ଭୁବନେଶ୍ବର: ଆମ ରାଜ୍ୟର ଚାରୁକଳା କ୍ଷେତ୍ରଟିକୁ ସୁଦୃଢ, ସୁଗଠିତ କରିବା ପାଇଁ ନାରୀମାନଙ୍କର ପ୍ରକୃତ ଅଂଶଗ୍ରହଣ ନିହାତି କାମ୍ୟ। ଏ ଦିଗରେ ଗୋଟିଏ ଭଲ ପଦକ୍ଷେପ ଭାବରେ ଉଡ୍ର ଫାଉଣ୍ଡେସନ ଅନଲାଇନ୍ କଳା ପ୍ରଦର୍ଶନଟି ବହୁତ ମହତ୍ତ୍ୱ ବହନ କରେ। ଏହି ମହାମାରୀ ସମୟରେ ଯେତେବେଳେ ସାରାବିଶ୍ୱ ତାଲାବନ୍ଦ ହୋଇରହିଛି ସେତେବେଳେ କଳାକାରମାନଙ୍କ ପାଇଁ ଅନ୍ଲାଇନ ମାଧ୍ୟମରେ ନିଜର କଳାକୃତିର ପ୍ରଦର୍ଶନୀ ପ୍ରକୃତରେ ଜଣେ କଳାକାରକୁ କିଛି ପରିମାଣରେ ଉତ୍ସାହିତ କରିପାରିଥିବ। ଏହି ପ୍ରଦର୍ଶନୀରେ ଶୀର୍ଷକ ହେଉଛି ‘୧୬ ଗର୍ଗସ ୱମେନ୍ ଆର୍ଟିଷ୍ଟ’। ଶୀର୍ଷକ ଅନୁଯାୟୀ ଏଥିରେ ରାଜ୍ୟର ୧୬ଜଣ ଖ୍ୟାତି ସଂପର୍ଣ୍ଣ ଶିଳ୍ପୀ ନିଜର କଳାକୃତ୍ତିକୁ ପ୍ରଦର୍ଶନ କରିଛନ୍ତି ‘ସେଲିବ୍ରେଟ ମାଇଁସେଲ୍ଫ’ ବିଷୟଟିକୁ ନେଇ। ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି ରାଜ୍ୟର ଉଭୟ ପୁରାତନ ଏବଂ ନୂତନ ଶିଳ୍ପୀମାନେ।

ଜ୍ୟୋତିର୍ମୟୀ ମହାନ୍ତି ପ୍ରତିନିଧିତ୍ୱ କରନ୍ତି ସେହି ପୁରାତନ ଶିଳ୍ପୀମାନଙ୍କର ଗୋଷ୍ଠୀକୁ ଯେଉଁମାନେ ପଚାଶ ଦଶକରେ ନୂଆ ହୋଇ ଆରମ୍ଭ ହୋଇଥିବା ଆର୍ଟ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ନାନାଦି ପ୍ରକାରର ସାମାଜିକ ବନ୍ଧନ, ବାଧାବିଘ୍ନ ଆଜି ସତ୍ତେ୍ୱ, ଚାରୁ- କାରୁ କଳାପରି ଏକ ଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିଲେ। ଜ୍ୟୋତିର୍ମୟୀଙ୍କର କଳାକୃତୀ ଗୁଡିକ ସବୁବେଳେ ନାରୀ କୈନ୍ଦ୍ରିକ। ମୁଖ୍ୟତଃ ଭାରତୀୟ ଶୈଳୀ ବା ରାଜ୍ୟର ନିଜସ୍ୱ ପଟ୍ଟଚିତ୍ର ଶୈଳୀରେ ପୌରାଣିକ ବିଷୟବସ୍ତୁ ଗୁଡିକ ମାଧ୍ୟମରେ ସେ ବ୍ୟକ୍ତ କରିଥାନ୍ତି ନାରୀଟିଏକୁ। ପ୍ରଦର୍ଶନୀରେ ତାଙ୍କର ଚିତ୍ର “ଦଶମହାବିଦ୍ୟା” ପଟ୍ଟଚିତ୍ର ଶୈଳୀରୁ ପ୍ରଭାବିତ। ପରମ୍ପରା ଓ ସଂସ୍କୃତିର କାହାଣୀ ଦେଖିବାକୁ ମିଳିଛି ସଙ୍ଗୀତା ପଟ୍ଟନାୟକଙ୍କ ଚିତ୍ରରେ। ମଣିଷ ସହିତ କିପରି ସଂସ୍କୃତି ସାମନ୍ତରାଳଭାବରେ ଯାତ୍ରା କରିଛି ତାହା ସେ ଦର୍ଶାଇଛନ୍ତି। ପରମ୍ପରାର ବିବର୍ତ୍ତନ ଦେଖିବାକୁ ମିଳିଛି ପ୍ରିୟଦର୍ଶିନୀଙ୍କ ଛବିରେ। ପରମ୍ପରଦାଗତ ସମ୍ବାଦ ପ୍ରେରଣର ମାଧ୍ୟମ କେମିତି ନୂତନ ରୂପ ନେଇଛି, ପ୍ରତୀକାତ୍ମକ ଚିହ୍ନ ଗୁଡିକ ମାଧ୍ୟମରେ ଅତି ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି ସେ। ନାରୀଟିଏର ବା ନିଜର ମନସ୍ତତ୍ତ୍ୱର ବିଭିନ୍ନ ପାଖକୁ ଭିନ୍ନ ଭିନ୍ନ ମାଧ୍ୟମରେ ପ୍ରକାଶ କରିଛନ୍ତି ସ୍ୱୟଂପ୍ରଭା ପରିଡା, ସୁଚେତା ପ୍ରିୟବାଦିନୀ, ଜୁହିଦାସ ମହାପାତ୍ର, ବିଶ୍ୱଜିତା ମହାରଣା ଓ ମମତା ସାମନ୍ତରାୟ । ଦିଲ୍ଲୀରେ କଳାଭ୍ୟାସ କରୁଥିବା ଅଭିପ୍ସା ପ୍ରଧାନଙ୍କ କଳାକୃତିରେ ଆଦିବାସୀ ସଂସ୍କୃତି ଓ ଆଧୁନିକ ସଭ୍ୟତାର ଯୁଗଳବନ୍ଦି ଦେଖିବାକୁ ମିଳିଛି। ଶିଳ୍ପୀ ଗୌରୀ ମହାରଣା, ପ୍ରଣତୀ ଦାସ, ସତ୍ୟଭାମା ମାଝୀଙ୍କ କଳାକୃତିରେ ପ୍ରତିଫଳିତ ହୋଇଛି ପିଲାଦିନର ସ୍ମୃତି ଓ ସ୍ୱପ୍ନ। ଅତସି ବସୁ ଜେନାଙ୍କର କଳାକୃତିରେ ପ୍ରତିଫଳିତ ହୋଇଛି ବଦଳି ଚାଲିଥିବା ପରିବେଶ, ସଭ୍ୟତା, ଲୋକବାକ, ଅନୁଭୂତି ଆଦିକୁ ନେଇ ତାଙ୍କର ମାନସ୍ତାତ୍ତ୍ୱିକ ଅବସ୍ଥାର ଏକ ସଫଳ କାହାଣୀ ‘ଭିଣ୍ଟେଜ କାର୍’ର ପ୍ରତୀକାତ୍ମକ ଉପସ୍ଥାପନାରେ।

ସୁନ୍ଦର ରଙ୍ଗମାନଙ୍କର ଚମତ୍କାର ପ୍ରୟୋଗ ମାଧ୍ୟମରେ ଲିପିଶ୍ରୀ ତାଙ୍କ ମନର ଗଭୀରତାରେ ବସା ବାନ୍ଧିଯାଇଥିବା ଅନୁଭୂତିକୁ ବିଛେଇ ଦେଇଛନ୍ତି ତାଙ୍କର କାନଭାସ ଉପରେ। ଶିଳ୍ପୀ ଫିରଦୋସୀଙ୍କ କଳାକୃତିରେ ସେ ଦର୍ଶାଇଛନ୍ତି ସମାଜର ନିୟମରେ ଅଲୋଡା ସମ୍ପର୍କରେ ଛାଇରେ ଦବିଯାଇଥିବା ଭାବନାର ପ୍ରତିଛବିକୁ। ସ୍ୱପ୍ନର ଅସୁମାରୀ ଲହରୀରେ ସେ ଖୋଜି ବୁଲୁଛନ୍ତି ନିଜର ଏକାନ୍ତ କାମ୍ୟ ସମ୍ପର୍କଟିଏକୁ। ତାଙ୍କର ସମାଜ, ପରମ୍ପରାକୁ ନେଇ ମୁକ୍ତ ଚିନ୍ତାଧାରାର ସଫଳ ପରିପ୍ରକାଶ ଏହି ଚିତ୍ରଟି।
ପ୍ରଦର୍ଶନୀଟି ଯୋଗାଇ ଦେଇଛି ମଞ୍ଚଟିଏ ଯାହା ଗୋଟିଏ ଶିଳ୍ପୀ ପାଇଁ ତାର ସ୍ୱପ୍ନକୁ ଦେଖଣାହାରୀଙ୍କୁ ପରସିଦେବାରେ ସାହାଯ୍ୟ କରିଥାଏ। କେଉଁଠି ନା କେଉଁଠି ପ୍ରଦର୍ଶନୀଟି ସମର୍ଥ ହୋଇଛି, ଆମ ରାଜ୍ୟର ନାରୀ ଶିଳ୍ପୀମାନଙ୍କ ମନରେ ମଉଳି ଯାଉଥିବା ସାହସକୁ ଉଚିତ ସତେଜତା ଦେବାରେ। ଏପରି ପ୍ରଦର୍ଶନୀ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିବାର, ପ୍ରୋତ୍ସାହନ କରିବାର ଉତ୍ସକୁ ଭେଟିଦେଇଛି କିଛିଜଣ ନାରୀଶିଳ୍ପୀମାନଙ୍କୁ।



