିବାରୁ ଦୋକାନ ସମ୍ମୁଖେର ରହିଥିବା ଗାଡ଼ିକୁ ଅନ୍ୟ ଗାଡ଼ି ଧକ୍କା ଦେଉଛି। ଅନେକ ସମୟରେ କିଛି ଦୂର ଯାଏ ଯାନଗୁଡ଼ିକର ଲମ୍ବା ଲାଇନ୍ ଲାଗୁଛି।
ରମେଶ ଜେନା, ବାସିନ୍ଦା : ରାସ୍ତା ଅନ୍ଧାରରେ ଅଟୋ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣାପଡୁନି। ମୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରାସ୍ତାରେ ଗାତ ଏବଂ ହମ୍ପ୍ସ ଦେଖା ଯାଉନି। ସ୍ମାର୍ଟ ଜନପଥ ମାଟି ରାସ୍ତା ଅବସ୍ଥାଠାରୁ ଆହୁରି ସାଂଘାତିକ ପରି ଲାଗୁଛି।
ଯଦୁମଣି ନାଏକ, ଯାତ୍ରୀ: ଦୀର୍ଘମାସ କରୋନା ପରେ ଏବେ ଲୋକେ କିଣାକିଣି କରିବାକୁ ଏକ ନମ୍ବର ହାଟ ଯାଉଛନ୍ତି। ହେଲେ ସ୍ମାର୍ଟ ଜନପଥର ଅଧିକାଂଶ ସ୍ଥାନ ଅନ୍ଧାରରେ ରହୁଥିବାରୁ ସତର୍କତା ସହିତ ଗାଡ଼ି ଚଳାଇବାକୁ ପଡ଼ୁଛି। ସବୁବେଳେ ଭିଡ଼ ରହିବାରୁ ଅଧିକ ସମୟ ଲାଗୁଛି। ନିର୍ମାଣ କାମ ଚାଲୁଥିଲେ ବି ସ୍ମାର୍ଟ ଜନପଥ ବ୍ୟସ୍ତବହୁଳ ହେତୁ ଷ୍ଟ୍ରିଟ୍ ଲାଇଟ ଜଳିବା ଉଚିତ୍।
ଅଶ୍ବିନୀ ବିଶ୍ବାଳ, ସ୍ମାର୍ଟସିଟି ମହାପ୍ରବନ୍ଧକ: ପୂର୍ବରୁ ରାଜମହଲରୁ ବାଣୀବିହାର ଯାଏ ଷ୍ଟ୍ରିଟ୍ ଲାଇଟ୍ ବିଏମ୍ସି ଅଧୀନରେ ଥିବାବେଳେ ଏବେ ସ୍ମାର୍ଟସିଟି ଦାୟିତ୍ବରେ ରହିଛି। ଷ୍ଟ୍ରିଟ୍ ଲାଇଟ୍ ତାର ଭୂତଳରେ ଯିବା ନିମନ୍ତେ ଖୋଳାଯାଉଥିବା ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କଟାଯାଇଛି। ବିଏମ୍ସିରୁ ସ୍ମାର୍ଟସିଟିକୁ ଦାୟିତ୍ବ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛିଦିନ ପରେ ଏହି ପ୍ରକ୍ରିୟା ଶେଷ ହେଲେ ସବୁ ଲାଇଟ୍ ଜଳିବ।



