www.samajalive.in
Wednesday, December 10, 2025
16.1 C
Bhubaneswar

ହ୍ରଦରେ ହାତୀପଲ ; ଜାଲରେ ଫସିଥିବା ଛୁଆକୁ ଛାଡିଗଲା ମା’ , ଗ୍ରାମବାସୀ କଲେ ଉଦ୍ଧାର

ବ୍ରହ୍ମପୁର: ଦକ୍ଷିଣ ଘୁମୁସର ବନଖଣ୍ଡ ଅଞ୍ଚଳରୁ ବ୍ରହ୍ମପୁର ବନଖଣ୍ଡକୁ ଚାଲି ଆସିଥିବା ୧୦ରୁ ଊର୍ଦ୍ଧ୍ବ ହାତୀ ପଲର ଉତ୍ପାତ ଅତିଷ୍ଠ କଲାଣି । ମଙ୍ଗଳବାର ହାତୀ ପଲ ସୁରଳ ଗ୍ରାମ ନିକଟରେ ଥିବା ବାହୁଦା ନଦୀ କୂଳ ସନ୍ନିକଟ ଏକ ହ୍ରଦରେ ଫଶି ଯାଇଥିଲେ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ପଙ୍କରେ ଫସିବା ଭିତରେ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା, ଚିଙ୍ଗୁଡ଼ି ଘେରି ଏବଂ ମାଛଧରା ସାମଗ୍ରୀ ଦଳିଚକଟି ନଷ୍ଟ କରିଦେଇଛନ୍ତି । ଖବର ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀମାନେ ପହଞ୍ଚି ହାତୀ ଘଉଡ଼ାଇବାରେ ଲାଗିଛନ୍ତି । ସର୍ବ​‌ଶେଷ ଖବର ମୁତାବକ ହାତୀ ପଲ ସୁରଳ ଗ୍ରାମର ଆଖାପାଖ ଅଞ୍ଚଳରେ ବୁଲୁଛନ୍ତି । ଜାଲରେ ଲାଗି ଯାଇଥିବା ଏକ ଛୁଆ ହାତୀକୁ ଗ୍ରାମବାସୀ ଉଦ୍ଧାର କରିଥିଲେ ହେଁ ମଣିଷ ସ୍ପର୍ଶ ବାଜିଥିବା ଯୋଗୁ ଛୁଆକୁ ହାତୀ ପଲ ଗ୍ରହଣ କରିନଥିବା କୁହାଯାଇଛି।  ଆଜି ଦିନ ତମାମ ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଛୁଆଟି ଏବେ ନଦୀ କୂଳରେ ବିଚରଣ କରୁଥିବା ବେଳେ ଅନତି ଦୂରରେ ହାତୀ ପଲ ରହିଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଘୁମୁସର ଅନ୍ତର୍ଗତ ଶେରଗଡ଼ ଏବଂ ବଡ଼ଗଡ଼ ଅଞ୍ଚଳରୁ ଏକ ହାତୀ ପଲ କିଛିଦିନ ହେଲା ଦିଗପହଣ୍ଡି, ଚିକିଟି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ଏହା ଭିତରେ ବ୍ୟାପକ ଫସଲ ନଷ୍ଟ କରିସରେିଲେଣି। କାହା ବାଡ଼ିରେ ତ କାହା ଜମିରେ ପଶି ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ନଷ୍ଟ କରିଛନ୍ତି ।  ୨୫ ତାରିଖରେ ଏହି ହାତୀ ପଲ ପୋଡ଼ଶୀ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଆଡ଼କୁ ଚାଲି ଯାଇଥିଲେ । କିନ୍ତୁ ମଙ୍ଗଳବାର ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ ବାହୁଦା ନଦୀ କୂଳର ଚିଙ୍ଗୁଡ଼ି ଘେରିରେ ହାତୀପଲର ପ୍ରବଳ ଚିତ୍କାର ଶୁଣିବାକୁ ମିଳିଥିଲା । ଇଚ୍ଛାପୁରରୁ ବାହୁଦା ନଦୀ ତଟ ରାସ୍ତା ଦେଇ ପହଞ୍ଚିଥିବା ଅନୁମାନ କରାଯାଉଛି । ଭୟରେ ସୁରଳ ଗ୍ରାମବାସୀ ନଦୀ ପାଖରେ ପହଞ୍ଚି ଦେଖିଲା ବେଳକୁ ହ୍ରଦରେ ହୋଇଥିବା ଚିଙ୍ଗୁଡ଼ି ଘେରିରେ ହାତୀ ପଲ ଫସି ଯାଇଥିଲା । ଏନେଇ ଅଞ୍ଚଳବାସୀଙ୍କ ତରଫରୁ ବନ ବିଭାଗର ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରିଥିଲେ । ପ୍ରଥମେ ହାତୀପଲ ଘୋଉଡ଼ାଇବାକୁ ଗାଁବାସୀ ଡଙ୍ଗାରେ ହ୍ରଦ ଭିତରେ ପଶି ଉଦ୍ୟମ କରିଥିଲେ। ଖବର ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ସମେତ ବନ ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । ବନ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଉଦ୍ୟମ ପରେ ହାତୀପଲ ପଙ୍କରୁ ବାହାରି ଥିଲେ । ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପରେସନ୍‌ ଚାଲିଥିଲା । କିନ୍ତୁ ଗୋଟିଏ ଛୁଆ ହାତୀ ପଙ୍କ ଭିତରେ ଫସି ରହିଥିଲା । ଗ୍ରାମବାସୀ ଛୁଆକୁ ବାହାର କରି ହାତୀ ପଲ ପାଖକୁ ଛାଡ଼ିଥିଲେ । କିନ୍ତୁ ହାତୀ ପଲ ଛୁଆକୁ ଗ୍ରହଣ କରି ନଥିଲା । କେତେକ ବୟସ୍କ ହାତୀ ସେହି ଛୁଆକୁ ଶୁଣ୍ଢରେ ତଡ଼ୁଥିବା ଦେଖିବାକୁ ମିଳିଥିଲା । ପରେ ପରେ ବ୍ରହ୍ମପୁର ଉପଜିଲାପାଳ କୀର୍ତ୍ତି ଭାସନ୍‌ ଏବଂ ଗୋଳନ୍ଥରା ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ୟପଟେ ମତ୍ସ୍ୟଜୀବୀଙ୍କ ପ୍ରାୟ ୪୮ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି । ସର୍ବଶେଷ ଖବର ସୁଦ୍ଧା ହାତୀ ପଲ ଗାଁ ନିକଟରେ ରହିଛନ୍ତି । ଛୁଆଟି ଅଲଗା ରହିଛି । ବିଳମ୍ବିତ ରାତିରେ ହାତୀ ତଡାଯିବ ବୋଲି ସୂଚନା ମିଳିଛି ।

ଏନେଇ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ ନାୟକଙ୍କ କହିବାନୁଯାୟୀ, ହାତୀ ପଲ ଗତ ୨୫ ତାରିଖରେ ଇଚ୍ଛାପୁର ଚାଲି ଯାଇଥିଲେ । କିନ୍ତୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହାତୀଙ୍କ ଗତିବିଧି ଏହା ପ୍ରଥମ । ସରକାରଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଉପଜିଲାପାଳ ଭାସନ୍‌ ମଧ୍ୟ କ୍ଷୟକ୍ଷତିର ଅକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories