ଅବ୍ୟବସ୍ଥା ମଧ୍ୟରେ ରହିଛି ସମ୍ବଲପୁର ସହର

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରମୁଖ ତଥା ପ୍ରାଣକେନ୍ଦ୍ର ଭାବରେ ପରିଚିତ ସମ୍ବଲପୁର ସହର ଏବେ ଅସରନ୍ତି ସମସ୍ୟାର ମକଡା ଜାଲରେ ଫସି ରହିଥିବା ଭଲି ପ୍ରତିତ ହେଉଛି। ଏହି ପ୍ରମୁଖ ସହର ୨୦୧୩ରୁ ମହାନଗର ନିଗମ ଭାବରେ ଘୋଷିତ ହେବା ପର ଠାରୁ ଏ ପର୍ଯ୍ୟନ୍ତ ଜନତା ତାଙ୍କର ସର୍ବନିମ୍ନ ଜନ ପ୍ରତିନିଧିଟିଏ ପାଇବାର ଅଧିକାରରୁ ସରକାରୀ ଉଦାସୀନତା ଯୋଗୁଁ ବଞ୍ଚିତ ରହିଛନ୍ତି। ଯାହା ଫଳରେ ଏବେ ସମ୍ବଲପୁର ମହାନଗର ନିଗମ ୬ ବର୍ଷରୁ ଉର୍ଦ୍ଧ ସମୟ ହେବ ସରକାରୀ ବାବୁ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଜନତାଙ୍କର ସର୍ବନିମ୍ନ ସମସ୍ୟା ଗୁଡିକ ଶୁଣିବାକୁ ବାବୁ ମାନଙ୍କର ସମୟ ନ ଥିବା ବେଳେ ସାଧାରଣ ଲୋକଟିଏ ସେମାନଙ୍କ ପାଖକୁ ପହଞ୍ଚିବା ଏକ କଷ୍ଟକର ବ୍ୟାପର ଅଟେ। ଜନ ପ୍ରତିନିଧି ନ ରହିବାର ଦୁଃଶ ପରିଣାମ ଏବେ ସମ୍ବଲପୁରବାସୀ ଭୋଗୁ ଥିବା ବେଳେ ପ୍ରଶାସନ ତାର ଚିରା ଚରିତ ଢ଼ଙ୍ଗରେ ଶୋଇ ରହିଛି। ନିଗମ ଅଞ୍ଚଳର ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ନ ଜଳିବା, ପରିମଳ ନାମରେ ମାସକୁ ୨ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ସତ୍ୱେ ସହର ଆବର୍ଜନାମୟ ରହିବା, ବର୍ଷତମାମ ନାଳ ଗୁଡିକ ଜାମ ରହିବା, ଅସରାଏ ବର୍ଷାରେ ନାଳ ଜଳ ଉଛୁଳି ରାଜରାସ୍ତାରେ ବୋହିବା, ସହର ସାରା ପରିବା ବଜାର ଆଦି ଅନେକ ସମସ୍ୟା ସହିତ ସହରବାସୀ ନିତି ପ୍ରତିଦିନ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥଳରେ ସମ୍ବଲପୁରର ଅତି ବ୍ୟସ୍ତତମ ତଥା ସହର ମଧ୍ୟକୁ ପ୍ରବେଶ ଦ୍ୱାର କୁହାଯାଉଥିବା ଅଇଁଠାପାଲି ରୁ ଜିଏମ କଲେଜ ଛକ ପର୍ଯ୍ୟନ୍ତ ରାସ୍ତାରେ ରହିଥିବା ଫାଟକ ଓଭର ବ୍ରିଜରେ ଷ୍ଟ୍ରିଟ ଲାଇଟ ନ ଜଳିବା ଘଟଣା ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ ଚକିତ କରୁଛି। ଏହି ରାସ୍ତାଟି ବ୍ୟସ୍ତବହୁଳ ରାସ୍ତା ହେବା ସହିତ ଅନେକ ଦୁର୍ଘଟଣା ହେବାର ମଧ୍ୟ ନଜୀର ରହିଛି। ଏଣୁ ଏ ସର୍ମ୍ପକରେ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ସମାଧାନ ହେଉ ନ ଥିବାରୁ ଅନେକ ବିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡିକରେ ନିଜର ରୋଷ ଜାହିର କରୁଛନ୍ତି।

ଏହି ଓଭର ବ୍ରିଜ କଡରେ ରାଜ୍ୟର ଅନ୍ୟତମ ସ୍ୱନାମଧନ୍ୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରହିଛି। ପଶ୍ଚିମ ଓଡିଶାର ବରପୁତ୍ର ମାନଙ୍କ ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ଙ୍କ ନାମ ଅତି ସମ୍ମାନ ସହିତ ନିଆଯାଇଥାଏ। ତାଙ୍କୁ ବହୁ ଉଚ୍ଚ ସ୍ଥାନ ମଧ୍ୟ ଦିଆଯାଇଛି। ତେବେ ଜୟନ୍ତି ସଭା ସମିତି ଓ ଫଟୋ ସେସନ ସରିବା ପରେ ସମସ୍ତେ ସେହି ବରପୁତ୍ର ମାନଙ୍କୁ ଭୁଲି ଯାଇଥାନ୍ତି। ଏହାର ଜ୍ୱଳନ୍ତ ନମୁନା ପଶ୍ଚିମ ଓଡିଶାର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ପ୍ରତି ଦିନ ଦେଖିବାକୁ ମିଳୁଛି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣାବୟ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟ ପରିସରରେ ରହିଥିବା ବେଳେ କିନ୍ତୁ ଏହାର ରକ୍ଷଣାବେକ୍ଷଣ କରାଯିବାର ତ ଦୂରର କଥା ସନ୍ଧ୍ୟା ହେବା ମାତ୍ରେ ଏହା ଅନ୍ଧକାର ମଧ୍ୟ ଡୁବି ରହୁଛି। ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ଅନ୍ଧକାର ମଧ୍ୟରେ ଡୁବି ରହିଥିବା ବେଳେ ସ୍ୱଭାବ କବିଙ୍କ ପ୍ରତିମୂର୍ତ୍ତିକୁ ଆଲୋକିତ କରି ରଖିବା ପାଇଁ କାହାରି ଆନ୍ତରିକତା ଏ ପର୍ଯ୍ୟନ୍ତ ଦେଖାଯାଇ ନାହିଁ। ମାଟିର ବରପୁତ୍ର ମାନଙ୍କର ଜୟନ୍ତୀ ସମାରୋହରେ ସମସ୍ତେ ବରପୁତ୍ର ମାନଙ୍କର ସ୍ମୃତିଚାରଣ କରି ଲମ୍ବା ଲମ୍ବା ଭାଷଣ ଦେଇ ଅନେକ ସେମାନଙ୍କୁ ପ୍ରଶଂସାରେ ପୋତି ପକାଇଥାନ୍ତି। କିନ୍ତୁ ଯେତେବେଳେ ବରପୁତ୍ର ମାନଙ୍କର ପାଇଁ କିଛି କରିବା ସମୟ ଆସିଥାଏ, ସେହି ସମୟରେ କେହି ନ ଥାନ୍ତି। ପଶ୍ଚିମ ଓଡିଶାର ବରପୁତ୍ର ମାନଙ୍କର ଜୟନ୍ତୀ ସମାରୋହ ମାନଙ୍କରେ ସେମାନଙ୍କର ପ୍ରତି ଉପେକ୍ଷା କରାଯାଇଥାଏ ବୋଲି ପ୍ରାୟତଃ ମତପ୍ରକାଶ ପାଇଥାଏ। ତେବେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଦେଇ ବିଭିନ୍ନ ସଭାସମିତି ମାନଙ୍କରେ ସ୍ୱଭାବ କବି ଙ୍କ ଗୁଣଗାନ କରୁଥିବା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ, ନେତା, ଅଧିକାରୀ ପ୍ରତ୍ୟହ ଯାତାୟାତ କରୁଥିବା ବେଳେ ଏଥି ପ୍ରତି କାହାରି ନିଘା ମଧ୍ୟ ନାହିଁ। ଏଭଳି ଅନେକ ଛୋଟ ବଡ ସମସ୍ୟା ଲାଗି ରହିଥିବା ବେଳେ କିନ୍ତୁ ସେଗୁଡିକର ସ୍ଥାୟୀ ପ୍ରତିକାର ଦିଗରେ ସରକାରୀ ଓ ପ୍ରଶାସନିକ ସ୍ତରରେ ଉଦାସୀନତା ସହରବାସୀଙ୍କୁ ଦୁଃଖିତ ଓ କ୍ଷୁବ୍ଧ କରୁଛି।

Comments are closed.