www.samajalive.in
Monday, December 8, 2025
13.1 C
Bhubaneswar

‘ସତ୍ୟ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ’ ଥିଲେ ପଦ୍ମଭୂଷଣ ଡ. ରାଧାନାଥ ରଥ

କଟକ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବ୍ୟକ୍ତି ଥିଲେ। ସତ୍ୟ ଓ ସେବାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ପଣ୍ଡିତ ଗୋପବନ୍ଧୁଙ୍କର ପଟ୍ଟଶିଷ୍ୟ ଭାବେ ସେ ନିଜକୁ ସାବ୍ୟସ୍ତ କରିଯାଇଛନ୍ତି ବୋଲି ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତୀ ସଭାରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ‘ସମାଜ’ ପକ୍ଷରୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନଠାରେ ଶନିବାର ସନ୍ଧ୍ୟାରେ କୋଭିଡ ନିୟମ ଅନୁଯାୟୀ ରାଧାନାଥ ରଥଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ କହିଲେ, ସ୍ବର୍ଗତ ରାଧାନାଥ ରଥଙ୍କର ସମାଜ ସେବା ଅତୁଳନୀୟ। ସାମ୍ବାଦିକତା ଜରିଆରେ ସେ ଗରିବ, ଅସହାୟ ଓ ନିଷ୍ପେଷିତ ଲୋକଙ୍କ ଦୁଃଖ ଦୂର କରିବାକୁ ସର୍ବଦା ପ୍ରୟାସ କରୁଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବାରେ ନିଜକୁ ସାମିଲ କରିଥିଲେ। ଜନସେବାକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ସାମ୍ବାଦିକତା ସହ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ବେଶ ପରିଚିତ ଥିଲେ ବୋଲି କୁଳପତି ମତବ୍ୟକ୍ତ କରିଥି‌େ‌ଲ। ଉତ୍କଳ ବିଶ୍ବବିଦ୍ୟାଳୟରେ ରାଧାନାଥ ବାବୁଙ୍କ ଦ୍ବାରା ପୂର୍ବରୁ ସ୍ଥାପନ ହୋଇଥିବା ସତ୍ୟବାଦୀ ଚେୟାର ପୁନସ୍ଥାପନ ପାଇଁ ସେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

- Advertisement -

ସଭାରେ ଅଧ୍ୟକ୍ଷତା କରି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଗୋପବନ୍ଧୁଙ୍କୁ ରାଧାନାଥ ବାବୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିଲେ। ଗୁରୁ ସେବାର ପ୍ରତୀକ ଥିଲେ ବାବୁଜୀ। ତାଙ୍କଠାରେ ଉଦାରତା, କୃତଜ୍ଞଭାବ ପୂରି ରହିଥିଲା। ତାଙ୍କୁ ବାଦ ଦେଇ ଓଡ଼ିଶାର ଇତିହାସ ରଚନା କରିବା ସମ୍ଭବ ନୁହେଁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
‘ସମାଜ’ ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ରାଧାନାଥ ବାବୁଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ସେବା ମନୋଭାବ ଯୋଗୁଁ ‘ସମାଜ’ ଅନୁଷ୍ଠାନ ଆଜି ବିରାଟ ଦ୍ରୁମରେ ପରିଣତ ହୋଇଛି। ଉତ୍କଳ ବିଶ୍ବବିଦ୍ୟାଳୟ​‌େ​‌ର ରାଧାନାଥ ରଥଙ୍କ ଉଦ୍ୟମରେ ସ୍ଥାପନ ହୋଇଥିବା ସତ୍ୟବାଦୀ ଚେୟାରର ପୁନଃସ୍ଥାପନ ପାଇଁ ପଦକ୍ଷେପ ନେବାକୁ ସେ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମାଜ’ ରିଲିଫ କମିଟି ସମ୍ପାଦକ ତଥା ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରି ରାଧାନାଥ ରଥ କେବଳ ଜଣେ ଯଶସ୍ବୀ ସାମ୍ବାଦିକ ନଥିଲେ, ଜଣେ ଦୂରଦର୍ଶୀ ବ୍ୟକ୍ତି ଥିଲେ। ତାଙ୍କ ପ୍ରୟାସରେ ହିଁ ନନ୍ଦନକାନନ ପ୍ରାଣୀଉଦ୍ୟାନ, ଓୟୁଏଟି, ଧଉଳି ଶାନ୍ତିସ୍ତୂପ ସ୍ଥାପନ ହୋଇଥିଲା। ତାଙ୍କ ମନ୍ତ୍ରିତ୍ୱ ସମୟରେ ଶିକ୍ଷା କ୍ଷେତ୍ରରେ ଏକାଧିକ ପଦକ୍ଷେପ ନିଆଯାଇଥିଲା। ବାବୁଜୀ ଥିଲେ ମହାନ୍‍ ପ୍ରତିଭାଧର ଓ ଏକ ଅନୁଷ୍ଠାନ ବୋଲି ସେ କହିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ରଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସମୂହ ଦୀପଦାନ କରିଥିଲେ। ଏହି ଅବସରରେ ଚନ୍ଦ୍ରମଣି ଭୂୟାଁଙ୍କ ରଚିତ ‘ସାମ୍ବାଦିକତାର ଭୀଷ୍ମ ପିତାମହ ରାଧାନାଥ ରଥ’ ଏବଂ ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ପ୍ରକାଶିତ ରାଧାନାଥ ରଥଙ୍କ ରଚିତ ‘ମୋ ଜେଲ ସ୍ମୃତିଲିପି’ ପୁସ୍ତକକୁ ମୁଖ୍ୟ ଅତିଥି ଶ୍ରୀମତୀ ଆଚାର୍ଯ୍ୟ ଉନ୍ମୋଚନ କରିଥିଲେ।

ରବିବାର ସକାଳେ ବକ୍ସିବଜାରଛକ ଓ ଗୋପବନ୍ଧୁ ଭବନସ୍ଥିତ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଶ୍ରୀ ଆଚାର୍ଯ୍ୟ, ‘ସମାଜ’ ସମ୍ପାଦକ ଶ୍ରୀ ମହାନ୍ତିଙ୍କ ସହିତ ବରିଷ୍ଠ ସାମ୍ବାଦିକ ଡଃ ସତ୍ୟ ରାୟ, ଡଃ ପ୍ରମୋଦ ମହାପାତ୍ର, ଡା. ଦୀପକ ରାଜ, ସମାଜସେବୀ ଭବାନୀପ୍ରାସଦ ମିଶ୍ର, ଉତ୍କଳ ସମ୍ମିଳନୀ ପକ୍ଷରୁ ସେକ କମରୁଦ୍ଦିନଙ୍କ ସମେତ ବହୁ ବାବୁଜିପ୍ରେମୀ, ‘ସମାଜ’ର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories