www.samajalive.in
Wednesday, December 10, 2025
26.1 C
Bhubaneswar

ସରିଲା ରୋଷେଇ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’, ଦେବଯାନୀ ଦାସ ହେଲେ ଚମ୍ପିୟନ

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ପ୍ରୟାସରେ ଗତ ଅଗଷ୍ଟ ୧୫ତାରିଖରୁ ଚାଲିଥିବା ‘ଆମ ଘର ଆମ ହାଣ୍ଡିଶାଳ’ ରୋଷେଇ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ରୋଷେଇ ପ୍ରତିଯୋଗିତାରେ ଦେବଯାନୀ ଦାସ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ବିଜୟୀ ଓ ଚମ୍ପିୟନ୍‌ ହୋଇଛନ୍ତି। ସେହିପରି ପ୍ରତିଭାପ୍ରୀତି ପଣ୍ଡା ପ୍ରଥମ ରନର୍ସ ଅପ୍‌ ଏବଂ ସାଗରିକା ରାୟ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି। ବିଚାରକମଣ୍ଡଳୀର ନିଷ୍ପତ୍ତି ଆଧାରରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯିବା ସହ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।

ପ୍ରାୟ ୪ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଆଜି ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା। ଆଜି ଫାଇନାଲ ରାଉଣ୍ଡକୁ ମୋଟ ୬ଜଣ ପ୍ରତିଯୋଗୀ ମମତା ମହାପାତ୍ର, ପ୍ରତିଭାପ୍ରୀତି ପଣ୍ଡା, ଦେବଯାନୀ ଦାସ, ମିନାକ୍ଷୀ ମିଶ୍ର, ଶୀତଳସିଗ୍ଧା ମହାରଣା ଓ ସାଗରିକା ରାୟଙ୍କୁ ମନୋନୟନ କରାଯାଇଥିଲା। ୬ଜଣ ଯାକ ପ୍ରତିଯୋଗୀ ନିଜର ଶ୍ରେଷ୍ଠ ରୋଷେଇ ଦକ୍ଷତା ପ୍ରତିପାଦନ କରିଥିଲେ। ବିଚାରକମଣ୍ଡଳୀର ନିଷ୍ପତ୍ତିକୁ ଆଧାର କରି ୩ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବିଜୟୀ ଘୋଷଣା କରାଯାଇଛି।
ଭୁବନେଶ୍ୱରସ୍ଥିତ ବରମୁଣ୍ଡାର ତ୍ରିଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଦେବଯାନୀ ଦାସ ମାଣ୍ଡିଆରେ ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମାଣ୍ଡିଆ ତମ୍ପା ପିଠା କରି ପ୍ରତିଭାପ୍ରୀତି ପଣ୍ଡା ପ୍ରଥମ ରନର୍ସଅପ୍ ଓ ମାଛ ଆମ୍ବିଳ ପାଇଁ ସାଗରିକା ରାୟ ଦ୍ୱିତୀୟ ରନର୍ସଅପ୍ ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ। ବିଜୟୀ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୫ହଜାର ଟଙ୍କାର ପୁରସ୍କାର ରାଶି ସହ ରୁଚି କମ୍ପାନୀ ପକ୍ଷରୁ ଗିଫ୍ଟ ହାମ୍ପର ଓ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ରନର୍ସଅପଙ୍କୁ ଯଥାକ୍ରମେ ୧୫ହଜାର ଓ ୧୦ହଜାର ଟଙ୍କା ପୁରସ୍କାର ରାଶି ସହ ରୁଚି କମ୍ପାନୀର ଗିଫ୍ଟ ହାମ୍ପର ଏବଂ ଓଟିଡିସି ପକ୍ଷରୁ ହଲିଡେ୍ ଟୁର ପ୍ୟାକେଜ୍ ପ୍ରଦାନ କରାଯାଇଛି।

- Advertisement -


ଗ୍ରାଣ୍ଡ ଫିନାଲେ ଉତ୍ସବରେ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରିଥିଲେ।
ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ୟ୍ୟକ୍ରମର ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଇବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆଗେଇ ଆସିଥିଲେ। ସେମାନଙ୍କ ମଧ୍ୟରେ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ବିଧାୟିକା ଲତିକା ପ୍ରଧାନ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ବିଜେଡି ନେତ୍ରୀ ସୁଲତା ଦେଓ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ବିଶିଷ୍ଟ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗାୟିକା ସସ୍ମିତା ଦାଶ, ଅଭିନେତା ମଣ୍ଟୁ, ଅଭିନେତ୍ରୀ ଅନୀଷା, ମଧୁମିତା ମହାନ୍ତି, ଗୁନଗୁନ୍, ସଙ୍ଗୀତା ମିଶ୍ର, ନୃତ୍ୟଶିଳ୍ପୀ ଏଲିଆନା ସିତାରିଷ୍ଟ ପ୍ରମୁଖ ରୋଷେଇ ପ୍ରତିଯୋଗିତାରେ ସାମିଲ ହୋଇ ପ୍ରତିଯୋଗୀମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ।


ଓଡ଼ିଶାର ଖାଦ୍ୟକୁ ବିଶ୍ୱଦରବାରରେ ପ୍ରଚାରପ୍ରସାର ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଆୟୋଜିତ ଏହି କାର୍ୟ୍ୟକ୍ରମ ସଫଳତାର ସହ ସମାପନ ହୋଇଥିବାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ, ସମସ୍ତ ପ୍ରତିଯୋଗୀ ଓ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତି,ପ୍ରାୟୋଜକ କମ୍ପାନୀ ‘ରୁଚି’ ଓ ଫ୍ରିଡମ୍‌ର କର୍ମକର୍ତ୍ତାମାନଙ୍କୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କୃତଜ୍ଞତା ଜଣାଇଛନ୍ତି।
କରୋନା ମହାମାରୀଜନିତ ଲକ୍‌ଡାଉନ୍ ଓ ସଟ୍‌ଡାଉନର କଠିନ ପରିସ୍ଥିତିରେ ଗୃହିଣୀମାନଙ୍କ ମନୋବଳକୁ ବୃଦ୍ଧି କରି ସେମାନଙ୍କର ରୋଷେଇ କଳାର ନୈପୁଣ୍ୟତାକୁ ଚିହ୍ନଟ କରିବା ଓ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଟିସି ପକ୍ଷରୁ ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରାୟ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ଆବେଦନପତ୍ର ଓଟିଡିସିକୁ ମିଳିଥିଲା। ତେବେ ସେମାନଙ୍କ ମଧ୍ୟରୁ ବିଚାରକମଣ୍ଡଳୀ ଦ୍ୱାରା ଚୟନିତ ଶ୍ରେଷ୍ଠ ୪୦ଜଣ ପ୍ରତିଯୋଗୀଙ୍କୁ ଦୂରଦର୍ଶନ ଚ୍ୟାନେଲରେ ପ୍ରତି ଶନିବାର ଓ ରବିବାର ଦିନ ୧.୩୦ରୁ ୨.୩୦ ମିନିଟ୍ ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ନିଜର ରୋଷେଇ କଳାର ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା।
ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ତାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କ ବୋହୂ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତୀ ଫାଇନାଲିଷ୍ଟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟ ବିଶେଷକରି ‘ପଖାଳ’ ତାଙ୍କର ଅଧିକ ପସନ୍ଦ ଓ ପ୍ରିୟ ଖାଦ୍ୟ ବୋଲି କହିଛନ୍ତି। ଏଭଳି ପ୍ରତିଯୋଗିତା ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱଦରବାରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତି କରିଛନ୍ତି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories